FeaturedLatestNews

ଓଡ଼ିଶା ଲୋକଭବନକୁ ମିଳିଲା ପ୍ଲାଟିନମ୍ ଗ୍ରୀନ୍ କ୍ୟାମ୍ପସ୍ ସାର୍ଟିଫିକେସନ୍

ଭୁବନେଶ୍ୱର (ସଂକେତ ଟିଭି) ଓଡ଼ିଶା ଲୋକଭବନ ଭାରତୀୟ ଗ୍ରୀନ୍ ବିଲ୍ଡିଂ କାଉନ୍ସିଲ୍ (IGBC) ର ସମ୍ମାନଜନକ ‘ପ୍ଲାଟିନମ୍ ଗ୍ରୀନ୍ କ୍ୟାମ୍ପସ୍ ସାର୍ଟିଫିକେସନ୍’ ହାସଲ କରିଛି। ଏହି ମାନ୍ୟତା ପାଇବାରେ ଏହା ଭାରତର ପ୍ରଥମ ଲୋକଭବନ ଭାବେ ପରିଚିତ ହୋଇଛି।

IGBC ଗ୍ରୀନ୍ କ୍ୟାମ୍ପସ୍ ରେଟିଂ ବ୍ୟବସ୍ଥା ଅଧୀନରେ ମିଳିଥିବା ଏହି ସ୍ୱୀକୃତିରେ ଲୋକଭବନ କ୍ୟାମ୍ପସ୍ ୧୦୦ ମଧ୍ୟରୁ ୮୮ ଅଙ୍କ ହାସଲ କରି IGBCର ସର୍ବୋଚ୍ଚ ପ୍ଲାଟିନମ୍ ବର୍ଗରେ ସ୍ଥାନ ପାଇଛି। କ୍ୟାମ୍ପସ୍ ଯୋଜନା, ଭିତ୍ତିଭୂମି ଏବଂ ଦୈନନ୍ଦିନ କାର୍ଯ୍ୟରେ ସ୍ଥାୟୀତ୍ୱକୁ ସମନ୍ୱିତ କରିଥିବାରୁ ଏହି ସମ୍ମାନ ମିଳିଛି, ଯାହା ସ୍ଥାୟୀ ଶାସନ ଭିତ୍ତିଭୂମି ଏବଂ ଜଳବାୟୁ ପ୍ରତିକ୍ରିୟାଶୀଳ ସାର୍ବଜନୀନ ପ୍ରତିଷ୍ଠାନ ଗଠନ ପ୍ରତି ଓଡ଼ିଶାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।

ଲୋକଭବନ କ୍ୟାମ୍ପସରେ ଶକ୍ତି-ଦକ୍ଷ ପ୍ରଣାଳୀ, ନବୀକରଣୀୟ ଶକ୍ତିର ବ୍ୟବହାର, ଜଳ ସଂରକ୍ଷଣ, ଜୈବ ବିବିଧତା ସୁରକ୍ଷା, ବୈଜ୍ଞାନିକ ବର୍ଜ୍ୟବସ୍ତୁ ପରିଚାଳନା, ସ୍ଥାୟୀ ଗତିଶୀଳତା ଏବଂ ବାସିନ୍ଦାଙ୍କ କଲ୍ୟାଣ ଭଳି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ସଫଳତା ପ୍ରସଙ୍ଗରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ଖୁସି ପ୍ରକାଶ କରି କହିଛନ୍ତି ଯେ, ସେ ଚାହାନ୍ତି ଓଡ଼ିଶାର ସମସ୍ତ ବିଶ୍ୱବିଦ୍ୟାଳୟ ଗ୍ରୀନ୍ କ୍ୟାମ୍ପସ୍ ହେଉ। ହଜାର ହଜାର ଛାତ୍ରଛାତ୍ରୀ ଏହି କ୍ୟାମ୍ପସ୍ ଗୁଡ଼ିକରେ ପଢୁଛନ୍ତି, ସେମାନେ ଲୋକଭବନଦ୍ୱାରା ଅନୁପ୍ରାଣିତ ହୋଇ ଏହାକୁ ଅନୁପାଳନ କରିବେ।

ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହାକୁ ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ମତ ଦେଇଛନ୍ତି। ସେ କହିଛନ୍ତି ଯେ, ଲୋକଭବନର ଏହି ସ୍ୱୀକୃତି ଆଗାମୀ ଦିନରେ ରାଜ୍ୟରେ ନିର୍ମିତ ହେବାକୁ ଥିବା ସରକାରୀ କୋଠାବାଡ଼ି ପାଇଁ ପ୍ରେରଣା ଯୋଗାଇବ। ଭବିଷ୍ୟତରେ ନିର୍ମାଣ ହେବାକୁ ଥିବା ହସ୍ପିଟାଲ, ସ୍କୁଲ୍ ଏବଂ ଅନ୍ୟାନ୍ୟ ସରକାରୀ ଭବନଗୁଡ଼ିକରେ ଗ୍ରୀନ୍ ବିଲ୍ଡିଂ ମାନଦଣ୍ଡକୁ ଗୁରୁତ୍ୱ ଦେବା ସହ ଏଭଳି ମାନ୍ୟତା ହାସଲ ଦିଗରେ ପଦକ୍ଷେପ ନେବାକୁ ସେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ଲୋକଭବନର ଏହି ସଫଳତା ରାଜ୍ୟରେ ପରିବେଶ ଅନୁକୂଳ, ଶକ୍ତି-ଦକ୍ଷ ଏବଂ ସ୍ଥାୟୀ ସରକାରୀ ଭିତ୍ତିଭୂମି ନିର୍ମାଣ ପାଇଁ ଏକ ନୂଆ ଦିଗ ଦେଖାଇଛି।