ମଧ୍ୟପ୍ରଦେଶରୁ ଓଡ଼ିଶାକୁ ଆସିବେ ୩ ମହାବାଳ ବାଘ
ଭୁବନେଶ୍ୱର (ସଂକେତ ଟିଭି):ମଧ୍ୟପ୍ରଦେଶରୁ ଓଡ଼ିଶାକୁ ୩ଟି ମହାବାଳ ବାଘ ଆସିବେ। ଏନେଇ ରାଜ୍ୟ ସରକାରଙ୍କ ଔପଚାରିକ ଅନୁରୋଧକୁ ମଧ୍ୟପ୍ରଦେଶ ବନବିଭାଗ ଅପେକ୍ଷା କରିଛି। ଶୀତ ଋତୁରେ ମଧ୍ୟପ୍ରଦେଶ ବନବିଭାଗ ଏହି ପ୍ରସ୍ତାବ ରାଜ୍ୟ ବନବିଭାଗ ନିକଟକୁ ପଠାଇପାରେ।
ରାଜ୍ୟ ସରକାରଙ୍କ ଅନୁରୋଧ ମିଳିବା ପରେ ସ୍ଥାନାନ୍ତର ପାଇଁ ବାଘ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଛତିଶଗଡ଼ ବନବିଭାଗ ପକ୍ଷରୁ କୁହାଯାଇଛି। ବନ୍ୟପ୍ରାଣୀ ବିଭାଗର ଅତିରିକ୍ତ ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ (ଏପିସିସିଏଫ୍) ଏଲ୍. କୃଷ୍ଣମୂର୍ତ୍ତୀ ଗଣମାଧ୍ୟମକୁ କହିଛନ୍ତି ଯେ, ରାଜ୍ୟ ମଧ୍ୟରେ ବାଘ ସ୍ଥାନାନ୍ତର ଯୋଜନା ଅଧୀନରେ ଛତିଶଗଡ଼କୁ ୪ଟି, ଓଡ଼ିଶାକୁ ୩ଟି ଏବଂ ରାଜସ୍ଥାନକୁ ଗୋଟିଏ ବାଘ ଦିଆଯିବା ପାଇଁ ନିଷ୍ପତ୍ତି ହୋଇଛି।
ବର୍ତ୍ତମାନ ସୁଦ୍ଧା ଏହି ରାଜ୍ୟଗୁଡ଼ିକ ପକ୍ଷରୁ କୌଣସି ଦାବି କରାଯାଇ ନାହିଁ। ତେଣୁ ଦାବି ମିଳିବା ପରେ ହିଁ ସ୍ଥାନାନ୍ତର ପାଇଁ ବାଘ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରାଯିବ। ମଧ୍ୟପ୍ରଦେଶର ବାନ୍ଧବଗଡ଼, ପେଞ୍ଚ୍ ଏବଂ ସାତପୁରା ବାଘ ସଂରକ୍ଷଣ କେନ୍ଦ୍ରରେ ବାଘ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ।
ଓଡ଼ିଶାର ଶିମିଳିପାଳ ଓ ସାତକୋଶିଆ ଅଭୟାରଣ୍ୟରେ ମହାବଳଙ୍କ ଖାଦ୍ୟ ବିଶେଷକରି ବରହା ଓ ହରିଣ ପ୍ରଚୁର ପରିମାଣରେ ଉପଲବ୍ଧ। ତେଣୁ ଏହି ଅଭୟାରଣ୍ୟକୁ ମହାବଳ ସ୍ଥାନାନ୍ତର କରାଗଲେ ଏଠାରେ ମହାବଳ ବଂଶରେ ବୃଦ୍ଧି ଘଟିବ।
ସୂଚନା ଥାଉକି, ଶିମିଳିପାଳରେ ବାଘବଂଶ ବୃଦ୍ଧି ସହ ମେଲାନାଷ୍ଟିକ୍ ପ୍ରଜାତିର ଆନୁବଂଶିକ ପ୍ରକ୍ରିୟା ରୋକିବାକୁ ୨୦୨୪ ମସିହାରେ ବନ ବିଭାଗ ମହାରାଷ୍ଟ୍ରର ତଡବା ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ପ୍ରଥମେ ‘ଯମୁନା’କୁ ଆଣି ଶିମିଳିପାଳରେ ଛାଡ଼ିଥିଲା। ୨୦୨୪ ନଭେମ୍ବରରେ ‘ଜିନ୍ନତ’କୁ ଶିମିଳିପାଳରେ ଛାଡ଼ାଯାଇଥିଲା।
ଜିନ୍ନତ ୪ଟି ଶାବକ ଜନ୍ମଦେବା ପରେ ଶିମିଳିପାଳରେ ମହାବଳ ବଂଶବୃଦ୍ଧି ନେଇ ବନବିଭାଗ ଏକପ୍ରକାର ନିଶ୍ଚିତ ହୋଇଥିଲା। ତେଣୁ ମଧ୍ୟପ୍ରଦେଶରୁ ବାଘ ସ୍ଥାନାନ୍ତର ପ୍ରକ୍ରିୟାରେ ଆଉ ୩ଟି ବାଘ ଆଣି ଓଡ଼ିଶା ଜଙ୍ଗଲରେ ଛାଡ଼ାଗଲେ ଏଠାରେ ମହାବଳ ବାଘ ସଂଖ୍ୟାରେ ବୃଦ୍ଧି ଘଟିବ ବୋଲି ପରିବେଶବିତ୍ମାନେ ମତପ୍ରକାଶ କରିଛନ୍ତି।
