ସରକାରୀ ସେବାରେ ବିଳମ୍ବ ହେଲେ ଅଧିକାରୀଙ୍କ ଦରମାରୁ କଟିବ ଦିନକୁ ୨୫୦ ଟଙ୍କା
ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶା ସରକାର ସରକାରୀ ସେବା ପ୍ରଦାନରେ ବିଳମ୍ବ ପାଇଁ ଏକ କଠୋର ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନୂତନ ଗାଇଡଲାଇନ୍ (ଏସଓପି) ଅନୁଯାୟୀ, ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଯଦି କୌଣସି ନାଗରିକଙ୍କୁ ସରକାରୀ ସେବା ପ୍ରଦାନ କରାନଯାଏ, ତେବେ ବିଳମ୍ବ ପାଇଁ ଦାୟୀ ଅଧିକାରୀଙ୍କ ଦରମାରୁ ଦିନକୁ ୨୫୦ ଟଙ୍କା ଜରିମାନା କଟାଯିବ।
ଓଡ଼ିଶା ଜନସେବା ଅଧିକାର ଆଇନ, ୨୦୧୨ ଅଧୀନରେ ଥିବା ସମସ୍ତ ସରକାରୀ ସେବା ଯୋଗାଣ ପ୍ରକ୍ରିୟାକୁ ଅଧିକ ପାରଦର୍ଶୀ ଓ ଉତ୍ତରଦାୟୀ କରିବା ପାଇଁ ରାଜ୍ୟ ସରକାର ‘ଅଟୋ-ଅପିଲ୍ ସିଷ୍ଟମ’ (ସ୍ୱୟଂଚାଳିତ ଅପିଲ ବ୍ୟବସ୍ଥା) ଲାଗୁ କରିଛନ୍ତି। ଏହି ବ୍ୟବସ୍ଥାର ସୁପରିଚାଳନା ପାଇଁ ସାଧାରଣ ପ୍ରଶାସନ ବିଭାଗ ଏକ ‘ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର’ (ଏସଓପି) ଜାରି କରିଛି।
ନୂତନ ଏସଓପିରେ କଠୋର ଆର୍ଥିକ ଜରିମାନାର ବ୍ୟବସ୍ଥା ରଖାଯାଇଛି। କାର୍ଯ୍ୟରେ ବିଳମ୍ବ ପାଇଁ ଦାୟୀ ଅଧିକାରୀଙ୍କ ଉପରେ ଦିନକୁ ୨୫୦ ଟଙ୍କା ହିସାବରେ ସର୍ବାଧିକ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ କରାଯାଇପାରିବ। ଏହି ଜରିମାନା ଅର୍ଥକୁ ସମ୍ପୃକ୍ତ ଅଧିକାରୀଙ୍କ ଏଚଆରଏମଏସ୍ (HRMS) ଓ ଟ୍ରେଜେରୀ ସିଷ୍ଟମ ସହ ସଂଯୋଗ କରି ସିଧାସଳଖ ତାଙ୍କ ଦରମାରୁ ଆଦାୟ କରାଯିବ। ଏହି ନୂତନ ବ୍ୟବସ୍ଥା ବାବଦରେ ସମସ୍ତ ବିଭାଗକୁ ଅବଗତ କରାଯାଇଛି।
ଏହି ନୂତନ ଏସଓପି ଅନୁଯାୟୀ, ଓଡ଼ିଶା ଜନସେବା ତାଲିକାରେ ସାମିଲ ହୋଇଥିବା କୌଣସି ସେବା ପାଇଁ ଜଣେ ଆବେଦନକାରୀ ଅନଲାଇନ୍ ପୋର୍ଟାଲ ମାଧ୍ୟମରେ ଆବେଦନ କଲେ ତାଙ୍କୁ ଏକ ସ୍ୱତନ୍ତ୍ର ‘ଆକ୍ନଲେଜମେଣ୍ଟ ନମ୍ବର’ ପ୍ରଦାନ କରାଯିବ। ଯଦି ନିର୍ଦ୍ଦିଷ୍ଟ ଦାୟିତ୍ୱପ୍ରାପ୍ତ ଅଧିକାରୀ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଉକ୍ତ ଆବେଦନର ସମାଧାନ କରି ସେବା ପ୍ରଦାନ କରିବାରେ ବିଫଳ ହୁଅନ୍ତି, ତେବେ କୌଣସି ଅତିରିକ୍ତ ଆବେଦନ ବିନା ସିଷ୍ଟମ ସ୍ୱୟଂଚାଳିତ ଭାବେ ଉକ୍ତ ମାମଲାକୁ ‘ଅଟୋ-ଅପିଲ୍’ ଭାବରେ ପ୍ରଥମ ଅପିଲେଟ୍ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଇ ଦେବ।
ଯଦି କୌଣସି ସରକାରୀ ସେବା ପ୍ରଦାନରେ ବିଳମ୍ବ କିମ୍ବା ଖିଲାପ ହୁଏ, ତେବେ ଏହାର ସମ୍ପୂର୍ଣ୍ଣ ଦାୟିତ୍ୱ ସମ୍ପୃକ୍ତ ଅଧିକାରୀଙ୍କ ଉପରେ ରହିବ। ଆବେଦନକାରୀଙ୍କୁ ଆଉ ଅଫିସରୁ ଅଫିସ ଦୌଡ଼ିବାକୁ ପଡ଼ିବ ନାହିଁ କିମ୍ବା ଅଲଗା ଭାବରେ ଅପିଲ କରିବାକୁ ପଡ଼ିବ ନାହିଁ। ସିଷ୍ଟମ ନିଜେ ହିଁ ସ୍ୱୟଂଚାଳିତ ଭାବେ ଅପିଲ ପ୍ରକ୍ରିୟା ଆରମ୍ଭ କରିଦେବ, ଯାହା ପ୍ରଶାସନିକ ଉତ୍ତରଦାୟିତ୍ୱକୁ ସୁନିଶ୍ଚିତ କରିବ।
