ଶିକ୍ଷକଙ୍କ ମାଡ଼ରେ ଚତୁର୍ଥ ଶ୍ରେଣୀର ଛାତ୍ର ଗୁରୁତର ଆହତ
ବାଲେଶ୍ବର (ସଂକେତ ଟିଭି): ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ କଲରାପାଳ ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷକ ଚତୁର୍ଥ ଶ୍ରେଣୀର ଛାତ୍ରକୁ ବାଡ଼ିରେ ମାଡ଼ ମାରିବା ଅଭିଯୋଗ ସାମ୍ନାକୁ ଆସିଛି। ଏହି ଘଟଣାରେ ଛାତ୍ରଜଣକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଖଇରା ମେଡିକାଲରେ ଚିକିତ୍ସା କରାଯାଉଛି।
ଅଭିଯୋଗ ଅନୁସାରେ, ଗତକାଲି ସ୍କୁଲରେ ଖେଳ ଛୁଟି ସମୟରେ କୌଣସି କାରଣକୁ ନେଇ ଦୁଇ ଛାତ୍ରଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ଘଟଣା ଜାଣିବା ପରେ ଶିକ୍ଷକ ସନ୍ୟାସୀ ସାମଳ ଉତ୍କ୍ଷିପ୍ତ ହୋଇ କୌଣସି କଥା ନବୁଝି ସତ୍ୟସାଇ ବେହେରାଙ୍କୁ ବାଡ଼ିରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଛାତ୍ରଙ୍କ ଘର ଚକସମସରପୁର ଗାଁରେ।
ସେପଟେ ଏନେଇ ଛାତ୍ରଙ୍କ ମା’ ସୁନିତା ବେହେରା ଖଇରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଶିକ୍ଷକଙ୍କ ମାଡ଼ ମାରୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି।
