BusinessFeaturedLatestNews

ଓଡିଶାକୁ ନିବେଶ ଆଣିବା ପାଇଁ ସେପ୍ଟମ୍ବର ୮ରେ ୟୁଏଇ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ସଂକେତ ଟିଭି) ଓଡ଼ିଶାକୁ ଅଧିକରୁ ଅଧିକ ବିଦେଶୀ ପ୍ରତ୍ୟକ୍ଷ ନିବେଶ (FDI) ଆକୃଷ୍ଟ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଗାମୀ ସେପ୍ଟମ୍ବର ୮ ତାରିଖରେ ସଂଯୁକ୍ତ ଆରବ ଏମିରେଟ୍ (UAE) ଗସ୍ତ କରିବେ। ଏହି ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ସହ ଓଡ଼ିଶାର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଯୋଗ ଦେବେ ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ ଆଜି ସୂଚନା ଦେଇଛନ୍ତି।

ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ଦୁବାଇରେ ଆୟୋଜିତ ଏକ ବିଶେଷ ଇନଭେଷ୍ଟର୍ସ ମିଟ୍‌ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ବିଭିନ୍ନ କ୍ଷେତ୍ରର ଶିଳ୍ପପତି ଓ ନିବେଶକଙ୍କ ସହ ୱାନ୍-ଟୁ-ୱାନ୍ ଆଲୋଚନା କରିବେ। ଏହି ସମ୍ମିଳନୀ ସହିତ ଏକ ରୋଡ୍ ଶୋ ମଧ୍ୟ ଆୟୋଜନ କରାଯିବ, ଯେଉଁଠାରେ ଓଡ଼ିଶାରେ ଉପଲବ୍ଧ ନିବେଶ ସୁଯୋଗ, ଶିଳ୍ପ ଭିତ୍ତିଭୂମି ଏବଂ ରାଜ୍ୟ ସରକାରଙ୍କ ନିବେଶ ଅନୁକୂଳ ନୀତି ସମ୍ପର୍କରେ ନିବେଶକମାନଙ୍କୁ ବିସ୍ତୃତ ଭାବେ ଅବଗତ କରାଯିବ।

ଧାତୁ, ପେଟ୍ରୋକେମିକାଲ୍, ସବୁଜ ଶକ୍ତି, ଗ୍ରୀନ୍ ହାଇଡ୍ରୋଜେନ୍, ଖାଦ୍ୟ ପ୍ରକ୍ରିୟାକରଣ, ପୋଷାକ, ଇଲେକ୍ଟ୍ରୋନିକ୍ସ, ବନ୍ଦର ଓ ଲଜିଷ୍ଟିକ୍ସ ଭଳି ପ୍ରମୁଖ କ୍ଷେତ୍ରରେ ନିବେଶ ସମ୍ଭାବନା ନେଇ ଏହି ଆଲୋଚନା ଗୁରୁତ୍ୱ ପାଇବ। ନୂଆ ଶିଳ୍ପ ସ୍ଥାପନ ଦ୍ୱାରା ରାଜ୍ୟରେ ବ୍ୟାପକ ରୋଜଗାର ସୃଷ୍ଟି କରିବା ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ଶିଳ୍ପମନ୍ତ୍ରୀ ପ୍ରକାଶ କରିଛନ୍ତି।

ଏହାବ୍ୟତୀତ, ଦୁବାଇରେ ରହୁଥିବା ପ୍ରବାସୀ ଓଡ଼ିଆମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଭେଟିବେ। ସେମାନଙ୍କ ସହ ଓଡ଼ିଶାର ସାମ୍ଗ୍ରିକ ବିକାଶ, ଶିଳ୍ପ ଅବସ୍ଥାନ ଓ ନିବେଶ ସୁଯୋଗ ସମ୍ପର୍କରେ ଭାବ ବିନିମୟ କରାଯିବ ଏବଂ ପ୍ରବାସୀମାନଙ୍କୁ ରାଜ୍ୟର ଉନ୍ନୟନରେ ସାମିଲ କରିବାର ଉପାୟ ବାହାର କରାଯିବ।

ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ତଳେ ଓଡ଼ିଶା ପାଇଁ ଯେଉଁ ନିବେଶ ପ୍ରସ୍ତାବ ଆସିଛି, ତାହାକୁ ଆହୁରି ବଢ଼ାଇବା ପାଇଁ ଏହି UAE ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଶିଳ୍ପମନ୍ତ୍ରୀ ମତ ଦେଇଛନ୍ତି। ଏହି ଗସ୍ତ ମାଧ୍ୟମରେ ଅଧିକ ବିଦେଶୀ ପ୍ରତ୍ୟକ୍ଷ ନିବେଶ (FDI) ଆକୃଷ୍ଟ କରି ଓଡ଼ିଶାର ଶିଳ୍ପାୟନକୁ ତ୍ୱରାନ୍ୱିତ କରିବା ସହ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସରକାରଙ୍କ ମୂଳ ଲକ୍ଷ୍ୟ ରହିଛି।

Leave a Reply

Your email address will not be published. Required fields are marked *