ବନ୍ୟା କବଳରେ ୬ ଜିଲ୍ଲା, ୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ବନ୍ୟା ସ୍ଥିତି ଏବେ ଭୟଙ୍କର ରୂପ ଧାରଣ କରିଛି। ବିଶେଷ କରି ଉତ୍ତର ଓଡ଼ିଶାର ୬ଟି ଜିଲ୍ଲାରେ ଏହାର କରାଳ ରୂପ ଦେଖିବାକୁ ମିଳିଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୁରଭଞ୍ଜ, ଢେଙ୍କାନାଳ ଏବଂ ସମ୍ବଲପୁର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏପର୍ଯ୍ୟନ୍ତ ରାଜ୍ୟର ୨ ଲକ୍ଷ ୩୨ ହଜାର ଲୋକ ପ୍ରଭାବିତ ହୋଇଥିବାବେଳେ ୪୪ ବ୍ଲକର ୨୩୬ ପଞ୍ଚାୟତ ଏହି ବନ୍ୟାର ଶିକାର ହୋଇଛନ୍ତି। ପ୍ରାୟ ୩୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି।
ବନ୍ୟା ଯୋଗୁଁ କେନ୍ଦୁଝର ଜିଲ୍ଲାରେ ଜଣେ ଅଗ୍ନିଯୋଦ୍ଧାଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ୭୯୦୦ ହେକ୍ଟର ଚାଷ ଜମି ନଷ୍ଟ ହୋଇଥିବାବେଳେ ପ୍ରାୟ ୮୦୦ କଚା ଘର ଭାଙ୍ଗି ଯାଇଛି। ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ଏହି ୬ଟି ଜିଲ୍ଲା ବ୍ୟତୀତ ସୁନ୍ଦରଗଡ, ବରଗଡ, ଝାରସୁଗୁଡା, ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, ରାୟଗଡା, ଗଜପତି ଓ ମାଲକାନଗିରିରେ ମଧ୍ୟ ବର୍ଷା ଯୋଗୁଁ ଲୋକେ ପ୍ରଭାବିତ ହୋଇଛନ୍ତି। ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୧୬ ମିଟର ରହିଥିବାବେଳେ ଦୁଇଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି। ଆବଶ୍ୟକ ପଡ଼ିଲେ ଅଧିକ ଗେଟ ଖୋଲାଯିବ ବୋଲି ମନ୍ତ୍ରୀ ପୂଜାରୀ ସୂଚନା ଦେଇଛନ୍ତି।
ବାଲେଶ୍ୱର ଜିଲ୍ଲାର ୧୨ ବ୍ଲକର ୧୧୧ ପଞ୍ଚାୟତର ୩୭୮ ଗାଁ ବନ୍ୟାରେ ପ୍ରଭାବିତ ହୋଇଛି। ଏଠାରେ ୧,୦୯,୪୨୯ ଲୋକ ପ୍ରଭାବିତ ହୋଇଥିବାବେଳେ ୧୯,୦୮୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ୮୫ ହେକ୍ଟର ଚାଷ ଜମି ନଷ୍ଟ ହୋଇଥିବାବେଳେ ୬୫୪ ଘର ଭାଙ୍ଗିଛି। ଜିଲ୍ଲାରେ ୧୨୫ଟି ଆଶ୍ରୟସ୍ଥଳୀ ଖୋଲାଯାଇ ୧୬,୯୮୭ ଜଣଙ୍କୁ ମାଗଣା ଖାଦ୍ୟ ଯୋଗାଇ ଦିଆଯାଇଛି। ୯ଟି ଗୃହପାଳିତ ପଶୁଙ୍କ ମୃତ୍ୟୁ ରିପୋର୍ଟ ହୋଇଛି। ଉଦ୍ଧାର କାର୍ଯ୍ୟ ପାଇଁ ୪ଟି ଓଡ୍ରାଫ ଟିମ, ୧୨ଟି ଅଗ୍ନିଶମ ଟିମ ଓ ଗୋଟିଏ ଏନଡିଆରଏଫ ଟିମ ନିୟୋଜିତ ହୋଇଛନ୍ତି।
ଭଦ୍ରକ ଜିଲ୍ଲାର ୫ ବ୍ଲକର ୫୨ ପଞ୍ଚାୟତର ୨୨୦ ଗାଁ ପ୍ରଭାବିତ ହୋଇଛି। ୮୦ ହଜାର ଲୋକ ବନ୍ୟା ଘେରରେ ରହିଥିବାବେଳେ ୨୨୦ ଗାଁ ଜଳବନ୍ଦୀ ଅବସ୍ଥାରେ ରହିଛି। ୫୦୩୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ଜିଲ୍ଲାରେ ୪୧ଟି ଆଶ୍ରୟସ୍ଥଳୀ ଖୋଲାଯାଇ ୫୩୩୦ ଜଣଙ୍କୁ ମାଗଣା ଖାଦ୍ୟ ଯୋଗାଇ ଦିଆଯାଇଛି। ଏଠାରେ ମଧ୍ୟ ୯ଟି ଗୃହପାଳିତ ପଶୁଙ୍କ ମୃତ୍ୟୁ ହୋଇଛି।
ଯାଜପୁର ଜିଲ୍ଲାର ୩ ବ୍ଲକର ୨୪ ପଞ୍ଚାୟତର ୭୫ ଗାଁ ପ୍ରଭାବିତ ହୋଇଛି। ୧୧,୧୫୬ ଲୋକ ପ୍ରଭାବିତ ହୋଇଥିବାବେଳେ ୧୬୪୦ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଛି। ୪୦୭୨ ହେକ୍ଟର ଚାଷ ଜମି ନଷ୍ଟ ହୋଇଛି। ୨୦ଟି ଆଶ୍ରୟସ୍ଥଳୀରେ ୩୮୦୭ ଜଣଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଇଛି। ଉଦ୍ଧାର ପାଇଁ ୩ଟି ଓଡ୍ରାଫ, ୧୨ଟି ଅଗ୍ନିଶମ ଟିମ ଓ ଗୋଟିଏ ଏନଡିଆରଏଫ ଟିମ କାର୍ଯ୍ୟ କରୁଛନ୍ତି।
ମୟୁରଭଞ୍ଜ ଜିଲ୍ଲାର ୧୩ ବ୍ଲକର ୩୧ ପଞ୍ଚାୟତର ୩୮ ଗାଁ ପ୍ରଭାବିତ ହୋଇଛି। ୨୪୮୭ ଜଣ ପ୍ରଭାବିତ ହୋଇଥିବାବେଳେ ୧୯୧୭ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଛି। ୬ଟି ଗାଁ ଜଳବନ୍ଦୀ ରହିଛି। ୩୭୪୪ ହେକ୍ଟର ଚାଷ ଜମି ନଷ୍ଟ ହୋଇଥିବାବେଳେ ୮୭ଟି ଘର ଭାଙ୍ଗିଛି। ୨୫ଟି ଆଶ୍ରୟସ୍ଥଳୀରେ ୧୫୧୮ ଜଣଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଛି। ୪ଟି ଓଡ୍ରାଫ ଓ ୧୮ଟି ଅଗ୍ନିଶମ ଟିମ ନିୟୋଜିତ ହୋଇଛନ୍ତି।
ଢେଙ୍କାନାଳ ଜିଲ୍ଲାର ୮ ବ୍ଲକର ୧୩ଟି ପଞ୍ଚାୟତର ୩୩ ଗାଁ ପ୍ରଭାବିତ ହୋଇଛି। ୪୮ ଜଣ ଲୋକ ପ୍ରଭାବିତ ହୋଇଥିବାବେଳେ ୧୩ଟି ଘର ଭାଙ୍ଗିଛି। ୨ଟି ଅଗ୍ନିଶମ ଟିମ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।
ସମ୍ବଲପୁର ଜିଲ୍ଲାର ୩ ବ୍ଲକର ୩ ପଞ୍ଚାୟତର ୪ ଗାଁ ପ୍ରଭାବିତ ହୋଇଛି। ୮୮ ଜଣ ପ୍ରଭାବିତ ହୋଇଥିବାବେଳେ ୭ଟି ଘର ଭାଙ୍ଗିଛି। ଗୋଟିଏ ଆଶ୍ରୟସ୍ଥଳୀରେ ୭୦ ଜଣଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଇଛି। ଗୋଟିଏ ଓଡ୍ରାଫ ଟିମ ନିୟୋଜିତ ହୋଇଛି।
