FeaturedLatestNews

ମହାନଦୀ ଜଳ ବିବାଦ: ୩ ମାସରେ ସମାଧାନ, ଦୀପାବଳିରେ ମିଳିବ ଉପହାର

ନୂଆଦିଲ୍ଲୀ (ସଂକେତ ଟିଭି): ମହାନଦୀ ଜଳ ବିବାଦର ସ୍ଥାୟୀ ସମାଧାନ ପାଇଁ ଆଶାର କିରଣ ଦେଖାଯାଇଛି। କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି. ଆର. ପାଟିଲଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ପ୍ରଥମ ଥର ପାଇଁ ମୁହାଁମୁହିଁ ହୋଇ ପ୍ରାୟ ଏକ ଘଣ୍ଟା ଧରି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି। ଏହି ବୈଠକରେ କେନ୍ଦ୍ର ଜଳଶକ୍ତି ରାଜ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ।

ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଅଧିକାର, ରାଜ୍ୟର ଜଳସମ୍ପଦର ସୁରକ୍ଷା ଏବଂ ଚାଷୀଙ୍କ ଭବିଷ୍ୟତକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଓଡ଼ିଶାର ପକ୍ଷ ଦୃଢ଼ତାର ସହ ଉପସ୍ଥାପନ କରିଥିଲେ। ସେହିପରି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ମଧ୍ୟ ନିଜ ରାଜ୍ୟର ଆବଶ୍ୟକତା ସମ୍ପର୍କରେ ଅବଗତ କରାଇଥିଲେ। ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ଉଭୟ ରାଜ୍ୟ ପାରସ୍ପରିକ ସହଯୋଗ ଓ ଆପୋଷ ଆଲୋଚନା ଜରିଆରେ ସମସ୍ୟାର ସମାଧାନ ପାଇଁ ସହମତି ପ୍ରକାଶ କରିଛନ୍ତି।

ଏହି ବିବାଦର ସମାଧାନ ପାଇଁ ଆଗାମୀ ତିନି ମାସ ପର୍ଯ୍ୟନ୍ତ କେନ୍ଦ୍ର ଜଳଶକ୍ତି ବିଭାଗ, କେନ୍ଦ୍ରୀୟ ଜଳ ଆୟୋଗ (CWC) ଏବଂ ଉଭୟ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ କ୍ରମାଗତ ଭାବେ ବୈଷୟିକ ସ୍ତରର ଆଲୋଚନା ଜାରି ରହିବ। ନଦୀଜଳର ସଠିକ୍ ବଣ୍ଟନ ଏବଂ ସୁରକ୍ଷା ଉପରେ ତଥ୍ୟ ଆଧାରିତ ସମାଧାନ ଖୋଜାଯିବ। ଦୀର୍ଘ ୧୨୬ ବର୍ଷ ଧରି ଚାଲିଆସିଥିବା ଏହି ବିବାଦରେ ଛତିଶଗଡ଼ ସରକାର ମଧ୍ୟ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ରାଜି ହୋଇଥିବା ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରାଯାଇଛି।

ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୃଢ଼ ଆଶା ପ୍ରକାଶ କରିଛନ୍ତି ଯେ, ଆସନ୍ତା ଦୀପାବଳି ପୂର୍ବରୁ ହିଁ ମହାନଦୀ ଜଳ ସଂକ୍ରାନ୍ତୀୟ ସମସ୍ତ ବିବାଦର ସମାଧାନ ହୋଇସାରିବ। ଉଭୟ ରାଜ୍ୟ ମିଳିମିଶି ଏହି ସମସ୍ୟାର ଅନ୍ତ ଘଟାଇବା ସହ ଆନନ୍ଦର ସହ ଆଗାମୀ ଦୀପାବଳି ପାଳନ କରିବେ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି। ଏପରି ହେଲେ ଦୀର୍ଘ ଦିନର ମହାନଦୀ ଜଳ ବିବାଦର ସ୍ଥାୟୀ ସମାଧାନ ଘଟିବ ଏବଂ ଉଭୟ ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଏବଂ ଲୋକଙ୍କ ଭବିଷ୍ୟତ ସୁରକ୍ଷିତ ହେବ।