FeaturedLatestNews

ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ସର୍ଭେ: ଅକ୍ଟୋବର ୨୬ରୁ ଘରକୁ ଘର ସର୍ଭେ

ଭୁବନେଶ୍ୱର (ସଂକେତ ଟିଭି): ନିର୍ବାଚନ କମିଶନଙ୍କ ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି ଆରମ୍ଭ ହୋଇଛି। ସ୍ୱଚ୍ଛ, ନିରପେକ୍ଷ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ କରିବା ଏହାର ମୁଖ୍ୟ ଲକ୍ଷ୍ୟ। ଏହି ଉଦ୍ଦେଶ୍ୟରେ ଅକ୍ଟୋବର ୨୬ରୁ ନଭେମ୍ବର ୭ ପର୍ଯ୍ୟନ୍ତ ଡୋର ଟୁ ଡୋର ସର୍ଭେ କରାଯିବ।

ଏହି ସର୍ଭେ କାର୍ଯ୍ୟରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ ଓଡ଼ିଶାବାସୀଙ୍କୁ ଆହ୍ୱାନ କରିଛନ୍ତି। ଯଦି କୌଣସି ଭୋଟରଙ୍କ ନାମ ଏସଆଇଆରରୁ କଟିଯାଇଥାଏ, ତେବେ ସେମାନେ ଆବଶ୍ୟକୀୟ ପ୍ରମାଣପତ୍ର ଦେଇ ପୁନର୍ବାର ନାମ ଯୋଡ଼ି ପାରିବେ। ସେହିପରି ଅଯୋଗ୍ୟ ଭୋଟରଙ୍କୁ ବାଦ ଦେବାର ବ୍ୟବସ୍ଥା ମଧ୍ୟ ରହିଛି।

ଜାନୁଆରୀରେ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ ପାଇବ। ଫେବୃଆରୀ ୧୦ ସୁଦ୍ଧା ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିବା ଲକ୍ଷ୍ୟ ରଖାଯାଇଛି। ସେପ୍ଟେମ୍ବର ୨୧ରେ ଏସଆଇଆର ପରେ କେନ୍ଦ୍ର ନିର୍ବାଚନ କମିଶନଙ୍କ ଭୋଟର ତାଲିକା ଅନୁସାରେ ରାଜ୍ୟ ନିର୍ବାଚନ କମିଶନ ସର୍ଭେ କରିବେ।

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରତି ୱାର୍ଡରେ ଗୋଟିଏ ବୁଥ ରହିବ। ବିଧାନସଭାର ୩୯,୦୦୦ ବୁଥକୁ ଭାଙ୍ଗି ୯୧,୦୦୦ ବୁଥ କରାଯିବ। ପୌରାଞ୍ଚଳରେ ୬,୦୦୦ ବୁଥ ରହିବା ସହ ଆବଶ୍ୟକ ପଡ଼ିଲେ ଅଧିକ ବୁଥ କରାଯିବ। ସହରାଞ୍ଚଳରେ ଇଭିଏମ ଏବଂ ଗ୍ରାମାଞ୍ଚଳରେ ବାଲାଟରେ ନିର୍ବାଚନ ହେବ।

ଡୋର ଟୁ ଡୋର ସର୍ଭେ ଟିମରେ ବୁଥ ସ୍ତରୀୟ ଅଧିକାରୀ (BLO), ଅଙ୍ଗନୱାଡ଼ି କର୍ମୀ (AWW), ଜଳସାଥୀ, ସ୍ୱଚ୍ଛସାଥୀ ଏବଂ ଆଶା କର୍ମୀ ଘରକୁ ଘର ବୁଲିବେ। PEO, ବୁଥ ସ୍ତରୀୟ ଅଧିକାରୀଙ୍କ ସୁପରଭାଇଜର, ସହାୟକ ନିର୍ବାଚକ ପଞ୍ଜିକରଣ ଅଧିକାରୀ (AEROs) ଏବଂ ନିର୍ବାଚକ ପଞ୍ଜିକରଣ ଅଧିକାରୀ (EROs) ସମ୍ପୂର୍ଣ୍ଣ ପ୍ରକ୍ରିୟାର ତଦାରଖ କରିବେ।

ସର୍ଭେ ସମୟରେ ଭୋଟରମାନେ ପୂର୍ବରୁ ବାଦ ପଡ଼ିଥିଲେ ଯୋଡ଼ି ହୋଇପାରିବେ ଏବଂ ଅଯୋଗ୍ୟ ଭୋଟରଙ୍କୁ ବାଦ ଦିଆଯାଇପାରିବ। ନାମ ଯୋଡ଼ିବା ଓ ସଂଶୋଧନ ପାଇଁ ଦାବୀ ଫର୍ମ ନମ୍ବର ୧୬ ଏବଂ ନାମ ବାଦ ଦେବା ପାଇଁ ଆପତ୍ତି ଫର୍ମ ୧୭ ଦାଖଲ କରିବାକୁ ପଡ଼ିବ। ନୂଆ ଭୋଟର ତାଲିକା ଅନୁସାରେ ଗୋଟିଏ ପରିବାରର ସମସ୍ତ ଭୋଟର ଗୋଟିଏ ବୁଥରେ ହିଁ ଭୋଟ ଦେବେ।

ରାଜ୍ୟ ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ, କେନ୍ଦ୍ର ସରକାରଙ୍କ ୨୦୨୫ ଭୋଟର ଲିଷ୍ଟ ଅନୁଯାୟୀ ୩୦ଟି ଜିଲ୍ଲାରେ କରାଯାଇଥିବା ପାଇଲଟ ସର୍ଭେରେ ଜଣାପଡ଼ିଥିଲା ଯେ ପ୍ରାୟ ୭.୬୧% ଭୋଟର ମୃତ୍ୟୁ କିମ୍ବା ସ୍ଥାନାନ୍ତର ସତ୍ତ୍ୱେ ଏସଆଇଆରରେ ଭୋଟର ତାଲିକାରେ ଅଛନ୍ତି ଏବଂ ପ୍ରାୟ ୪.୮୭% ଯୋଗ୍ୟ ଭୋଟର ବାଦ ପଡ଼ିଛନ୍ତି। ତେଣୁ ନୂଆ ସର୍ଭେ ସମୟରେ ତାହାକୁ ସଂଶୋଧନ କରାଯିବ।

ଜାନୁଆରୀରେ ଡ୍ରାଫ୍ଟ ତାଲିକା ପ୍ରକାଶ ପାଇବ। ତାପରେ ଆପତ୍ତି ଅଭିଯୋଗ ପାଇଁ ୨୦ ଦିନ ସମୟ ଦିଆଯିବ। ଫେବୃଆରୀ ୧୦ ସୁଦ୍ଧା ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ଲକ୍ଷ୍ୟ ରଖାଯାଇଥିବା ବେଳେ ନିର୍ଦ୍ଧାରିତ ସମୟରେ ପଞ୍ଚାୟତ ନିର୍ବାଚନ ହୋଇପାରେ ବୋଲି କମିଶନ କହିଛନ୍ତି।

Leave a Reply

Your email address will not be published. Required fields are marked *