CrimeFeaturedLatestNews

ବୁର୍ଲାରେ ଦିନ ଦ୍ବିପ୍ରହରରେ ମାଂସ ବ୍ୟବସାୟୀଙ୍କୁ ଗୁଳିମାଡ଼, ଜଣକର ମୃତ୍ୟୁ

ସମ୍ବଲପୁର (ସଂକେତ ଟିଭି): ବୁର୍ଲା କିର୍ବା ଛକରେ ଆଜି ସକାଳେ ଏକ ଗୁଳିମାଡ଼ ଘଟଣା ଘଟିଛି। ଏହି ଘଟଣାରେ ଜଣେ ମାଂସ ବ୍ୟବସାୟୀଙ୍କର ମୃତ୍ୟୁ ହୋଇଥିବା ବେଳେ, ସମସ୍ତଙ୍କ ସାମ୍ନାରେ ୩ ରାଉଣ୍ଡ ଗୁଳି ଚଳାଇଥିଲା ଦୁର୍ବୃତ୍ତ। ଗୁଳିମାଡ଼ର ଭିଜୁଆଲ୍ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି, ଯାହା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି।

ପୋଲିସ ସୂତ୍ରରୁ ପ୍ରକାଶ, ମୃତକ ହେଲେ ମହମ୍ମଦ ଅନିସ୍, ଯିଏକି ଜଣେ ମାଂସ ବ୍ୟବସାୟୀ। ଅଭିଯୁକ୍ତ ରାଜା ସ୍ବାମୀ ଅନିସଙ୍କ ଘରେ ଭଡାରେ ରହୁଥିଲେ ଏବଂ କାମ ମଧ୍ୟ କରୁଥିଲେ। ଶନିବାର ସକାଳେ ଅନିସ୍ ଯେତେବେଳେ କିର୍ବା ଛକରେ ଥିଲେ, ସେତେବେଳେ ରାଜା ତାଙ୍କ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇଥିଲା। ଗୁଳି ଅନିସଙ୍କ ଛାତି ଓ ମୁଣ୍ଡରେ ବାଜିଥିଲା।

ଗୁରୁତର ଅବସ୍ଥାରେ ଅନିସ୍ଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା, ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବୁର୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ରାଜା ସ୍ବାମୀଙ୍କୁ ଅଟକ ରଖିଛି। ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ ଆରମ୍ଭ କରିଛନ୍ତି।

ବଜାର ମଝିରେ ଏଭଳି ଗୁଳିକାଣ୍ଡ ଘଟିବା ବୁର୍ଲାର ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠାଇଛି। ଗୁଳିମାଡ଼ର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନଥିବା ବେଳେ ପୋଲିସ ସବୁ ଦିଗରୁ ତଦନ୍ତ ଜାରି ରଖିଛି।