FeaturedLatestNews

ସୁଭଦ୍ରା ଯୋଜନାର ୫ମ କିସ୍ତି: ୧ କୋଟି ମହିଳାଙ୍କ ଖାତାକୁ ଗଲା ଟଙ୍କା

ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶା ସରକାରଙ୍କ ମହିଳା ସଶକ୍ତୀକରଣ ଯୋଜନା ‘ସୁଭଦ୍ରା’ର ପଞ୍ଚମ କିସ୍ତି ଆଜି ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସ୍ଥାନାନ୍ତରିତ ହୋଇଯାଇଛି। ରାକ୍ଷୀ ପୂର୍ଣ୍ଣିମା ଅବସରରେ ଆୟୋଜିତ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଯୋଗଦେଇ ଏହି କିସ୍ତି ପ୍ରଦାନ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ନୟାଗଡ଼ ଜିଲ୍ଲାର ଲାଠିପଡ଼ା ପଡ଼ିଆଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୧.୦୩ କୋଟିରୁ ଅଧିକ ମହିଳା ହିତାଧିକାରୀଙ୍କୁ ପଞ୍ଚମ କିସ୍ତିର ଟଙ୍କା ପ୍ରଦାନ କରାଯାଇଛି।

ପଞ୍ଚମ କିସ୍ତି ଅଧୀନରେ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କୁ ଡିବିଟି (DBT) ମାଧ୍ୟମରେ ୫,୦୦୦ ଟଙ୍କା ଲେଖାଏଁ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଇଛି। ଏହି କାର୍ଯ୍ୟକ୍ରମରେ ୨,୨୧,୦୫୪ ଜଣ ନୂତନ ହିତାଧିକାରୀ ମଧ୍ୟ ସାମିଲ ଅଛନ୍ତି, ଯେଉଁମାନେ ପ୍ରଥମ ଥର ପାଇଁ ଏହି ସହାୟତା ରାଶି ପାଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ, ମୋଟ ୫,୧୬୦ କୋଟି ଟଙ୍କାରୁ ଅଧିକ ରାଶି ହିତାଧିକାରୀଙ୍କ ଖାତାକୁ ସ୍ଥାନାନ୍ତର କରାଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡଲ୍ Xରେ କହିଛନ୍ତି ଯେ, “ମହିଳାମାନଙ୍କ ସାମଗ୍ରିକ ବିକାଶ ଓ ଆର୍ଥିକ ସ୍ୱାବଲମ୍ବନକୁ ସୁଦୃଢ଼ କରି ସେମାନଙ୍କ ଆତ୍ମବିଶ୍ୱାସକୁ ନୂଆ ଶକ୍ତି ଦିଆଯାଉଛି। ଆଜି ରାକ୍ଷୀ ପୂର୍ଣ୍ଣିମାର ଅବସରରେ ୧ କୋଟିରୁ ଅଧିକ ହିତାଧିକାରୀଙ୍କ ଖାତାକୁ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ଟଙ୍କା ଯାଇଛି। ଏହି ସହାୟତା ମହିଳାଙ୍କ ସ୍ୱାବଲମ୍ବନ ଓ ଆତ୍ମବିଶ୍ୱାସକୁ ଆହୁରି ସୁଦୃଢ଼ କରିବ।”

ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କାର୍ଯ୍ୟକ୍ରମରେ ଯୋଗଦେଇ ହିତାଧିକାରୀମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, “ନୟାଗଡ଼ରେ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ପ୍ରାୟ ୧,୦୩,୨୬,୧୬୨ ଜଣ ହିତାଧିକାରୀଙ୍କୁ ସହାୟତା ମିଳିବ। ସେମାନଙ୍କ ମଧ୍ୟରୁ ୨,୨୧,୦୫୪ ଜଣ ହିତାଧିକାରୀ ପ୍ରଥମ ଥର ପାଇଁ ଟଙ୍କା ପାଇବେ।” ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ନାରୀଶକ୍ତିଙ୍କୁ ସଶକ୍ତ କରିବା ଦିଗରେ ଏକ ଐତିହାସିକ ରେକର୍ଡ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *