ଦିଲ୍ଲୀରେ ସିଇସି ବିପକ୍ଷରେ ବିକ୍ଷୋଭ, ପୋଲିସ କାର୍ଯ୍ୟାନୁଷ୍ଠାନକୁ କଂଗ୍ରେସର ତୀବ୍ର ବିରୋଧ
ନୂଆଦିଲ୍ଲୀ (ସଂକେତ ଟିଭି): ଜାତୀୟ ରାଜଧାନୀରେ ସିଇସି ଓ ଏସଆଇଆର ବିପକ୍ଷରେ ଶନିବାର ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ ମଧ୍ୟରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ କଂଗ୍ରେସ ବିରୋଧ କରିଛି। ଜାତୀୟ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏହାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, “ଗଣତନ୍ତ୍ରର ଜନନୀକୁ ମୋଦି ସରକାର ଦମନିତ ଗଣତନ୍ତ୍ରରେ ପରିବର୍ତ୍ତିତ କରିଛନ୍ତି।”
ଏ ନେଇ ଖଡଗେ ଏକ୍ସରେ ଏକ ପୋଷ୍ଟ କରିଛନ୍ତି। ଲେଖିଛନ୍ତି ଯେ ଆମର ଯୁବ, ଛାତ୍ର, ଓକିଲ, ସାମ୍ବାଦିକ, ସାମାଜିକ କାର୍ଯ୍ୟକର୍ତ୍ତା, କୃଷକ ସଂଘ ନେତା, ୟୁଟ୍ୟୁବର ଓ କଣ୍ଟେଣ୍ଟ କ୍ରିଏଟର—ଯିଏବି ଏ ସରକାରଙ୍କୁ ପ୍ରଶ୍ନ କରୁଛି, ତାକୁ ଗିରଫ କରାଯାଉଛି।
ଖଡଗେ ବିରୋଧ ପ୍ରଦର୍ଶନକୁ ଜାରି ରଖିବାକୁ କହିଥିବା ବେଳେ ଆମେ ବି ଦେଶର ସ୍ୱାଧୀନତା ଲାଗି ଲହୁ ବୁହାଇଥିବାର ମନେ ପକାଇ ଦେଇଛନ୍ତି। ଏଣୁ ଆମେ ଗଣତନ୍ତ୍ର, ଆମର ସମ୍ବିଧାନ ଓ ପ୍ରତି ଭାରତୀୟଙ୍କ ମୌଳିକ ଅଧିକାର ରକ୍ଷା ଲାଗି ପୁରା ସାମର୍ଥ୍ୟର ସହ ଲଢ଼ିବୁ ବୋଲି ସେ ଉଲ୍ଲେଖ କରିଛନ୍ତି।
କଂଗ୍ରେସ ନେତା ରାହୁଲ ଗାନ୍ଧି ପୁଣି ଥରେ ସରକାରଙ୍କ ଉପରେ କଡ଼ା ଆକ୍ରମଣ କରିଛନ୍ତି। ସେ କହିଛନ୍ତି, ‘ମୁଁ ଏମାନଙ୍କ ବିରୋଧରେ ଏକ ଦଶନ୍ଧୀରୁ ଅଧିକ କାଳ ହେଲା ଲଢ଼ି ଆସୁଛି। ମୁଁ ବିରୋଧୀଙ୍କୁ ଏତେ ଭଲ ଭାବେ ବୁଝିଛି ଯେ, ଯେତିକି କେହି ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କୁ ବୁଝନ୍ତି। ମୁଁ ସେମାନଙ୍କୁ ଭିତର ପର୍ଯ୍ୟନ୍ତ ଜାଣିଛି, ସେମାନଙ୍କ ସବୁ ଚାଲ ସହ ପରିଚିତ।’
ରାହୁଲ ଗାନ୍ଧି କହିଛନ୍ତି ଯେ ‘ଡର’ ଏମାନଙ୍କର ସବୁଠୁ ବଡ଼ ପରିଚୟ। ଏଥିରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ଅମିତ ଶାହ, ମୋହନ ଭାଗବତ, ସିଇସି ଜ୍ଞାନେଶ କୁମାର ଓ ଅଜିତ ଡୋଭାଲଙ୍କ ଉପରେ କଡ଼ା ଆକ୍ରମଣ କରିଛନ୍ତି। ସେ କହିଛନ୍ତି, ଏମାନେ ଏବେ ଧୀରେ ଧୀରେ ଘେରିବାରେ ଲାଗିଛନ୍ତି। ସେମାନଙ୍କ ଚାରିପଟର ପରିସର କମିବାରେ ଲାଗିଛି।
ରାହୁଲ ଏ ନେଇ କରିଥିବା ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି, ‘ଯାହା କରିବାର ଅଛି କର, ଯେତେ ପୋଲିସ ଡକାଇବାର ଅଛି ଡକାଅ — ୧୦ ହଜାର, ୩୦ ହଜାର, ୫୦ ହଜାର, ଯେତେ ଡାକିବା କଥା ଡାକ। ସବୁ ନେତାଙ୍କୁ ଗିରଫ କର, ପୁରା ଯୁବ ସମାଜକୁ ଗିରଫ କର, ହେଲେ ଘାବରାନ୍ତୁନି — ଆମେ ତୁମକୁ ଚାରିପଟରୁ ଘେରୁଛୁ ଓ ଆମେ ଆଉ ପଛକୁ ହଟିବୁନି। ମୋ କଥା ମନେ ରଖନ୍ତୁ, ଆମକୁ ଯେଉଁ ସୂଚନା ଦରକାର ତାହା ଆମ ପାଖରେ ପୂର୍ବରୁ ରହିଛି।’
ରାହୁଲ ଗାନ୍ଧି କହିଛନ୍ତି, ଆମେ ଆମ ସମ୍ବିଧାନକୁ ରକ୍ଷା କରିବୁ, ଆମେ ଭାରତର ଜନତାଙ୍କ ସ୍ୱରର ହେପାଜତ କରିବୁ ଓ ଆମେ ସୁନିଶ୍ଚିତ କରିବୁ ଗତ ୧୦-୧୫ ବର୍ଷରେ ଭାରତ ସହ ଯାହା ହୋଇଛି, ତାହା ଯେପରି ଦ୍ୱିତୀୟ ବାର କୌଣସି ମତେ ନ ହୁଏ।
ରାହୁଲ କହିଛନ୍ତି, ଭାରତର ଯୁବ ସମାଜ ପାଇଁ ମୁଁ ଗର୍ବିତ, ଆପଣଙ୍କୁ ନେଇ ମୁଁ ଗର୍ବ କରେ। ଆପଣମାନେ ବିରୋଧ ଜାରି ରଖନ୍ତୁ, ଆମେ ଆପଣଙ୍କ ସହ ଛିଡ଼ା ହୋଇଛୁ।
କେବଳ ଖଡଗେ ଓ ରାହୁଲ ଗାନ୍ଧୀ ନୁହନ୍ତି, ଶଶି ଥରୁର, ଅଶୋକ ଗହଲୋତ ଓ ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସକ୍ଖୁଙ୍କ ସମେତ କଂଗ୍ରେସର ଅନ୍ୟ ନେତାମାନେ ମଧ୍ୟ ବିରୋଧ ପ୍ରଦର୍ଶନରେ ଲୋକଙ୍କୁ ଗିରଫ କରାଯାଉଥିବାର ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଶଶି ଥରୁର ମଧ୍ୟ ଏକ୍ସରେ ଏକ ପୋଷ୍ଟ କରିଛନ୍ତି। ଲେଖିଛନ୍ତି ଯେ ଦିଲ୍ଲୀରେ ଜାତାୟାତର ସ୍ୱାଧୀନତାକୁ ସମ୍ପୂର୍ଣ୍ଣ ରୋକି ଦିଆଯାଇଛି। ସେ ଲେଖିଛନ୍ତି ଯେ ଜନ୍ତର ମନ୍ତରକୁ ଏଥି ପାଇଁ ତିଆରି କରାଯାଇଥିଲା ଯେ ଲୋକେ ଦିଲ୍ଲୀର କେନ୍ଦ୍ର ସ୍ଥଳରେ ସେମାନଙ୍କ ଅସହମତି ପ୍ରକାଶ କରିପାରିବେ। ହେଲେ ଆଜି ସେହି ସ୍ଥାନକୁ ସଂଯୋଗ କରୁଥିବା ସଡ଼କକୁ ବନ୍ଦ କରିଦିଆଯାଇଛି।
ସେ କହିଛନ୍ତି ଯେ ଏଥିରେ ଯେ କେହି ବି ପ୍ରଶ୍ନ କରିପାରେ—ଯେତେବେଳେ ଜାତୀୟ ରାଜଧାନୀରେ ମହିଳାଙ୍କ ସୁରକ୍ଷା ଆବଶ୍ୟକତା ଥାଏ, ଏତେ ସଂଖ୍ୟାରେ ପୋଲିସ ଫୋର୍ସ ଓ ତତ୍ପରତା କେଉଁଆଡ଼େ ଉଭେଇ ଯାଏ? ଥରୁର କହିଛନ୍ତି ଯେ ଯେଉଁମାନଙ୍କୁ ଅଟକ କରାଯାଇଛି ସେମାନଙ୍କୁ ମୁକ୍ତ କରିବାକୁ ପଡ଼ିବ। ଏଥିରେ ଯଦି ପ୍ରଦର୍ଶନକାରୀ ସୋମବାର ପୁଣି ଫେରନ୍ତି, ତେବେ ଅଧିକାରୀ ଜାତୀୟ ରାଜଧାନୀକୁ ପୁଣି ଲକଡାଉନ କରିବେକି?
ଏଥି ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା କେ.ସି. ବେଣୁଗୋପାଳ ଘୋଷଣା କରିଛନ୍ତି ଯେ ସୋମବାର ଇଣ୍ଡି ମେଣ୍ଟ ଦିଲ୍ଲୀରେ ଏକ ବଡ଼ ଧରଣର ପ୍ରଦର୍ଶନ କରିବ। ଏହି ପ୍ରଦର୍ଶନ ଲୋକଙ୍କ ଭୋଟ ଦାନ ଅଧିକାର ରକ୍ଷା ଲାଗି ଚଳାଯାଉଥିବା ଅଭିଯାନ ଅନ୍ତର୍ଗତ।
ସେ ତାଙ୍କ ଲୋକସଭା ନିର୍ବାଚନମଣ୍ଡଳୀ ଆଲାପୁଝାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ଯେ କଂଗ୍ରେସ ଓ ଇଣ୍ଡି ମେଣ୍ଟ ସେ ପର୍ଯ୍ୟନ୍ତ ନିଜର ଆନ୍ଦୋଳନ ଜାରି ରଖିବ, ଯେଉଁ ପର୍ଯ୍ୟନ୍ତ ନିର୍ବାଚନ ପ୍ରକ୍ରିୟା ଓ ପ୍ରଣାଳୀ ନିରପେକ୍ଷ ଓ ସ୍ୱାଧୀନ ନ ହୋଇଛି।
