CrimeFeaturedLatestNews

ବୁର୍ଲା ଭିମସାରର ଦୁଇ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ, ବହୁ ସମ୍ପତ୍ତି ଜବତ

ସମ୍ବଲପୁର(ସଂକେତ ଟିଭି): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ବୁର୍ଲାସ୍ଥିତ VIMSAR ହସ୍ପିଟାଲର ଦୁଇ ଜଣ ଅଧିକାରୀଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ବଡ଼ଧରଣର ଚଢ଼ାଉ ଆରମ୍ଭ କରାଯାଇଛି। ସ୍ୱତନ୍ତ୍ର ବିଚାରପତି (ଭିଜିଲାନ୍ସ), ସମ୍ବଲପୁରଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ଆଧାରରେ ସମ୍ବଲପୁର ଏବଂ ବରଗଡ଼ ଜିଲ୍ଲାର ମୋଟ ୦୯ ଟି ସ୍ଥାନରେ ଏକକାଳୀନ ତଲାସୀ କାର୍ଯ୍ୟ ଜାରି ରହିଛି। ଏପର୍ଯ୍ୟନ୍ତ ମୋଟ ୧୯ ଲକ୍ଷ ଟଙ୍କାର ନଗଦ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି।

VIMSARର ପ୍ରତିଷ୍ଠାନ ଅଧିକାରୀ-କମ୍-ଅଫିସ୍ ସୁପରିଣ୍ଟେଣ୍ଡେଣ୍ଟ ଧନୁର୍ଦ୍ଧର ବିଶ୍ୱାଳଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ ସମ୍ବଲପୁର ଜିଲ୍ଲାର ୦୪ ଟି ପୃଥକ ସ୍ଥାନରେ ଭିଜିଲାନ୍ସ ଟିମ୍ ଖାନତଲାସୀ କରୁଛି। ଏହି ସ୍ଥାନଗୁଡ଼ିକ ହେଲା: ସମ୍ବଲପୁର ଧନକଉଡ଼ାସ୍ଥିତ ତାଙ୍କର ଦୁଇ ମହଲା ନିଜସ୍ୱ କୋଠା, ଗୁଡେସିଙ୍ଗାରେ ଥିବା ଅନ୍ୟ ଏକ କୋଠା, VIMSAR ମେଡିକାଲ ଷ୍ଟାଫ୍ କଲୋନିରେ ଥିବା ସରକାରୀ କ୍ୱାର୍ଟର ଏବଂ ତାଙ୍କର କାର୍ଯ୍ୟାଳୟ ପ୍ରକୋଷ୍ଠ। ଏହି ଚଢ଼ାଉରେ ୦୨ ଜଣ ଡିଏସ୍‌ପି, ୦୫ ଜଣ ଇନ୍ସପେକ୍ଟର, ୦୩ ଜଣ ଏଏସ୍‌ଆଇ ଓ ଅନ୍ୟାନ୍ୟ କର୍ମଚାରୀ ଯୋଗ ଦେଇଛନ୍ତି।

ସେହିପରି, VIMSARର ସୁପରିଣ୍ଟେଣ୍ଡେଣ୍ଟ ଅଫିସ୍‌ର ପରିଚାଳକ ତଥା ଷ୍ଟେୱାର୍ଡ ଅଶ୍ୱିନୀ ମେହେରଙ୍କ ବିରୋଧରେ ମଧ୍ୟ ସମାନ ଅଭିଯୋଗରେ ସମ୍ବଲପୁର ଏବଂ ବରଗଡ଼ ଜିଲ୍ଲାର ୦୫ ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି। ତାଙ୍କର ମେଡିକାଲ ଷ୍ଟାଫ୍ କଲୋନିସ୍ଥିତ ସରକାରୀ କ୍ୱାର୍ଟର, ସୌରଭ ବିହାରରେ ନିର୍ମାଣାଧୀନ ୦୪ ମହଲା କୋଠା, ପଠାଣବନ୍ଧସ୍ଥିତ ଘର, ବରଗଡ଼ ଜିଲ୍ଲା ଗୋବିନ୍ଦପାଲିରେ ଥିବା କୋଠା ଏବଂ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଭିଜିଲାନ୍ସ ଟିମ୍ ସନ୍ଧାନ କରୁଛି। ଏହି ରେଡ୍‌ରେ ୦୫ ଜଣ ଡିଏସ୍‌ପି, ୦୫ ଜଣ ଇନ୍ସପେକ୍ଟର, ୦୩ ଜଣ ଏଏସ୍‌ଆଇ ଓ ସହାୟକ କର୍ମଚାରୀ ନିୟୋଜିତ ଅଛନ୍ତି।

ସମ୍ବଲପୁର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସଂଯୁକ୍ତା କୁଲୁଙ୍କ କହିବାନୁସାରେ, ଉଭୟ ଅଧିକାରୀଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି, ସମ୍ପର୍କିତ ଦସ୍ତାବିଜ, ବ୍ୟାଙ୍କ ନେଣଦେଣ ଏବଂ ଆର୍ଥିକ କାଗଜପତ୍ରଗୁଡ଼ିକୁ ଭିଜିଲାନ୍ସ ଟିମ୍ ଯତ୍ନର ସହ ଯାଞ୍ଚ କରୁଛନ୍ତି। ଏପର୍ଯ୍ୟନ୍ତ ଜବତ ହୋଇଥିବା ୧୯ ଲକ୍ଷ ଟଙ୍କା ବ୍ୟତୀତ ଅଧିକ ସମ୍ପତ୍ତି ମିଳିପାରେ ବୋଲି ଆଶଙ୍କା କରାଯାଉଛି। ସମସ୍ତ ସ୍ଥାନରେ ତଲାସୀ ଜାରି ରହିଛି ଓ ବିଭାଗୀୟ ତଦନ୍ତ ଆଗକୁ ବଢ଼ୁଛି।