FeaturedLatestNews

ଆନ୍ଦୋଳନକାରୀ ଅଟୋ ଚାଳକଙ୍କୁ ପୋଲିସର ଲାଠିଚାର୍ଜ

ଭୁବନେଶ୍ୱର (ସଂକେତ ଟିଭି): ରାଜଧାନୀ ଭୁବନେଶ୍ୱରରେ ଅନଲାଇନ୍ ଅଟୋ ଚାଳକମାନଙ୍କ ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି। ଅଲ୍ ଓଡ଼ିଶା ଗିଗ୍ସ ୟୁନିଅନ ପକ୍ଷରୁ ଡକାଯାଇଥିବା ଏହି ଷ୍ଟ୍ରାଇକରେ ଓଲା, ଉବେର, ରାପିଡୋ, ଓଡ଼ିଶା ଯାତ୍ରୀ ସମେତ ପ୍ରାୟ ୨୦ଟି ଅଟୋ ସଂଗଠନ ସାମିଲ ହୋଇଛନ୍ତି। ୩୦ ଦଫା ଦାବି ନେଇ ଆନ୍ଦୋଳନ କରୁଥିବା ଚାଳକମାନେ ଭଡ଼ା ବୃଦ୍ଧି, କମିଶନ୍ ହ୍ରାସ ଏବଂ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି।

ବୁଧବାର ଦିନ ଲୋୟର ପିଏମଜି ଓ ମାଷ୍ଟର କ୍ୟାଣ୍ଟିନ ଛକରେ ଆନ୍ଦୋଳନ ବେଳେ ଅଘଟଣ ଘଟିଛି। ଆନ୍ଦୋଳନକାରୀ ଡ୍ରାଇଭର ଓ ପୋଲିସ ମଧ୍ୟରେ ତୀବ୍ର ଧସ୍ତାଧସ୍ତି ହୋଇଛି। ଆନ୍ଦୋଳନକାରୀମାନେ ପୋଲିସକୁ ଢେଲା ପଥର ମାଡ଼ କରିବା ପରେ ପୋଲିସ ଲାଠିଚାଳନା କରିଥିଲା। ପରବର୍ତ୍ତୀ ସମୟରେ ପୋଲିସ କିଛି ଆନ୍ଦୋଳନରତ ଡ୍ରାଇଭରଙ୍କୁ ଉଠାଇ ନେଇଥିବା ଦେଖିବାକୁ ମିଳିଛି।

ଅଟୋ ଚଳାଚଳ ବନ୍ଦ ଥିବାରୁ ରାଜଧାନୀର ଜନଜୀବନ ପ୍ରଭାବିତ ହୋଇଛି। ବିଶେଷକରି ରେଳଷ୍ଟେସନ, ବିମାନବନ୍ଦର ଓ ଅନ୍ୟ ପ୍ରମୁଖ ସ୍ଥାନଗୁଡ଼ିକରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାଜଧାନୀ ରାଜରାସ୍ତାରେ ଏହି ଅଭାବନୀୟ ପରିସ୍ଥିତି ଯୋଗୁଁ ଗମନାଗମନ ବ୍ୟାହତ ହୋଇଛି ଏବଂ ରେଲୱେ ଷ୍ଟେସନଠାରୁ ଏୟାରପୋର୍ଟ ପର୍ଯ୍ୟନ୍ତ ରାସ୍ତା ଜାମ୍ ହୋଇ ରହିଛି। ସ୍ଥିତି ସମ୍ପର୍କରେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନଥିବା ବେଳେ ଆନ୍ଦୋଳନକାରୀମାନେ ନିଜ ଦାବିକୁ ନେଇ ଅଡ଼ୁଆ ରହିଛନ୍ତି।

Leave a Reply

Your email address will not be published. Required fields are marked *