FeaturedLatestNews

ସ୍କୁଲ ପାଠ୍ୟପୁସ୍ତକ ତ୍ରୁଟି ଘଟଣା: ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀ ଗିରଫ

ଭୁବନେଶ୍ୱର (ସଂକେତ ଟିଭି): ସ୍କୁଲ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଆଜି (ମଙ୍ଗଳବାର) ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ମାମଲାରେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (TE & SCERT)ର ପୂର୍ବତନ ନିର୍ଦ୍ଦେଶକ ମନୋଜ କୁମାର ପାଢ଼ୀ (୫୭)ଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରେସ୍ ରିଲିଜ୍ ଜରିଆରେ ସୂଚନା ଦିଆଯାଇଛି।

ମନୋଜଙ୍କୁ ତାଙ୍କ ବାସଭବନ ବ୍ରହ୍ମପୁର ନେହେରୁ ନଗର-୧୦ ଅଞ୍ଚଳରୁ କ୍ରାଇମବ୍ରାଞ୍ଚ ଟିମ୍ ଉଠାଇ ନେଇ ଦୀର୍ଘ ସମୟ ଧରି ପଚରାଉଚରା କରିଥିଲା। ତଦନ୍ତରେ ତାଙ୍କ ବିରୋଧରେ ପ୍ରାଥମିକ ପ୍ରମାଣ ମିଳିବା ପରେ ଭାରତୀୟ ନ୍ୟାୟ ସଂହିତା (BNS)ର ଦଫା ୩୧୬(୫), ୨୦୧, ୬୧(୨) ଏବଂ ୩(୫) ଅନୁଯାୟୀ ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରାଯାଇଥିଲା।

ଅପରାହ୍ନରେ ତାଙ୍କୁ କଟକ JMFC-3 କୋର୍ଟରେ ହାଜର କରାଯାଇଥିଲା। ସେଠାରେ ତାଙ୍କର ଜାମିନ ଆବେଦନ ନାମଞ୍ଜୁର ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

କ୍ରାଇମବ୍ରାଞ୍ଚ ତଦନ୍ତରୁ ଜଣାପଡ଼ିଛି ଯେ, ମନୋଜ SCERT ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ସମୟରେ ଏହି ଆପରାଧିକ କାର୍ଯ୍ୟ କରିଥିଲେ। ରାଷ୍ଟ୍ରୀୟ ଶିକ୍ଷା ନୀତି (NEP)-୨୦୨୦ ଅନୁଯାୟୀ ପାଠ୍ୟପୁସ୍ତକ ପ୍ରସ୍ତୁତି ପ୍ରକ୍ରିୟାର ତଦାରଖ, ସମନ୍ୱୟ, ନିରୀକ୍ଷଣ ଏବଂ ଅନୁମୋଦନର ଦାୟିତ୍ୱ ତାଙ୍କ ଉପରେ ଥିଲା। ହେଲେ ସେ ତାଙ୍କ ଦାୟିତ୍ୱ ପାଳନ କରିବାରେ ଅବହେଳା କରିଥିଲେ।

ଅଭିଯୋଗ ଅନୁଯାୟୀ, ସେ ଜାଣିଶୁଣି ମୁଦ୍ରଣ ପାଇଁ ପ୍ରସ୍ତୁତ ପାଣ୍ଡୁଲିପିଗୁଡ଼ିକୁ ଠିକ୍ ଭାବେ ଯାଞ୍ଚ ନକରି ସିଧାସଳଖ ପ୍ରକାଶନ ପାଇଁ ଅନୁମୋଦନ ଦେଇଥିଲେ। ବିଭିନ୍ନ ତଥ୍ୟ, ବୈଜ୍ଞାନିକ, ଭୌଗୋଳିକ, ଅନୁବାଦ ଏବଂ ଚିତ୍ର ବିଷୟକ ବିଷୟବସ୍ତୁକୁ ଯାଞ୍ଚ ନକରିବା ତାଙ୍କ ପକ୍ଷରୁ ଗମ୍ଭୀର ଅବହେଳା ବୋଲି ବିବେଚନା କରାଯାଇଛି।

ତାଙ୍କର ଏହି ଅବହେଳା ଫଳରେ ତ୍ରୁଟିଯୁକ୍ତ ପାଠ୍ୟପୁସ୍ତକଗୁଡ଼ିକର ପ୍ରକାଶନ ଏବଂ ବଣ୍ଟନ ହୋଇଥିଲା, ଯାହା ଦ୍ୱାରା ରାଜ୍ୟ ରାଜକୋଷକୁ ପ୍ରାୟ ୧୭୫ କୋଟି ଟଙ୍କାର କ୍ଷତି ହୋଇଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ଉଲ୍ଲେଖ କରାଯାଇଛି। ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।