FeaturedLatestNews

୭ଟି ପ୍ରକଳ୍ପ ମଞ୍ଜୁରୀ କଲା କେନ୍ଦ୍ର କ୍ୟାବିନେଟ୍

ନୂଆଦିଲ୍ଲୀ(ସଂକେତ ଟିଭି): କେନ୍ଦ୍ର କ୍ୟାବିନେଟ୍ ବୁଧବାର ୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ମଞ୍ଜୁରି ଦେଇଛି। ଏଥିମଧ୍ୟରେ ଓଡ଼ିଶା ଏବଂ ଝାଡ଼ଖଣ୍ଡ ସହ ଜଡ଼ିତ ରେଳ ପ୍ରକଳ୍ପ ସାମିଲ ରହିଛି। ମୋଟ ୨.୧୯ ଲକ୍ଷ କୋଟି ଟଙ୍କା ମୂଲ୍ୟର ଏହି ବୃହତ୍ ପ୍ୟାକେଜରେ ରେଳ, ଶିଳ୍ପ ଏବଂ ଭିତ୍ତିଭୂମି ବିକାଶ ପ୍ରକଳ୍ପ ସ୍ଥାନ ପାଇଛି।

କେନ୍ଦ୍ର କ୍ୟାବିନେଟ୍ ଓଡ଼ିଶା ପାଇଁ ଦୁଇଟି ବଡ଼ ରେଳ ପ୍ରକଳ୍ପକୁ ହରି ଦେଇଛି। ପାରାଦୀପ – ହରିଦାସପୁର ରେଳ ଲାଇନର ଦୋହରୀକରଣ ଏବଂ ରାଜଖରସ୍ୱାନ – ଡାଙ୍ଗୋପୋସି ମଧ୍ୟରେ ଚତୁର୍ଥ ଲେନ୍ ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି। ଏହି ଦୁଇ ପ୍ରକଳ୍ପର ମୋଟ ମୂଲ୍ୟ ପ୍ରାୟ ୩,୯୦୭ କୋଟି ଟଙ୍କା।

ଓଡ଼ିଶା ଏବଂ ଝାଡ଼ଖଣ୍ଡର ୪ଟି ଜିଲ୍ଲାକୁ କଭର କରୁଥିବା ଏହି ପ୍ରକଳ୍ପ ଭାରତୀୟ ରେଳବାଇ ନେଟୱାର୍କକୁ ପ୍ରାୟ ୧୪୫ କିଲୋମିଟର ବୃଦ୍ଧି କରିବ। ଏହା ଲୋକ, ସାମଗ୍ରୀ ଏବଂ ସେବାର ପରିବହନ ପାଇଁ ସୁଗମ ସଂଯୋଗ ପ୍ରଦାନ କରିବ।

ପ୍ରସ୍ତାବିତ ମଲ୍ଟି-ଟ୍ରାକିଂ ପ୍ରକଳ୍ପ ପ୍ରାୟ ୧୪ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ୧୫୨୬ ଗ୍ରାମକୁ ସଂଯୋଗୀକରଣ ବୃଦ୍ଧି କରିବ। ଏହି କ୍ଷମତା ବୃଦ୍ଧି ଦ୍ୱାରା ଦେଶର ଅନେକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ସହିତ ରେଳ ସଂଯୋଗରେ ଉନ୍ନତି ଆସିବ।

ଏହି ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀ-ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନରେ ଯୋଜନା କରାଯାଇଛି। ଏହା ମାଧ୍ୟମରେ ଦେଶର ଭିତ୍ତିଭୂମି ବିକାଶକୁ ଅଧିକ ଗତିଶୀଳ କରାଯିବ।

ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, “ସାତଟି ପ୍ରମୁଖ ନିଷ୍ପତ୍ତି ମୁଁ ଆପଣଙ୍କ ସମ୍ମୁଖରେ ଉପସ୍ଥାପନ କରୁଛି। ପ୍ରଥମ ଦୁଇଟି ନିଷ୍ପତ୍ତି ବାରାଣସୀରେ ଭିତ୍ତିଭୂମି ବିକାଶ ସହ ଜଡ଼ିତ। ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ନିଷ୍ପତ୍ତି ସେମିକନ୍ ୨.୦ ମିଶନ ସହ ଜଡ଼ିତ।”

ସେ ଆହୁରି କହିଛନ୍ତି, “ଏହି ଅନୁମୋଦନଗୁଡ଼ିକ ପ୍ରାୟ ୨.୧୯ ଲକ୍ଷ କୋଟି ଟଙ୍କାର ସାତଟି କ୍ୟାବିନେଟ୍ ନିଷ୍ପତ୍ତିର ବୃହତ୍ ପ୍ୟାକେଜର ଅଂଶ। ଏଥିରେ ବାରାଣସୀ ଭିତ୍ତିଭୂମି ପ୍ରକଳ୍ପ, ୟୁରିଆ ପାଇଁ ନୂତନ ଜାତୀୟ ନିବେଶ ନୀତି-୨୦୨୬, ପାରାଦୀପ-ହରିଦାସପୁର ଦୋହରୀକରଣ ଏବଂ ଡାଙ୍ଗୋଆପୋସି-ରାଜଖରସାୱାନ ଚତୁର୍ଥ ଲାଇନ୍ ଅନ୍ତର୍ଭୁକ୍ତ।”

ଏହି ସମସ୍ତ ଘୋଷଣା ବିଭିନ୍ନ କ୍ଷେତ୍ରରେ ଉତ୍ପାଦନ, ଭିତ୍ତିଭୂମି ଏବଂ ଶିଳ୍ପ ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରିବା ପାଇଁ ଲକ୍ଷ୍ୟ ରଖିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *