ଦୁର୍ଗାପୂଜା ଓ ରାବଣପୋଡ଼ି ପାଇଁ ବାଲେଶ୍ୱରରେ ପାର୍କିଂ ବ୍ୟବସ୍ଥା ଘୋଷଣା
ବାଲେଶ୍ବର (ସଂକେତ ଟିଭି): ବାଲେଶ୍ୱର ସହରରେ ଆସନ୍ତା ୧୬ ଅକ୍ଟୋବରରୁ ୨୧ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ଦୁର୍ଗାପୂଜା ଉତ୍ସବ ପାଳନ ହେବାକୁ ଥିବାବେଳେ ୨୨ ଅକ୍ଟୋବରରେ ମା’ ଦୁର୍ଗାଙ୍କ ବିସର୍ଜନ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଏହି ଅବସରରେ ସହରରେ ଟ୍ରାଫିକ୍ ନିୟନ୍ତ୍ରଣ ଓ ଜନସାଧାରଣଙ୍କ ଯାତାୟାତକୁ ସୁବ୍ୟବସ୍ଥିତ କରିବା ନିମନ୍ତେ ବାଲେଶ୍ୱର ପୁଲିସ ପ୍ରଶାସନ ପକ୍ଷରୁ ଗାଡ଼ି ପାର୍କିଂ ପାଇଁ ସ୍ଥାନ ନିର୍ଦ୍ଧାରଣ କରାଯାଇଛି।
୧୬ ଅକ୍ଟୋବରରୁ ୨୨ ଅକ୍ଟୋବର ପର୍ଯ୍ୟନ୍ତ ଅପରାହ୍ନ ୨.୦୦ ଘଟିକାରୁ ଭିଡ଼ ନିୟନ୍ତ୍ରଣ ଶେଷ ହେବା ପର୍ଯ୍ୟନ୍ତ ନିମ୍ନଲିଖିତ ସ୍ଥାନଗୁଡ଼ିକରେ ଗାଡ଼ି ପାର୍କିଂ କରାଯାଇପାରିବ — ଆରଟିଓ କାର୍ଯ୍ୟାଳୟ ପରିସର, ପୁରୁଣା ଷ୍ଟାଡିୟମ୍, ଡିଏଚଏଚ୍ ସମ୍ମୁଖସ୍ଥ ମୋର୍ ମଲ୍ କମ୍ପ୍ଲେକ୍ସ, ମିଶନ ହାଇସ୍କୁଲ ପଡ଼ିଆ, ସିଦ୍ଧି କଲ୍ୟାଣ ମଣ୍ଡପ-୧ ଓ ୨, ଏଫ୍.ଏମ୍. କଲେଜ ପଡ଼ିଆ, କୋର୍ଟ ପରିସର, ବିଏସ୍ଏନ୍ଏଲ୍/ଡାକଘର ପରିସର, ବାଲେଶ୍ୱର ଭଦ୍ରକ ସମବାୟ ବ୍ୟାଙ୍କ, ଏଫ୍.ଏମ୍. ଗୋଲେଇ ଏବଂ ଆଇଟିଆଇ ପଡ଼ିଆ।
୨୦ ଅକ୍ଟୋବରରେ ରାବଣପୋଡ଼ି ଉତ୍ସବ ଅବସରରେ ଅପରାହ୍ନ ୪.୦୦ ଘଟିକାରୁ ରାତି ୧୧.୦୦ ଘଟିକା ପର୍ଯ୍ୟନ୍ତ ନିମ୍ନଲିଖିତ ସ୍ଥାନଗୁଡ଼ିକରେ ଗାଡ଼ି ପାର୍କିଂ କରାଯାଇପାରିବ — ଶିଳ୍ପାଞ୍ଚଳ ପରିସର (ସମ୍ବାଦ କାର୍ଯ୍ୟାଳୟ ଛକ ଦେଇ), ଆଇଟିଆଇ ହାଇସ୍କୁଲ ପରିସର, ଆରଟିଓ କାର୍ଯ୍ୟାଳୟ ପରିସର, ଆଇଟିଆଇ ହାଇସ୍କୁଲ ନିକଟସ୍ଥ ଏସ୍ବିଆଇ ଏଟିଏମ୍ ଲେନ, ସରକାରୀ ଆଇଟିଆଇ ପରିସର ଏବଂ ଆୟକର କାର୍ଯ୍ୟାଳୟ ପରିସର।
ଏହି ପାର୍କିଂ ବ୍ୟବସ୍ଥାକୁ ଅନୁସରଣ କରିବା ସହ ପୁଲିସ ପ୍ରଶାସନକୁ ସହଯୋଗ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।
