FeaturedLatestNews

ଓଡ଼ିଶା ଗସ୍ତରେ ଆସିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ

ଭୁବନେଶ୍ୱର (ସଂକେତ ଟିଭି) ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଆସି ସେ ବିମାନବନ୍ଦରରେ ପହଞ୍ଚିଛନ୍ତି। ରାଜ୍ୟପାଳ ବ୍ରିଜଭୂଷଣ ରାମ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ସ୍ୱାଗତ କରିଥିଲେ। ପୋଲିସ ଡିଜି ଏବଂ ମୁଖ୍ୟ ଶାସନ ସଚିବ ମଧ୍ୟ ଉପସ୍ଥିତ ଥିଲେ।

ଏହି ଗସ୍ତ ଅବସରରେ ରାଷ୍ଟ୍ରପତି କଟକରେ ଆୟୋଜିତ ବିଶ୍ୱପ୍ରସିଦ୍ଧ ବାଲିଯାତ୍ରାକୁ ଉଦ୍ଘାଟନ କରିବେ। ଏହାପରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବାର ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, ନଭେମ୍ବର ୨୪ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଆଠଦିନ ଧରି ମହାନଦୀ ପଠା ତଳପଡ଼ିଆ ଓ ଉପର ପଡ଼ିଆରେ ଏହି ମହାମେଳା ଅନୁଷ୍ଠିତ ହେବ। ପ୍ରାୟ ୬୦ ଏକର ଅଞ୍ଚଳରେ ମେଳାରେ ୧୮୦୦ରୁ ଅଧିକ ଷ୍ଟଲ୍ ଖୋଲିବ। ବାଲିଯାତ୍ରା ଆୟୋଜନ ପାଇଁ ମୋଟ ୧୭ କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଥିବାବେଳେ ରାଜ୍ୟ ସରକାର ୧୦ କୋଟି ଟଙ୍କା ଅନୁଦାନ ଦେବେ। ଚଳିତବର୍ଷ ୮ ଦିନରେ ପ୍ରାୟ ୮୦ ଲକ୍ଷ ଲୋକ ବାଲିଯାତ୍ରାକୁ ଆସିବେ ବୋଲି ଆକଳନ କରାଯାଉଛି। କାରବାର ୩୫୦ କୋଟି ହେବ ବୋଲି ଜିଲ୍ଲା ପ୍ରଶାସନ ଆଶା ରଖିଛି।

ଏଥର ବାଲିଯାତ୍ରାରେ ଉପର ପଡ଼ିଆର ୧.୯୩ ଲକ୍ଷ ବର୍ଗଫୁଟ ଅଞ୍ଚଳରେ ୫୯୧ଟି ଷ୍ଟଲ୍ ପାଇଁ ବ୍ୟବସ୍ଥା ହୋଇଛି। ଏହି ପଡ଼ିଆକୁ ୧୧ଟି ବ୍ଲକରେ ବିଭକ୍ତ କରାଯାଇଛି। ଏଠାରେ ୧୨୦ଟି ଖାଦ୍ୟ ଷ୍ଟଲ, ୧୫ ହଜାର ବର୍ଗଫୁଟର ମନୋରଞ୍ଜନ ଜୋନ୍ ଓ ବିଭିନ୍ନ ସରକାରୀ ବିଭାଗର ପ୍ରଦର୍ଶନୀ ରହିବ। ତଳ ପଡ଼ିଆରେ ୧ ହଜାରରୁ ଅଧିକ ଷ୍ଟଲ୍ ରହିବ। ଓରମାସ୍ ପକ୍ଷରୁ ପ୍ରାୟ ୫୦୦ଟି ଷ୍ଟଲ୍ ଖୋଲାଯିବ। ଏଥିରେ ରାଜ୍ୟର ହସ୍ତତନ୍ତ, ହସ୍ତଶିଳ୍ପ, ଗ୍ରାମୀଣ ଉତ୍ପାଦ ଓ ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କ ସାମଗ୍ରୀ ବିକ୍ରି ହେବ।

Leave a Reply

Your email address will not be published. Required fields are marked *