FeaturedLatestNews

ବାଲେଶ୍ବର ବ୍ଲୁ ଲେକରେ ବୁଡି ୨ ଛାତ୍ର ନିଖୋଜ

ବାଲେଶ୍ବର (ସଂକେତ ଟିଭି): ବାଲେଶ୍ବର ଜିଲ୍ଲା ମିତ୍ରପୂର୍ ନିକଟସ୍ଥ ବ୍ଲୁ ଲେକ୍ ରେ ୨ ଜଣ ଛାତ୍ର ଅଥଳ ଜଳରେ ବୁଡ଼ି ନିଖୋଜ ହୋଇଯାଇଛନ୍ତି, ଅନ୍ୟ ଜଣେ କୌଣସି ପ୍ରକାରେ ଅଳ୍ପକେ ବଞ୍ଚି ଯାଇଛନ୍ତି। ଘଟଣାସ୍ଥଳରେ ପୋଲିସ, ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ନିଖୋଜ ଛାତ୍ରଙ୍କ ପାଇଁ ଅପରାହ୍ନ ପର୍ଯ୍ୟନ୍ତ ଖୋଜାଖୋଜି ଜାରି ରଖିଥିବା ଜଣାପଡ଼ିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି କଲେଜ ଛୁଟି ଥିବାରୁ ୩ ଜଣ ବନ୍ଧୁ ଏକ ମୋଟରସାଇକେଲରେ ପୂର୍ବାହ୍ନ ୧୦ଟା ସମୟରେ ବ୍ଲୁ ଲେକ୍ ଦେଖିବାକୁ ଆସିଥିଲେ। ଘାଟ ନିକଟରେ ଥିବା ଏକ ନିମ୍ବ ଗଛ ଉପରକୁ ଚଢ଼ି ସେଲ୍ଫି ନେଉଥିବା ବେଳେ ଦୁଇ ଜଣ ଛାତ୍ର ସନ୍ତୁଳନ ହରାଇ ଅଥଳ ପାଣିରେ ପଡ଼ିଯାଇଥିଲେ। ଘଟଣା ଦେଖି ତୃତୀୟ ଛାତ୍ର ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ସେ କୌଣସି ପ୍ରକାରେ ସୁରକ୍ଷିତ ରହିଥିଲେ।

ନିଖୋଜ ଥିବା ଦୁଇ ଛାତ୍ର ହେଲେ: ଭଦ୍ରକ ଜିଲ୍ଲା ଅପ୍ରତିବିନ୍ଧା ଗ୍ରାମର ଅଂଶୁମାନ ପାତ୍ର (୧୬) ଓ ବାରିପଦା ଅଞ୍ଚଳର ଭବିଷ୍ୟ ପାତ୍ର (୧୬)। ଉଭୟ ଫକୀର ମୋହନ କଲେଜର +୨ ବାଣିଜ୍ୟ ଶ୍ରେଣୀର ଛାତ୍ର ଥିଲେ। ଅପରପକ୍ଷରେ, ସୁରକ୍ଷିତ ରହିଥିବା ଛାତ୍ର ଜଣକ ହେଲେ କେନ୍ଦୁଝର ଜିଲ୍ଲା ଶୋଷ ଥାନା ଅନ୍ତର୍ଗତ ହାତୁରୀକଣା ଗ୍ରାମର ରୋଶନ ନାୟକ (୧୬)। ସେ ରେମୁଣା କଲେଜର +୨ ବିଜ୍ଞାନ ଛାତ୍ର ଏବଂ ବାଲେଶ୍ଵର ସହରର ଏକ ଭଡ଼ାଘରେ ରହି ପଢ଼ୁଥିଲେ।

ଖବର ପାଇ ନୀଳଗିରି ଆଇଆଇସି ଗୋବର୍ଦ୍ଧନ ନାୟକ, ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଅଥଳ ଜଳରେ ନିଖୋଜ ଛାତ୍ରଙ୍କୁ ଖୋଜିବା ପାଇଁ ଗୋଟିଏ ଟିମ୍ ଲାଗିପଡ଼ିଛି। ଏହାସହିତ, ରୋଶନଙ୍କୁ ନୀଳଗିରି ଥାନାକୁ ଆଣି ପଚରାଉଚରା କରାଯାଉଛି। ଖବର ଲେଖାଯିବା ବେଳକୁ ନିଖୋଜ ଦୁଇ ଛାତ୍ରଙ୍କ ଉଦ୍ଧାର ହୋଇପାରି ନଥିବା ବେଳେ ଉଦ୍ଧାରକାରୀ ଦଳ ତାଙ୍କ ସନ୍ଧାନରେ ଲାଗିଛି।

Leave a Reply

Your email address will not be published. Required fields are marked *