FeaturedGeneralLatest

ପେଲେଟ୍ ଗନ ବ୍ୟବହାର ନେଇ ସୁପ୍ରିମକୋର୍ଟଙ୍କ କେନ୍ଦ୍ର ସରକାରଙ୍କୁ ନୋଟିସ୍

ନୂଆଦିଲ୍ଲୀ (ସଂକେତ ଟିଭି): ନିଟ୍ ପେପର ଲିକ୍ ପ୍ରସଙ୍ଗରେ ସିଜେପିର ଆନ୍ଦୋଳନ ବେଳେ ପେଲେଟ୍ ଗନ ବ୍ୟବହାରକୁ ନେଇ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଗତ ଜୁଲାଇ ୨୦ରେ ଜନ୍ତର ମନ୍ତରରେ ମୁତୟନ ହୋଇଥିବା ଆରଏଏଫଙ୍କ ଗୋଳା-ବାରୁଦ, ଅସ୍ତ୍ରଶସ୍ତ୍ର ଓ କାର୍ଯ୍ୟରେ ଥିବା ଲୋକଙ୍କ ରେକର୍ଡକୁ ସୁରକ୍ଷିତ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପେଲେଟ୍ ଗନର ବ୍ୟବହାର କିପରି ହୁଏ, ଏହାର ବ୍ୟବହାର ନେଇ ମାର୍ଗଦର୍ଶିକା (SOP) କଣ ରହିଛି, ତାହାର ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ।

ପେଲେଟ୍ ଗନ ବ୍ୟବହାର ଉପରେ ବ୍ୟାନ ଲଗାଇବାକୁ ଦାବି କରାଯାଇଥିଲା। ତେବେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହି ଦାବିରେ ସଂଶୋଧନ କରନ୍ତୁ। ଏଥିସହ ପେଲେଟ ଗନରେ ଆହତ ହୋଇଥିବା ଆନ୍ଦୋଳନକାରୀଙ୍କ ଚିକିତ୍ସା ଭଲ ଭାବରେ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ସିଜେଆଇ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ ବି. ମୋହନାଙ୍କ ଖଣ୍ଡପୀଠ ମାମଲା ଶୁଣାଣି ବେଳେ କହିଥିଲେ ଯେ, ଅଧିକ ବଳ ପ୍ରୟୋଗ ନେଇ ଅଭିଯୋଗ ରହିଛି, ତେଣୁ ପେଲେଟ୍ ଗନ ବ୍ୟବହାର ନେଇ ସ୍ପଷ୍ଟ ମାର୍ଗଦର୍ଶିକା ସ୍ଥିର ହେବା ଉଚିତ୍।

ତେବେ ଆବେଦନକାରୀଙ୍କ ଓକିଲ ବୃନ୍ଦା ଗ୍ରୋଭର ସୁପ୍ରିମକୋର୍ଟରେ ଯୁକ୍ତି ବାଢିଥିଲେ ଯେ, ଏହି ହତିଆରରୁ ଧାତୁ (ମେଟାଲିକ୍) ଭଳି ପେଲେଟ୍ ବାହାରି ଥାଏ, ଯାହା ଶରୀରରେ ଗଭୀର କ୍ଷତ କରିଥାଏ। ସେ ଆହୁରି କହିଥିଲେ ଯେ, ପେଲେଟ ଗନ ପ୍ଲାଷ୍ଟିକ ଓ ମେଟାଲିକ ହୋଇଥାଏ, କିନ୍ତୁ ଆନ୍ଦୋଳନକାରୀଙ୍କ ଉପରେ ମେଟାଲିକ୍ ପେଲେଟ୍ ବ୍ୟବହାର କରାଯାଇଥିଲା। ଏଗୁଡିକ ଛାତ୍ରଙ୍କ ଶରୀରରୁ ବାହାର କରାଯାଇଛି।

ଶୁଣାଣି ବେଳେ ଖଣ୍ଡପୀଠ କହିଥିଲେ ଯେ, ସାଧାରଣ ଲୋକଙ୍କ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପେଲେଟ ଗନ ଉପରେ ପ୍ରତିବନ୍ଧକ ଲଗାଇବା ଆବେଦନ ଅସ୍ପଷ୍ଟ ଅଟେ। ଏହାର ବ୍ୟବହାରକୁ ନେଇ ପୋଲିସ ନିୟମକୁ ଚ୍ୟାଲେଞ୍ଜ କରିବାରେ ଏହା ଅସମର୍ଥ ଅଟେ। ଗ୍ରୋଭର କହିଥିଲେ ଯେ, ଏପରି ନିୟମ ସାଧାରଣ ଭାବେ ମିଳେ ନାହିଁ। ଯେଉଁ ପର୍ଯ୍ୟନ୍ତ ଆବେଦନକାରୀ ଯାଚିକା ସଂଶୋଧନ କରିନାହାନ୍ତି, ସେ ପର୍ଯ୍ୟନ୍ତ ରେକର୍ଡକୁ ସୁରକ୍ଷିତ ରଖିବା ଅନୁରୋଧ କରିଥିଲେ ଗ୍ରୋଭର।

ଗ୍ରୋଭର ଆହୁରି କହିଥିଲେ ଯେ, ଆନ୍ଦୋଳନକାରୀଙ୍କ ବିକ୍ଷୋଭ ପ୍ରଦର୍ଶନ ହିଂସାତ୍ମକ ନଥିଲା, ତେଣୁ ମେଟାଲିକ୍ ପେଲେଟ ବ୍ୟବହାର କରିବା ଅନୁଚିତ୍ ଥିଲା। ଏହା ଉପରେ ଜଷ୍ଟିସ ଜୟମାଲ୍ୟ ବାଗଚୀ କହିଥିଲେ, କୌଣସି ଅସାଧାରଣ ପରିସ୍ଥିତି ଆସିଲେ ଏହାକୁ ଦୃଷ୍ଟିରେ ରଖି ବଳ ପ୍ରୟୋଗ ଅନୁଯାୟୀ ପେଲେଟ ଗନର ବ୍ୟବହାର ନେଇ ଅନୁମତି ଦେଇଥାଏ। ଯଦି ଆବେଦନକାରୀ ଏହି ସବୁ ନିୟମକୁ ଚ୍ୟାଲେଞ୍ଜ କରୁଛନ୍ତି, ତେବେ ଅଦାଲତଙ୍କୁ ଦେଖିବାକୁ ପଡିବ ଯେ ଏହି ମାମଲାରେ ପେଲେଟ ଗନର ବ୍ୟବହାର ନିୟମ ଅନୁଯାୟୀ ହୋଇଥିଲା କି ନାହିଁ।

ସୁପ୍ରିମକୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ, ଅଦାଲତ କୌଣସି ବିଶେଷ ଘଟଣା ଉପରେ ପେଲେଟ ଗନ ବ୍ୟବହାର ଯାଞ୍ଚ କରିବା ପାଇଁ ପ୍ରସ୍ତୁତ ଅଟନ୍ତି। ନ୍ୟାୟଧିଶ ସୂର୍ଯ୍ୟକାନ୍ତ କହିଥିଲେ ଯେ, ଅତ୍ୟଧିକ ବଳ ପ୍ରୟୋଗ ନେଇ ଅଭିଯୋଗକୁ ଦେଖି ପେଲେଟ ଗନ୍, ମେଟାଲିକ ପେଲେଟ ଗନର ବ୍ୟବହାର ନେଇ ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ ଦାବି କରାଯାଉଛି।

ଗତ ଜୁଲାଇ ୨୦ରେ ଜନ୍ତର ମନ୍ତରରେ ସିଜେପିର ସଂସଦ ମାର୍ଚ୍ଚ ବେଳେ ଅନେକ ଆନ୍ଦୋଳନକାରୀଙ୍କ ଉପରେ ପେଲେଟ ଗନ ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି। ଏଥିସହ ପୀଡିତଙ୍କ ଚିକିତ୍ସା ପାଇଁ ଦାବି କରାଯାଉଛି।