ନିଖୋଜ ଫାଇଲ୍ ମାମଲା : ପୋଲିସକୁ ପୂର୍ଣ୍ଣ ସହଯୋଗ ପାଇଁ ପ୍ରସ୍ତୁତ ଭି.କେ. ପାଣ୍ଡିଆନ୍
ଭୁବନେଶ୍ୱର (ସଂକେତ ଟିଭି): ନିଖୋଜ ଫାଇଲ୍ ମାମଲାରେ ପୋଲିସ ତଦନ୍ତ ପାଇଁ ପୂର୍ବତନ ପ୍ରଶାସକ ଭି.କେ. ପାଣ୍ଡିଆନ୍ ପୂର୍ଣ୍ଣ ସହଯୋଗ କରିବାକୁ ପ୍ରସ୍ତୁତ ଥିବା ଜଣାଇଛନ୍ତି। ଏହି ମାମଲାରେ ଜୁଲାଇ ୨୫ ତାରିଖରେ ହାଜର ହେବାକୁ ପୋଲିସ ପକ୍ଷରୁ ତାଙ୍କୁ କୁହାଯାଇଥିଲା। ଏହାପରେ ସେ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ନିଜର ମୌଖିକ ସମ୍ମତି ଦେଇଛନ୍ତି।
ବର୍ତ୍ତମାନ ଶ୍ରୀ ପାଣ୍ଡିଆନ୍ ବୃତ୍ତିଗତ କାର୍ଯ୍ୟ ସୂତ୍ରରେ ବିଦେଶରେ ରହିଥିବା ବେଳେ ପୋଲିସର ଯୋଗାଯୋଗ ପାଇବା ମାତ୍ରକେ ସେ ତୁରନ୍ତ ଉତ୍ତର ଦେଇଥିବା ଜଣାପଡ଼ିଛି। ସେ ନିଜର ଭାରତ ଫେରିବା କାର୍ଯ୍ୟସୂଚୀ ସମ୍ପର୍କରେ ମଧ୍ୟ ପୋଲିସକୁ ଅବଗତ କରାଇଛନ୍ତି। ସୂଚନା ଅନୁଯାୟୀ, ସେ ଅଗଷ୍ଟ ୧୨ ତାରିଖରେ ଭାରତ ଫେରିବେ ଏବଂ ଫେରିବା ପରେ ତୁରନ୍ତ ତଦନ୍ତରେ ପୋଲିସକୁ ସହଯୋଗ କରିପାରିବେ ବୋଲି ତାଙ୍କ ପକ୍ଷରୁ କୁହାଯାଇଛି।
ତେବେ ଯଦି ମାମଲାଟି ଅତ୍ୟନ୍ତ ଜରୁରୀ ହୋଇଥାଏ, ତେବେ ସେ ଭାରତ ଫେରିବା ପର୍ଯ୍ୟନ୍ତ ଅପେକ୍ଷା ନକରି ଭିଡିଓ କନଫରେନ୍ସିଂ (ଭିସି) ମାଧ୍ୟମରେ ମଧ୍ୟ ତଦନ୍ତରେ ସାମିଲ ହେବାକୁ ପ୍ରସ୍ତୁତ ଅଛନ୍ତି। ପୋଲିସର ସୁବିଧା ଅନୁଯାୟୀ ସମୟ ଧାର୍ଯ୍ୟ କରାଗଲେ ସେ ଭିସି ମାଧ୍ୟମରେ ଉପଲବ୍ଧ ହେବେ ବୋଲି ନିଜେ ଜଣାଇଛନ୍ତି।
