FeaturedLatestNews

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପୁଣି ଆରମ୍ଭ: ୧୪ ଜୁଲାଇଠୁ ଆବେଦନ

ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶା ସରକାରଙ୍କ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କ ପାଇଁ ପୁଣି ଆରମ୍ଭ ହେଉଛି ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା। ଚଳିତ ବର୍ଷ ଜୁଲାଇ ୧୪ ତାରିଖରୁ ଏହି ଯୋଜନାର ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଅଗଷ୍ଟ ୧୪ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ପର୍ଯ୍ୟାୟରେ ୧୦୦୦ (ଏକ ହଜାର) ବରିଷ୍ଠ ନାଗରିକଙ୍କୁ ନେଇ ତୀର୍ଥଯାତ୍ରା ଆୟୋଜନ କରାଯିବ।

ଓଡ଼ିଶା ସରକାର ଏହି ଯୋଜନାକୁ ୧ ଫେବୃଆରୀ ୨୦୧୬ ମସିହାରୁ ଶୁଭାରମ୍ଭ କରିଥିଲେ। ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ବସବାସ କରୁଥିବା ବରିଷ୍ଠ ନାଗରିକମାନଙ୍କୁ ଦେଶର ବିଭିନ୍ନ ତୀର୍ଥ ସ୍ଥାନ ଭ୍ରମଣର ସୁବିଧା ଦେବା ଏହାର ମୂଳ ଲକ୍ଷ୍ୟ। ଏହି ଯୋଜନା ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଇଣ୍ଡିଆନ ରେଲୱେ କ୍ୟାଟରିଂ ଏବଂ ଟୁରିଜିମ କର୍ପୋରେସନ (IRCTC)ର ସହଯୋଗିତାରେ କାର୍ଯ୍ୟକାରୀ ହେଉଛି।

ଏହି ଯୋଜନାରେ ୬୦ରୁ ୭୫ ବର୍ଷ ବୟସ୍କ ନାଗରିକମାନଙ୍କୁ ଚୟନ କରାଯାଉଛି। ହିତାଧିକାରୀ ଚୟନ ପାଇଁ ଅନ୍ତୋଦୟ, ଅନ୍ନପୂର୍ଣ୍ଣା କାର୍ଡ, ବିଧବା ଭତ୍ତା କାର୍ଡ, ଖାଦ୍ୟସୁରକ୍ଷା ରାସନ କାର୍ଡ କିମ୍ବା ମନରେଗା କାର୍ଡ ମଧ୍ୟରୁ ଯେକୌଣସି ଗୋଟିଏ ପ୍ରମାଣପତ୍ର ଆବେଦନ ସହିତ ଦାଖଲ କରିବାକୁ ହେବ। ବରିଷ୍ଠ ଦମ୍ପତିଙ୍କ କ୍ଷେତ୍ରରେ ଯେକୌଣସି ଜଣେ ୬୦ ବର୍ଷରୁ ଉର୍ଦ୍ଧ୍ୱ ହେଲେ ଚାଲିବ। ୭୦ରୁ ୭୫ ବର୍ଷ ବୟସ୍କ ବରିଷ୍ଠ ନାଗରିକମାନେ ଯାତ୍ରା ସମୟରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ଜଣେ ସହାୟକ ନେଇପାରିବେ।

ଯୋଗ୍ୟ ବିବେଚିତ ବରିଷ୍ଠ ନାଗରିକମାନେ ସେମାନଙ୍କ ସମଗ୍ର ଜୀବନକାଳ ମଧ୍ୟରେ ଗୋଟିଏ ଥର ପାଇଁ ଏହି ଯୋଜନାରେ ଯାତ୍ରା କରିବାର ସୁଯୋଗ ପାଇବେ। ଯୋଜନାର ସମ୍ପୂର୍ଣ୍ଣ ବିବରଣୀ ପର୍ଯ୍ୟଟନ ବିଭାଗର ୱେବସାଇଟ୍ dot.odisha.gov.in ରେ ଉପଲବ୍ଧ ହେବ। ଆବେଦନକାରୀମାନେ yatra.odisha.gov.in ଲିଙ୍କ୍ ମାଧ୍ୟମରେ ଅନଲାଇନ୍ରେ ମଧ୍ୟ ଆବେଦନ କରିପାରିବେ।

ଏପର୍ଯ୍ୟନ୍ତ ଏହି ଯୋଜନା ମାଧ୍ୟମରେ ୪୫,୫୫୫ରୁ ଅଧିକ ବରିଷ୍ଠ ନାଗରିକ ୫୦ଟି ପର୍ଯ୍ୟାୟରେ ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ କରିସାରିଛନ୍ତି। ସେଗୁଡ଼ିକ ମଧ୍ୟରେ ମଦୁରାଇ, ରାମେଶ୍ୱରମ, ପ୍ରୟାଗରାଜ, ଅଯୋଧ୍ୟା, ବାରଣାସୀ, ହରିଦ୍ଵାର, ଋଷିକେଶ, ଆଜମେର, ପୁଷ୍କର, ତିରୁପତି, ଶିରିଡ଼ି, ନାସିକ, ଭେଲନକାନୀ, ଦକ୍ଷିଣେଶ୍ବର କାଳୀ (କୋଲକାତା), କାମାକ୍ଷା, ଆଗ୍ରା, ମଥୁରା ଓ ବୃନ୍ଦାବନ ଅନ୍ୟତମ।

୨୦୨୫-୨୬ ଆର୍ଥିକ ବର୍ଷରେ ୮୦୦୦ (ଆଠ ହଜାର) ବରିଷ୍ଠ ନାଗରିକ ୧୦ଟି ପର୍ଯ୍ୟାୟରେ ଅଯୋଧ୍ୟା, ବାରଣାସୀ, ଉଜ୍ଜୟିନୀ, ଓଙ୍କାରେଶ୍ବର, ରାମେଶ୍ବରମ୍ ଓ ମଦୁରାଇ ଭ୍ରମଣର ସୁଯୋଗ ପାଇଥିଲେ। ପ୍ରତିଟି ପର୍ଯ୍ୟାୟରେ ୮୦୦ ଜଣ (୭୭୫ ତୀର୍ଥଯାତ୍ରୀ ଓ ୨୫ ଜଣ ଏସ୍କର୍ଟ ଅଫିସର) ଯାତ୍ରା କରିଥାନ୍ତି।

ତୀର୍ଥଯାତ୍ରୀ ଚୟନ କ୍ଷେତ୍ରରେ ସମ୍ପୃକ୍ତ ଜିଲ୍ଲାପାଳମାନେ ଜିଲ୍ଲା ପାଇଁ ନିର୍ଦ୍ଦିଷ୍ଟ କୋଟା ଅନୁଯାୟୀ ତୀର୍ଥଯାତ୍ରୀ ଚୟନ କରିଥାନ୍ତି। ଅଧିକ ଆବେଦନ ହୋଇଥିଲେ ଲଟେରୀ ମାଧ୍ୟମରେ ଚୟନ କରାଯାଏ। ଅନୁପସ୍ଥିତ ତୀର୍ଥଯାତ୍ରୀଙ୍କ ସ୍ଥାନ ପୂରଣ ପାଇଁ ୨୦ ପ୍ରତିଶତ ତୀର୍ଥଯାତ୍ରୀଙ୍କ ଏକ ପ୍ରତୀକ୍ଷା ତାଲିକା ମଧ୍ୟ ପ୍ରସ୍ତୁତ କରାଯାଏ।

ରାଜ୍ୟ ସରକାର ଏହି ଯୋଜନା ମାଧ୍ୟମରେ ତୀର୍ଥଯାତ୍ରୀମାନଙ୍କୁ ଅନେକ ସୁବିଧା ପ୍ରଦାନ କରିଥାନ୍ତି। ନିଜ ଗ୍ରାମରୁ ସମ୍ପୃକ୍ତ ରେଳ ଷ୍ଟେସନକୁ ଯିବା ଓ ଫେରିବା ପାଇଁ ପରିବହନ ବ୍ୟବସ୍ଥା ମିଳିବ। IRCTC ଦ୍ଵାରା ଯାତ୍ରା ସମୟରେ ସମସ୍ତ ତୀର୍ଥଯାତ୍ରୀଙ୍କ ରହିବା, ଯିବା-ଆସିବା ଓ ଖାଦ୍ୟପାନୀୟର ବ୍ୟବସ୍ଥା କରାଯିବ। ଏହାସହ IRCTC ପକ୍ଷରୁ ଗସ୍ତ ଜଗୁଆଳୀ, ପଥପ୍ରଦର୍ଶକ, ଯାତ୍ରୀବୀମା ଓ ଚିକିତ୍ସା ସୁବିଧା ମଧ୍ୟ ଯୋଗାଇ ଦିଆଯିବ।

ଆଗାମୀ ଯାତ୍ରା ପାଇଁ ଆବେଦନ କରିବାର ଶେଷ ସମୟ ସୀମା ୧୪ ଅଗଷ୍ଟ ୨୦୨୬ ବୋଲି ଘୋଷଣା କରାଯାଇଛି।