FeaturedLatestNews

୬ ଜିଲ୍ଲାରେ ସମୁଦ୍ର କୂଳ ରକ୍ଷା ପାଇଁ ୨୫୦୦ କୋଟି ଟଙ୍କା ବ୍ୟୟ ଯୋଜନା

ଭୁବନେଶ୍ୱର (ସଂକେତ ଟିଭି): ଜଳବାୟୁ ପରିବର୍ତ୍ତନ ଜନିତ ପ୍ରଭାବରେ ଓଡ଼ିଶାର ୬ଟି ଉପକୂଳ ଜିଲ୍ଲାରେ ସମୁଦ୍ର କୂଳ ଲଂଘି ଚାଲିଛି, ଯାହା ରାଜ୍ୟ ସରକାରଙ୍କ ପାଇଁ ଗଭୀର ଚିନ୍ତାର କାରଣ ହୋଇଛି। ଏହି କୂଳ କ୍ଷୟକୁ ରୋକିବା ଏବଂ ଉପକୂଳବାସୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଜଳସମ୍ପଦ, ବନ, ମତ୍ସ୍ୟ ଏବଂ ରାଜସ୍ୱ ବିଭାଗର ଅଧିକାରୀମାନେ ସାମିଲ ହୋଇ ଏହି ସମସ୍ୟାର ସ୍ଥାୟୀ ସମାଧାନ ଉପରେ ଆଲୋଚନା କରିଛନ୍ତି।

ଏସିଆନ ଡେଭେଲପମେଣ୍ଟ ବ୍ୟାଙ୍କ (ADB) ର ସହଯୋଗରେ ପ୍ରାଥମିକ ତଦନ୍ତ ଶେଷ ହୋଇଛି ଏବଂ ଏକ ରିପୋର୍ଟ ପ୍ରସ୍ତୁତ ହୋଇଛି। ରିପୋର୍ଟ ଅନୁଯାୟୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଗଞ୍ଜାମ, ବାଲେଶ୍ବର, ଭଦ୍ରକ ଏବଂ ପୁରୀ ଜିଲ୍ଲାର ବିଭିନ୍ନ ତଟବର୍ତ୍ତୀ ଅଞ୍ଚଳରେ ମୃତ୍ତିକା କ୍ଷୟ ଗମ୍ଭୀର ରୂପ ଧାରଣ କରିଛି। ଏହାର ମୁକାବିଲା ପାଇଁ ପ୍ରାୟ ୨୦୦୦ରୁ ୨୫୦୦ କୋଟି ଟଙ୍କା ବ୍ୟୟ ହେବ ବୋଲି ପ୍ରାଥମିକ ଆକଳନ କରାଯାଇଛି। ଏଥିପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଅନୁଦାନ ଏବଂ ଋଣ ସହାୟତା ମଧ୍ୟ ନିଆଯିବ।

କୂଳ କ୍ଷୟ ରୋକିବା ପାଇଁ ମୁଖ୍ୟତଃ ନଦୀ ମୁହାଣ ଖୋଳା ଯିବ, ପଟୁ (ବାଲୁକା ବନ୍ଧ) ନିର୍ମାଣ କରାଯିବ ଏବଂ ଉପକୂଳରେ ବନ ସୃଷ୍ଟିକୁ ଗୁରୁତ୍ୱ ଦିଆଯିବ। ଏଥିସହ, କର୍ଣ୍ଣାଟକ ରାଜ୍ୟରେ କୂଳ କ୍ଷୟ ରୋକିବା ପାଇଁ ଗ୍ରହଣ କରାଯାଇଥିବା ସଫଳ ମଡେଲକୁ ଓଡ଼ିଶାରେ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ମଡେଲ ଅଧ୍ୟୟନ କରିବା ପାଇଁ ଓଡ଼ିଶା ପ୍ରଶାସନର ଏକ ଟିମ୍ ଶୀଘ୍ର କର୍ଣ୍ଣାଟକ ଗସ୍ତ କରିବ।

ସବୁଠାରୁ ସମ୍ବେଦନଶୀଳ ଅଞ୍ଚଳ ଭାବରେ କେନ୍ଦ୍ରାପଡ଼ାର ସାତଭାୟା, ଜଗତସିଂହପୁରର ଶିଆଳି ବିଚ୍ ଏବଂ ଗଞ୍ଜାମର ରାମେୟା ପାଟଣାକୁ ଚିହ୍ନଟ କରାଯାଇଛି। ADB ର ପ୍ରଥମ ପର୍ଯ୍ୟାୟ (ଫେଜ୍-ୱାନ) କାର୍ଯ୍ୟ ତଦାରଖ ପାଇଁ ମଧ୍ୟ ଅଧିକାରୀମାନେ କର୍ଣ୍ଣାଟକ ଯିବେ। ଉପକୂଳବାସୀଙ୍କ ନିରାପତ୍ତା ପାଇଁ ପ୍ରଶାସନ ନିକଟରେ ବାରମ୍ବାର ନିବେଦନ କରାଯାଉଥିବା ବେଳେ ଶ୍ରୀ ପୂଜାରୀ ଏହି ବିଷୟକୁ ଗୁରୁତ୍ୱର ସହ ନେଇ ଶୀଘ୍ର କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *