ଦିଲ୍ଲୀରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ବିରୋଧରେ ଆନ୍ଦୋଳନ, ୪ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଟକ
ନୂଆଦିଲ୍ଲୀ (ସଂକେତ ଟିଭି): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ଆନ୍ଦୋଳନ ତୀବ୍ର ହୋଇଛି। ବିରୋଧୀଙ୍କ ଆନ୍ଦୋଳନକୁ ରୋକିବାକୁ ଦିଲ୍ଲୀ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆନ୍ଦୋଳନ ସମୟରେ ବିରୋଧୀ କ୍ୟାମ୍ପର ୪ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ପୁଲିସ ଅଟକ ରଖିଛି।
କକ୍ରୋଚ୍ ଜନତା ପାର୍ଟି ପକ୍ଷରୁ ଆୟୋଜିତ ଆନ୍ଦୋଳନରେ ଯୋଗଦେବାକୁ ଚେଷ୍ଟା କରୁଥିବା ସମୟରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଏବଂ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ମାଣିକ ସରକାରଙ୍କୁ ପୁଲିସ ଅଟକ ରଖିଥିବା ଜଣାପଡ଼ିଛି।
ମମତା ବାନାର୍ଜୀ କେନ୍ଦ୍ରୀୟ ଦିଲ୍ଲୀର ସାଉଥ୍ ଆଭେନ୍ୟୁର ଏକ ବସ୍ ଷ୍ଟାଣ୍ଡରେ ଧାରାଣାରେ ବସିଥିଲେ। ଏହି ସମୟରେ ତାଙ୍କୁ ଏବଂ ତାଙ୍କର କେତେ ଜଣ ସାଂସଦଙ୍କୁ ପୁଲିସ ଅଟକ ରଖିଛି। ମମତା ବାନାର୍ଜୀ ଏବଂ ଡେରେକ୍ ଓ’ବ୍ରାଏନ୍ ଓ ଡୋଲା ସେନଙ୍କ ସମେତ ତାଙ୍କ ଦଳର ପାଞ୍ଚ ଜଣ ସାଂସଦଙ୍କୁ ପୁଲିସ ବସ୍ରେ ନେଇ ଯାଇଛି। ପ୍ରତିବାଦ ସମୟରେ ମମତା ବାନାର୍ଜୀ ନିଜ ପାଟିରେ ପଟି ଲଗାଇ ବସିଥିଲେ। ପୁଲିସ ବସ୍ ଭିତରୁ ସେ କହିଛନ୍ତି, “ସରକାର ଆମ ସହିତ ଦୁର୍ବ୍ୟବହାର କରୁଛନ୍ତି। ଇଣ୍ଡି ମେଣ୍ଟ ଜନସାଧାରଣଙ୍କ ସ୍ୱରକୁ ମଜଭୁତ କରିବା ପାଇଁ ଲଢ଼େଇ ଜାରି ରଖିବ।”
ସେପଟେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ତାଙ୍କ ବାସଭବନ ନିକଟରୁ ଉଠାଇ ନେଇଛି ପୁଲିସ। ଅଟକ ହେବା ପରେ ଏକ ଭିଡିଓ ବାର୍ତ୍ତାରେ କେଜ୍ରିୱାଲ କହିଛନ୍ତି ଯେ, ଦେଶର ଯୁବପିଢ଼ି ଏହି ପୁଲିସ ଦମନକୁ ଆଦୌ ଭୟ କରନ୍ତି ନାହିଁ। ଭାରତର ଯୁବକମାନେ ଡରିବେ ନାହିଁ। ଆମେ ‘ଭୋଟ୍ ଚୋରି’ ବିରୋଧରେ ଲଢ଼ିବୁ। ସମସ୍ତେ ବାହାରକୁ ଆସି ଏହାର ପ୍ରତିବାଦ କରିବା ଉଚିତ। କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କୁ ପୁଲିସ ଅଟକ ରଖିଛି। ସେମାନଙ୍କ ସହିତ ମାଣିକ ସରକାର ମଧ୍ୟ ଅଟକ ହୋଇଛନ୍ତି।
ଆନ୍ଦୋଳନରେ ସାମିଲ ହେବା ପାଇଁ ମମତା ବାନାର୍ଜୀ ଶୁକ୍ରବାର ଦିନ ଦିଲ୍ଲୀରେ ପହଞ୍ଚିଥିଲେ। ଏହା ପୂର୍ବରୁ ଶୁକ୍ରବାର ଇଣ୍ଡି ମେଣ୍ଟର ୧୦ ଜଣିଆ ପ୍ରତିନିଧିମଣ୍ଡଳୀ ରାଷ୍ଟ୍ରପତିଙ୍କୁ ଭେଟିଥିଲେ। ଏଥିରେ ସାମିଲ ଥିଲେ ମମତା ବାନାର୍ଜୀ। ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ସମୟରେ ବିରୋଧୀ ନେତାମାନେ ‘ଭୋଟ୍ ଚୋରି’ ଅଭିଯୋଗ ଆଣି ନିର୍ବାଚନ କମିଶନରଙ୍କ ଇସ୍ତଫା ଏବଂ ଗତ ଦୁଇ ବର୍ଷ ମଧ୍ୟରେ ଅନୁଷ୍ଠିତ ସମସ୍ତ ବିଧାନସଭା ନିର୍ବାଚନକୁ ବାତିଲ କରିବାକୁ ଦାବି କରିଥିଲେ। ତେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ‘ଭୋଟ୍ ଚୋରି’ ଅଭିଯୋଗକୁ ଗ୍ରହଣ କରିଛନ୍ତି ବୋଲି ରାହୁଲ ଗାନ୍ଧୀ ଯେଉଁ ଦାବି କରିଥିଲେ, ତାହା ଭୁଲ୍ ଥିଲା ବୋଲି ରିପୋର୍ଟ ପ୍ରକାଶ ପାଇଛି।
ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବା ପରେ ରାହୁଲ ଗାନ୍ଧୀ କହିଥିଲେ ଯେ, ବିରୋଧୀ ନେତାମାନେ ସମସ୍ତ ଉପଲ୍ଲବ୍ଧ ବିକଳ୍ପ ଆପଣାଇବା ପାଇଁ ସୋମବାର ଦିନ ସୁପ୍ରିମକୋର୍ଟରେ ପହଞ୍ଚିବେ। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିବେ। ନିର୍ବାଚନ ଆୟୋଗର କଥିତ ଅନିୟମିତତା ବିରୋଧରେ ସୋମବାର ଦିନ ଇଣ୍ଡି ମେଣ୍ଟ ପକ୍ଷରୁ ଏକ ବଡ଼ ଆନ୍ଦୋଳନ ହେବ।
ତେବେ ଆଜି ୪ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଅଟକ ରଖାଯିବା ପୂର୍ବରୁ ବିଜେପି ନେତା ଅଭିଜିତ ଦୀପକେ, ଆଶୁତୋଷ ରାଙ୍କା ଏବଂ ସୌରଭ ଦାସଙ୍କୁ ବିମାନ ଭିତରୁ ଉଠାଇ ନେଇଥିଲା ପୁଲିସ। ସେମାନେ ଆନ୍ଦୋଳନରେ ଯୋଗ ଦେବାକୁ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବା ପୂର୍ବରୁ ବିମାନରେ ପୁଲିସ ପଶି ସେମାନଙ୍କୁ ନେଉଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
