୧୦ ମାସ ପରେ ଜାମିନରେ ମୁକୁଳିଲେ ବିକ୍ରମ ପଣ୍ଡା
ବ୍ରହ୍ମପୁର(ସଂକେତ ଟିଭି): ବହୁ ଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ମାମଲାରେ ଦୀର୍ଘ ୧୦ ମାସ ବ୍ୟବଧାନ ପରେ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ଜାମିନରେ ମୁକୁଳିଛନ୍ତି ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା। ଗତକାଲି ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସସର୍ତ୍ତ ଜାମିନ୍ ପାଇବା ପରେ ସେ ଜେଲ୍ ଗେଟ୍ ବାହାରକୁ ଆସିଥିଲେ। ଏହି ସମୟରେ କାରାଗାର ବାହାରେ ଶହ ଶହ ସମର୍ଥକ ଓ ଶୁଭେଚ୍ଛୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ।
ଜେଲ୍ରୁ ମୁକ୍ତ ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିକ୍ରମ ପଣ୍ଡା କହିଛନ୍ତି, “ମୋ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅପାର କୃପା ରହିଛି। ମୁଁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ। ମୋତେ ରାଜନୈତିକ ଆକ୍ରୋଶ ରଖି ଚକ୍ରାନ୍ତପୂର୍ବକ ଫସାଯାଇଥିଲା ଏବଂ ଅନ୍ୟାୟ ଭାବେ ଜେଲ୍ ପଠାଯାଇଥିଲା। ତେବେ ସତ୍ୟର ସଦାବେଳେ ଜୟ ହୁଏ।”
ଏହାସହ ସେ ଗଞ୍ଜାମ ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ, ଗଞ୍ଜାମ ଜନସାଧାରଣଙ୍କ ଭଲପାଇବା ଓ ଆଶୀର୍ବାଦ ସଦାସର୍ବଦା ତାଙ୍କ ସହିତ ରହିଛି। ସେମାନଙ୍କ ସ୍ନେହ ଏବଂ ବିଶ୍ୱାସ ହିଁ ତାଙ୍କର ସବୁଠାରୁ ବଡ଼ ବଳ ବୋଲି ସେ ଉଲ୍ଲେଖ କରିଛନ୍ତି।
ସୂଚନାଯୋଗ୍ୟ, ବିଜେପି ନେତା ତଥା ବ୍ରହ୍ମପୁରର ଆଇନଜୀବୀ ଓ ଓଡ଼ିଶା ରାଜ୍ୟ ବାର୍ କାଉନ୍ସିଲ୍ ସଦସ୍ୟ ପୀତବାସ ପଣ୍ଡାଙ୍କ ହତ୍ୟାକାଣ୍ଡ ଏକ ହାଇପ୍ରୋଫାଇଲ୍ ମାମଲା। ୨୦୨୫ ଅକ୍ଟୋବର ୬ ତାରିଖ ରାତି ପ୍ରାୟ ୯:୪୦ ରୁ ୧୦:୦୦ ମଧ୍ୟରେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବ୍ରହ୍ମାନଗର ଅଞ୍ଚଳରେ ଥିବା ତାଙ୍କ ବାସଭବନ ନିକଟରେ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଥିଲେ।
ପୋଲିସ ତଦନ୍ତରେ ୧୬ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରି ୧୨ ଜଣଙ୍କୁ ଗିରଫ କରିଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ ଏହି ହତ୍ୟାକାଣ୍ଡ ପଛରେ ବ୍ୟବସାୟିକ, ରାଜନୈତିକ ଏବଂ ବ୍ୟକ୍ତିଗତ ଶତ୍ରୁତା ରହିଥିଲା। ବିଜେଡିର ପୂର୍ବତନ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ମେୟର ଶିବଶଙ୍କର (ପିଣ୍ଟୁ) ଦାସ ଏବଂ କର୍ପୋରେଟର ମଳୟ ବିଷୋୟୀଙ୍କୁ ପୋଲିସ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଓ ସହଯୋଗୀ ଭାବେ ୨୦୨୫ ଅକ୍ଟୋବର ୨୨ ତାରିଖରେ ଗିରଫ କରିଥିଲା। ଗିରଫ ହେବାର ୧୦ ମାସ ପରେ ହାଇକୋର୍ଟ ତାଙ୍କୁ ସସର୍ତ୍ତ ଜାମିନ୍ ପ୍ରଦାନ କରିଛନ୍ତି।
