ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ୬ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ
ମାଲକାନଗିରି (ସଂକେତ ଟିଭି): ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ କାର୍ଯ୍ୟରତ ସହକାରୀ ନିର୍ବାହୀ ଯନ୍ତ୍ରୀ (ଏଇଇ) ଶିଶିର କୁମାର ଦାଶଙ୍କ ବିଭିନ୍ନ ସ୍ଥାନରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଛି।
ଆଜି ସକାଳୁ ଭିଜିଲାନ୍ସର ଏକାଧିକ ଟିମ୍ ଭୁବନେଶ୍ୱର, ବ୍ରହ୍ମପୁର ଓ ମାଲକାନଗିରିର ମୋଟ ୬ଟି ସ୍ଥାନରେ ଏକସାଙ୍ଗରେ ତଲାସୀ ଆରମ୍ଭ କରିଛନ୍ତି। ବ୍ରହ୍ମପୁର ଭିଜିଲାନ୍ସର ସ୍ୱତନ୍ତ୍ର ଅଦାଲତର ବିଚାରପତିଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ ଚାଲିଥିବା ଜଣାପଡ଼ିଛି।
ଭିଜିଲାନ୍ସ ଟିମରେ ଜଣେ ଅତିରିକ୍ତ ଏସପି, ୫ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀ ସାମିଲ ଅଛନ୍ତି। ଭିଜିଲାନ୍ସ ପକ୍ଷରୁ ତଲାସୀ କରାଯାଉଥିବା ସ୍ଥାନଗୁଡ଼ିକ ହେଲା—ଭୁବନେଶ୍ୱର ବରମୁଣ୍ଡାସ୍ଥିତ ୪ ମହଲା କୋଠା, ବ୍ରହ୍ମପୁର ନୀଳାଚଳ ନଗରସ୍ଥିତ ୨ ମହଲା କୋଠା, ଗଞ୍ଜାମ ଜିଲ୍ଲା ବାସୁଦେବପୁର (ଗୋବରା)ସ୍ଥିତ ଏକ ଘର, ବ୍ରହ୍ମପୁର ଗଜପତି ନଗରସ୍ଥିତ ପୈତୃକ ଘର, ମାଲକାନଗିରିରେ ଥିବା ଭଡ଼ାଘର ଏବଂ ମାଲକାନଗିରି ଡିଆରଡିଏ କାର୍ଯ୍ୟାଳୟରେ ଥିବା ତାଙ୍କ ଅଫିସ ଚାମ୍ବର।
ଏହି ତଲାସୀ ସମୟରେ ବିଭିନ୍ନ କାଗଜପତ୍ର, ସମ୍ପତ୍ତି ସମ୍ପର୍କିତ ଦସ୍ତାବିଜ ଓ ଅନ୍ୟାନ୍ୟ ତଥ୍ୟ ଯାଞ୍ଚ କରାଯାଉଥିବା ସୂଚନା ମିଳିଛି। ତେବେ ଚଢ଼ାଉ ସମ୍ପୂର୍ଣ୍ଣ ହୋଇନଥିବାରୁ ଏପର୍ଯ୍ୟନ୍ତ କେତେ ପରିମାଣର ସମ୍ପତ୍ତି କିମ୍ବା ଅନ୍ୟାନ୍ୟ ସାମଗ୍ରୀ ଠାବ ହୋଇଛି, ସେନେଇ ଭିଜିଲାନ୍ସ ପକ୍ଷରୁ ସବିଶେଷ ତଥ୍ୟ ପ୍ରକାଶ କରାଯାଇନାହିଁ। ତଲାସୀ ଜାରି ରହିଥିବା ବେଳେ ଭିଜିଲାନ୍ସର ପରବର୍ତ୍ତୀ ରିପୋର୍ଟ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ।
