FeaturedLatestNews

ମହାପ୍ରଭୁ ଜଗନ୍ନାଥ ଆନିମେଟେଡ୍ ଚଳଚ୍ଚିତ୍ର ଉପରେ ରୋକ ଲଗାଇବାକୁ ମନା କଲେ ହାଇକୋର୍ଟ

ଭୁବନେଶ୍ୱର (ସଂକେତ ଟିଭି): ଭଗବାନ ଜଗନ୍ନାଥଙ୍କ ଜୀବନୀ ଉପରେ ଆଧାରିତ ‘ମହାପ୍ରଭୁ ଜଗନ୍ନାଥ’ ଆନିମେଟେଡ୍ ଚଳଚ୍ଚିତ୍ରର ମୁକ୍ତି ଉପରେ କୌଣସି ପ୍ରକାର ନିଷେଧାଦେଶ ଲାଗୁ କରିବାକୁ ସୁପ୍ରିମକୋର୍ଟ ଆଜି ମନା କରି ଦେଇଛନ୍ତି। ପୂର୍ବରୁ ଏହି ଫିଲ୍ମ ପ୍ରଦର୍ଶନକୁ ନେଇ ଉଠିଥିବା ବିବାଦ ଓ ଜାରି ହୋଇଥିବା ଆଦେଶକୁ ଖଣ୍ଡନ କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ରଥଯାତ୍ରା ଶେଷ ହେବା ପରେ ଏହି ଚଳଚ୍ଚିତ୍ର ପ୍ରଦର୍ଶିତ ହେବାରେ କୌଣସି ଅସୁବିଧା ନାହିଁ।

ବିଚାରପତି ବି.ଭି. ନାଗରତ୍ନା ଏବଂ ବିଚାରପତି ଆର୍. ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଚଳଚ୍ଚିତ୍ର ଉପରେ ରୋକ ଲଗାଇବା ପାଇଁ ଦାଖଲ ହୋଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି। ଶୁଣାଣି ବେଳେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଯୁକ୍ତି କରାଯାଇଥିଲା ଯେ, ଭଗବାନ ଜଗନ୍ନାଥଙ୍କୁ ‘କାର୍ଟୁନ’ ବା ଆନିମେଟେଡ୍ ରୂପରେ ଦେଖାଇବା ଭକ୍ତଙ୍କ ଧାର୍ମିକ ଭାବନାକୁ ଆଘାତ ଦେଉଛି। ଏହାସହ ନିର୍ମାତା ପୂର୍ବରୁ କେତେକ ଆପତ୍ତିଜନକ ଦୃଶ୍ୟ ପରିବର୍ତ୍ତନ କରିବେ ବୋଲି ଦେଇଥିବା ପ୍ରତିଶ୍ରୁତି ପାଳନ କରିନଥିବା ଅଭିଯୋଗ ମଧ୍ୟ କରାଯାଇଥିଲା।

ଅବଶ୍ୟ, ଏହି ସମସ୍ତ ଯୁକ୍ତିକୁ ଖାରଜ କରି ସୁପ୍ରିମକୋର୍ଟ ମୌଖିକ ଭାବେ କହିଛନ୍ତି ଯେ, କେବଳ କିଛି ଲୋକଙ୍କ ସମ୍ବେଦନଶୀଳତାକୁ ଆଧାର କରି କଳା ଓ ସୃଜନଶୀଳତା ଉପରେ ରୋକ ଲଗାଯାଇ ପାରିବ ନାହିଁ। ଯଦି ଏପରି ହୁଏ, ତେବେ ରାମାୟଣ, ମହାଭାରତ ଭଳି ମହାକାବ୍ୟ ଉପରେ ଆଧାରିତ ସମସ୍ତ ଚିତ୍ର, ଟେଲିଭିଜନ ଧାରାବାହିକ, ସାହିତ୍ୟ ଏବଂ କଳାକୃତିକୁ ମଧ୍ୟ ବନ୍ଦ କରିବାକୁ ପଡ଼ିବ – ଯାହା ସମ୍ଭବପର ନୁହେଁ।

ବିଚାରପତି ନାଗରତ୍ନା ଆହୁରି ମଧ୍ୟ କହିଥିଲେ ଯେ, ଆନିମେସନ ଚଳଚ୍ଚିତ୍ର ମୁଖ୍ୟତଃ ଶିଶୁମାନଙ୍କ ପାଇଁ ନିର୍ମିତ ହୋଇଥାଏ ଏବଂ ଏପରି ସୃଜନାତ୍ମକ କାର୍ଯ୍ୟ ପୂର୍ବରୁ ନିର୍ମାତାମାନେ ବ୍ୟାପକ ଗବେଷଣା କରିଥାନ୍ତି। ତେଣୁ ଅଳ୍ପ କିଛି ଲୋକଙ୍କ ଆପତ୍ତି ଆଧାରରେ କଳାକାରଙ୍କ ସୃଜନଶୀଳତାକୁ ବନ୍ଦୀ କରାଯାଇ ପାରିବ ନାହିଁ ବୋଲି ସେ ସ୍ପଷ୍ଟ ମତ ରଖିଥିଲେ।

ଅନ୍ୟପକ୍ଷରେ, ନିର୍ମାତା ସଂସ୍ଥା ପକ୍ଷରୁ ବରିଷ୍ଠ ଆଇନଜୀବୀ ଦେବଦତ୍ତ କାମତ କୋର୍ଟଙ୍କୁ ଜଣାଇଥିଲେ ଯେ, କୌଣସି ଦୃଶ୍ୟ ପରିବର୍ତ୍ତନ କରିବା ପାଇଁ କୌଣସି ପ୍ରକାର ପ୍ରତିଶ୍ରୁତି ଦିଆଯାଇ ନଥିଲା। ତେବେ ଶ୍ରୀ କାମତ ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ, ଯଦି କୌଣସି ନିର୍ଦ୍ଦିଷ୍ଟ ଦୃଶ୍ୟ ବିଷୟରେ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଏ, ତେବେ ନିର୍ମାତା ସ୍ୱେଚ୍ଛାରେ ସେଥିରେ ପରିବର୍ତ୍ତନ ଆଣିପାରିବେ।

ଶେଷରେ ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରି କହିଛନ୍ତି ଯେ, ନିର୍ମାତା ନିଜ ବିବେକ ଅନୁସାରେ ଆବଶ୍ୟକ ପରିବର୍ତ୍ତନ କରିପାରିବେ, କିନ୍ତୁ ଏହାର ବିଚାର ବିବେଚନା କରିବାକୁ କୋର୍ଟ ବସିବେ ନାହିଁ। ଏଥିସହ ଜୁଲାଇ ୧୭ରେ ନିମ୍ନ ଅଦାଲତ ଦେଇଥିବା ପୂର୍ବବର୍ତ୍ତୀ ଆଦେଶକୁ ମଧ୍ୟ ସୁପ୍ରିମକୋର୍ଟ ବଳବତ୍ତର ରଖିଛନ୍ତି, ଯେଉଁଥିରେ ରଥଯାତ୍ରା ଶେଷ ପରେ ଫିଲ୍ମ ମୁକ୍ତି ପାଇବାକୁ ଅନୁମତି ଦିଆଯାଇଥିଲା।