FeaturedGeneralLatestPolitics

୬ ବର୍ଷ ପରେ ଏନଡିଏରେ ସାମିଲ ହେଲା ଶିରୋମଣି ଅକାଳି ଦଳ

ନୂଆଦିଲ୍ଲୀ(ସଂକେତ ଟିଭି): ପଞ୍ଜାବ ରାଜନୀତିରେ ବଡ଼ ପରିବର୍ତ୍ତନ । ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ପରିବର୍ତ୍ତନ ସାମ୍ନାକୁ ଆସିଛି । ୬ ବର୍ଷ ବ୍ୟବଧାନ ପରେ ପୁଣିଥରେ ବିଜେପି ସହ ରାଜନୈତିକ ଭାଗିଦାରୀରେ ସାମିଲ ହେବାକୁ ଯାଉଛି ଶିରୋମଣି ଅକାଳି ଦଳ । ମଙ୍ଗଳବାର ବିଜେପି ଓ ଏସଏଡି (ଶିରୋମଣି ଅକାଳି ଦଳ) ନିଜର ମେଣ୍ଟକୁ ପୁନର୍ବାର କାର୍ଯ୍ୟକାରୀ କରିବା ନେଇ ଘୋଷଣା କରିଛନ୍ତି ।

ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ବିଜେପି ଜାତୀୟ ସଭାପତି ନିତିନ ନବୀନ ଏବଂ ଏସଏଡି ସଭାପତି ସୁଖବୀର ସିଂହ ବାଦଲ ଏହି ଘୋଷଣା କରିଛନ୍ତି । ଆଗାମୀ ବିଧାନସଭା ନିର୍ବାଚନ ଉଭୟେ ଏକାଠି ଲଢ଼ିବେ ବୋଲି ସେମାନେ ଘୋଷଣା କରିଛନ୍ତି ।

ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ‘ଏହା ଦ୍ୱାରା ପଞ୍ଜାବରେ ଜନକଲ୍ୟାଣକାରୀ ଶାସନ ଏବଂ ପ୍ରଗତି ସୁନିଶ୍ଚିତ ହୋଇପାରିବ । ଏହା ଏକ ସ୍ୱାଭାବିକ ମେଣ୍ଟ । ଏହି ମେଣ୍ଟ ଗୁରୁ ନାନକ ଦେବଙ୍କ ‘ପ୍ରକାଶ ପରବ’ ଅବସରରେ ଗଠିତ ହୋଇଛି । ଏହା ରାଜ୍ୟର ଜନସାଧାରଣଙ୍କ ପାଇଁ ଏକ ପସନ୍ଦଯୋଗ୍ୟ ବିକଳ୍ପ ଭାବେ ଉଭା ହେବ’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ନିଜ ଏକ୍ସ (ଡ) ହାଣ୍ଡେଲରେ ଏକ ପୋଷ୍ଟ କରି ମୋଦି କହିଛନ୍ତି, ‘ପଞ୍ଜାବ ଓ ପଞ୍ଜାବୀମାନଙ୍କ କଲ୍ୟାଣକୁ ସର୍ବୋଚ୍ଚ ପ୍ରାଥମିକତା ! ଶିରୋମଣି ଅକାଳି ଦଳ ପୁଣିଥରେ ଏନଡିଏ ପରିବାରକୁ ଫେରି ଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ । ଏହା ପୁଣି ଗୁରୁ ନାନକ ଦେବ ଜୀଙ୍କ ପ୍ରକାଶ ପରବ ଅବସରରେ ହୋଇଛି । ଆମର ଏହି ମେଣ୍ଟ ଏକ ସ୍ୱାଭାବିକ ମେଣ୍ଟ । ଏହା ପଞ୍ଜାବରେ ଏକ ଜନହିତକର ଶାସନ ସୁନିଶ୍ଚିତ କରିବ । ଯାହା ରାଜ୍ୟକୁ ପ୍ରଗତିର ନୂତନ ଶିଖରକୁ ନେଇଯିବ । ଅଟଳଜୀ, ଆଡଭାନୀଜୀ ଏବଂ ସର୍ଦ୍ଦାର ପ୍ରକାଶ ସିଂ ବାଦଲ ଜୀଙ୍କ ଦ୍ୱାରା ଗଠିତ ଏହି ଦଳ ଏବଂ ବିଜେପି ମେଣ୍ଟ ସମୟର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇସାରିଛନ୍ତି । ମୋର ବିଶ୍ୱାସ, ଆମର ଏହି ମେଣ୍ଟ ପଞ୍ଜାବର ଜନସାଧାରଣଙ୍କ ପାଇଁ ଏକ ପସନ୍ଦଯୋଗ୍ୟ ବିକଳ୍ପ ହୋଇପାରିବ ।’

ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ‘ଅକାଳି ଦଳ ଏନଡିଏର ଏକ ଆନୁଷ୍ଠାନିକ ଅଂଶୀଦାର ଭାବେ କାର୍ଯ୍ୟ କରିବ ।’

ଶାହ କହିଛନ୍ତି, ‘ଆମର ପ୍ରଧାନମନ୍ତ୍ରୀ, ବାଦଲ ସାହେବ, ଅଟଳ ଜୀ ଏବଂ ଆଡଭାନୀ ଜୀଙ୍କ ମଧ୍ୟରେ ବହୁ ବର୍ଷ ଧରି ଏକ ଗଭୀର ସଂପର୍କ ଥିଲା । ବିଜେପି-ଏସଏଡି ମଧ୍ୟରେ ଅତ୍ୟନ୍ତ ନିବିଡ଼ ସଂପର୍କ ରହିଆସିଛି । ବାଦଲ ସାହେବଙ୍କ ନେତୃତ୍ୱରେ ଏସଏଡି ସହ ବିଜେପିର ଏକ ଭଲ ସଂପର୍କ ଥିଲା । ଏସଏଡି ଆମର ସବୁଠାରୁ ପୁରୁଣା ସହଯୋଗୀ ହୋଇ ରହିଆସିଛି। ଆମେ ଏକାଠି ଏକାଧିକ ନିର୍ବାଚନ ଲଢ଼ିଛୁ । ଆମେ ଜିତିଛୁ ଏବଂ ହାରିଛୁ ମଧ୍ୟ । ହେଲେ ଆମର ସଂପର୍କ ଅକ୍ଷୁର୍ଣ୍ଣ ରହିଛି । ଆଜି ଏହି ସଂପର୍କ ପୁଣିଥରେ ଏକାଠି ହୋଇଛି ଏବଂ ଏଥିପାଇଁ ଆମେ ଖୁସି ।’

ଶାହ ଆହୁରି କହିଥିଲେ, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସୋମବାର ଦିନ ଏନଡିଏର ସଂପ୍ରସାରଣ ନେଇ ଆଲୋଚନା କରିଥିଲେ । ସେତେବେଳେ ମଧ୍ୟ ପ୍ରଧାନମନ୍ତ୍ରୀ ବାଦଲ ସାହେବଙ୍କ ସହ କଥା ହୋଇଥିଲେ ଏବଂ କହିଥିଲେ, ବାଦଲଙ୍କ ଦଳ ବିନା ଏନଡିଏ ଅସଂପୂର୍ଣ୍ଣ । ଏହି ମେଣ୍ଟ ହିନ୍ଦୁ-ଶିଖ ଭାଇଚାରାର ଏକ ପ୍ରତୀକ ହୋଇ ରହିବ ଏବଂ ଉଭୟେ ଏକାଠି ଆଗକୁ ଚାଲିବେ ।’

ଶାହ କହିଛନ୍ତି, ‘ଅପରେସନ ସିନ୍ଦୂର ପରେ ଜାତୀୟ ସୁରକ୍ଷା ଚିନ୍ତା ସମ୍ପୂର୍ଣ୍ଣ ସମାଧାନ ହେବା ମାତ୍ରେ କରତାରପୁର ସାହିବ କରିଡରକୁ ପୁନର୍ବାର ଖୋଲାଯିବ ।’ ସେ କହିଛନ୍ତି, ‘ସୁରକ୍ଷା ଦୃଷ୍ଟିରୁ କରିଡରକୁ ଅସ୍ଥାୟୀ ଭାବରେ ବନ୍ଦ କରାଯାଇଛି । ତେବେ ସୁରକ୍ଷାକୁ ରାଜନୀତିକରଣ କରାଯିବା ଉଚିତ୍ ନୁହେଁ’ ବୋଲି ଗୁରୁତ୍ୱାରୋପ କରିଛନ୍ତି।

ମେଣ୍ଟ ଉପରେ ଏସଏଡି ସଭାପତି ସୁଖବୀର ସିଂହ ବାଦଲ ପ୍ରତିକ୍ରିୟା ରଖି କହିଛନ୍ତି, ‘ଏହା ଏକ ଜନମେଣ୍ଟ । ଏହି ମେଣ୍ଟ ଦେଶ, ରାଜ୍ୟ ଓ ଶିଖ ସଂପ୍ରଦାୟର କଲ୍ୟାଣ ପାଇଁ ଉଦ୍ଦିଷ୍ଟ । କେଜ୍ରିୱାଲଙ୍କ ଦଳ ପଞ୍ଜାବକୁ ଲୁଟ କରୁଛି । ଏଠି ବିକାଶ ନାମରେ କିଛି ବି ହେଉ ନାହିଁ । ତେବେ ଏନଡିଏ-ଏସଏଡି ମେଣ୍ଟ ଏକ ରାଜନୈତିକ ମେଣ୍ଟ ନୁହେଁ, ଏକ ଜନମେଣ୍ଟ ।’

Leave a Reply

Your email address will not be published. Required fields are marked *