FeaturedGeneralLatest

ଏସଆଇଆର ବିବାଦରେ ନିର୍ବାଚନ କମିଶନ ଓ ସିଇସିଙ୍କୁ ଜବାବ ଦେବାକୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ (ସଂକେତ ଟିଭି): ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଛି। ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ INDIA ମେଣ୍ଟର ଅନ୍ୟ ନେତାଙ୍କ ଆବେଦନ ଉପରେ ସର୍ବୋଚ୍ଚ ଅଦାଲତ ଭାରତୀୟ ନିର୍ବାଚନ କମିଶନ ଏବଂ ମୁଖ୍ୟ ନିର୍ବାଚନ କମିଶନର (CEC)ଙ୍କୁ ନୋଟିସ୍ ଜାରି କରିଛନ୍ତି।

SIR ପ୍ରକ୍ରିୟାର ବୈଧତା, ଭୋଟର ତାଲିକାରୁ ନାମ ବାଦ୍ ଦିଆଯିବା ଏବଂ ଯୋଗ୍ୟ ମତଦାତାଙ୍କ ଭୋଟଦାନ ଅଧିକାର ପ୍ରଭାବିତ ହେବାର ଆଶଙ୍କାକୁ ନେଇ ଆବେଦନକାରୀମାନେ ପ୍ରଶ୍ନ ଉଠାଇଛନ୍ତି। ଏହି ପ୍ରକ୍ରିୟାରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବାକୁ ଆବେଦନରେ ଦାବି କରାଯାଇଛି। ବିଶେଷକରି ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ନାମଗୁଡ଼ିକର ସ୍ୱାଧୀନ ଯାଞ୍ଚ ଏବଂ SIR ପ୍ରକ୍ରିୟା ଉପରେ ଅନ୍ତରୀଣ କଟକଣା ଲଗାଇବାକୁ ଆବେଦନକାରୀମାନେ ଅନୁରୋଧ କରିଛନ୍ତି।

ଶୁଣାଣି ସମୟରେ ସୁପ୍ରିମକୋର୍ଟ ଏହି ସମସ୍ତ ପ୍ରସଙ୍ଗରେ ନିର୍ବାଚନ କମିଶନ ଓ ମୁଖ୍ୟ ନିର୍ବାଚନ କମିଶନରଙ୍କ ଜବାବ ମାଗିଛନ୍ତି। ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ଓ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଦେଶର କୋଣ ଅନୁକୋଣରେ ବିରୋଧୀ ଦଳ ପକ୍ଷରୁ ପ୍ରତିବାଦ ଆନ୍ଦୋଳନ ଜାରି ରହିଛି। ଏହି ବିବାଦ ନେଇ ସୁପ୍ରିମକୋର୍ଟରେ ଆନ୍ଦୋଳନ ଓ SIRକୁ ନେଇ ମାମଲା ଦାୟର ହୋଇଛି। ଆଜି ୪ଟି ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ।

INDIA ମେଣ୍ଟର ପଦଯାତ୍ରା ବେଳେ ସୁପ୍ରିମକୋର୍ଟଙ୍କ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇବାକୁ ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଉପରେ କ୍ଷୁବ୍ଧ ସୁପ୍ରିମକୋର୍ଟ। ଜନ୍ତରମନ୍ତର ନାଁ ଧାରଣାସ୍ଥଳରୁ ହଟାଇବାକୁ ନେଇ ଦିଲ୍ଲୀ ପୋଲିସକୁ ନୋଟିସ୍ କରିଛନ୍ତି ସୁପ୍ରିମକୋର୍ଟ। ଏଥିସହ SIR ବିବାଦକୁ ନିର୍ବାଚନ ଆୟୋଗ ଓ CEC ଜ୍ଞାନେଶ କୁମାରଙ୍କୁ ମଧ୍ୟ ନୋଟିସ୍ କରାଯାଇଛି।

ଏକ ମାମଲାର ଶୁଣାଣି ବେଳେ ଆଜି (ଗୁରୁବାର) ସୁପ୍ରିମକୋର୍ଟ ରାହୁଲ ଗାନ୍ଧୀଙ୍କ ବ୍ୟବହାରକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, କିଏ ବି ନ୍ୟାୟପାଳିକାକୁ ଭୟଭୀତ କରିପାରିବ ନାହିଁ, କଣ ଘଟଣା ଘଟୁଛି ଆମେ ସବୁ ଜାଣୁ। ସିଜେଆଇ ସୂର୍ଯ୍ୟକାନ୍ତ କହିଛନ୍ତି, “କିଏ ବି ଡରେଇ ପାରିବନି, ଏହାର ଚିନ୍ତା କରନ୍ତୁ ନାହିଁ।”

ମୁଖ୍ୟ ବିଚାରପତି ଆହୁରି କହିଥିଲେ ଯେ, ଅକ୍ଟୋବର ୧୨ରେ ରାହୁଲଙ୍କ ସୁପ୍ରିମକୋର୍ଟ ପଦଯାତ୍ରା ବେଳେ ହୋଇଥିବା ଅବ୍ୟବସ୍ଥା ଉପରେ ରାହୁଲଙ୍କୁ ଜବାବ ଦେବାକୁ ପଡ଼ିବ। ସିଜେଆଇ ଆହୁରି କହିଥିଲେ, କିଏ ବି ଏପରି ପ୍ରୟାସ ଉପରେ ଧ୍ୟାନ ଦିଏ ନାହିଁ। “ସିଏ ବାହାରେ କଣ ବୟାନ ଦେଉଛନ୍ତି, ଭିତରେ କଣ ବୟାନ ଦେଉଛନ୍ତି। ଆମେ କାଳ୍ପନିକ ଦୁନିଆରେ ବସିନାହୁଁ। ଆମେ ପାଖରେ ସବୁ ଖବର ରହିଛି। ଆପଣ ଏହା ଉପରେ ଚିନ୍ତା କରନ୍ତୁ ନାହିଁ” ବୋଲି ସିଜେଆଇ ସୂର୍ଯ୍ୟକାନ୍ତ କହିଥିଲେ।

SIR ସମୟରେ ଭୋଟରଙ୍କ ନାଁକୁ ବାଦ ଦେବାକୁ ନେଇ ରାହୁଲ ଗାନ୍ଧୀଙ୍କ ସମେତ ୧୩ ବିରୋଧୀ ଦଳ ନେତାଙ୍କ ପକ୍ଷରୁ ଦାୟର ଆବେଦନ ଉପରେ ସୁପ୍ରିମକୋର୍ଟ ଜବାବ ମାଗିବା ସହ ନିର୍ବାଚନ ଆୟୋଗ ଓ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ନୋଟିସ୍ ଜାରି କରିଛନ୍ତି।

ଜନ୍ତରମନ୍ତର ନାଁକୁ ଧାରଣା ସ୍ଥଳରୁ ହଟାଇବା ଉପରେ ଦାୟର ପିଟିସନ ଉପରେ ସୁପ୍ରିମକୋର୍ଟ ଦିଲ୍ଲୀ ପୋଲିସକୁ ନୋଟିସ୍ ଜାରି କରିଛନ୍ତି। କେଉଁ ଆଧାରରେ ନିଷ୍ପତ୍ତି ନିଆଯାଇଥିଲା ଏହା ଉପରେ ବିସ୍ତୃତ ଭାବେ ଜଣାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *