ଦିଲ୍ଲୀରେ ସିଜେପି ଆନ୍ଦୋଳନ: ୬୦୦ରୁ ଅଧିକ ଅଟକ, ଜନ୍ତରମନ୍ତରରେ କଡ଼ା ସୁରକ୍ଷା
ନୂଆଦିଲ୍ଲୀ (ସଂକେତ ଟିଭି): ନୂଆଦିଲ୍ଲୀରେ ସିଜେପି ଆନ୍ଦୋଳନ ପୂର୍ବରୁ ୬୦୦ରୁ ଅଧିକ ପ୍ରତିବାଦକାରୀଙ୍କୁ ପୋଲିସ ଅଟକ ରଖିଛି। ଜନ୍ତରମନ୍ତର ୨.୦ ପ୍ରତିବାଦ ପାଇଁ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରାୟ ୪୦ ହଜାର ସୁରକ୍ଷାକର୍ମୀ ମୁତୟନ କରାଯାଇଥିବା ବେଳେ ଇଣ୍ଟରନେଟ୍ ଓ ମେଟ୍ରୋ ସେବା ଉପରେ କଟକଣା ଜାରି ରହିଛି।
ଦିଲ୍ଲୀ ବିମାନବନ୍ଦରରେ ୩ ଜଣ CJP ନେତାଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି। CJP ପ୍ରତିଷ୍ଠାତା ଅଭିଜିତ ଦୀପକେ, ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କୁ ବିମାନ ଭିତରୁ ହିଁ ଦିଲ୍ଲୀ ପୋଲିସ ଅଟକ ରଖିଛି। ୩ ଜଣଙ୍କୁ ନେଇ ଆସୁଥିବା ବିମାନ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲା। ବିମାନ ଅବତରଣ କରିବାର କିଛି ସମୟ ପରେ ପୋଲିସ କର୍ମଚାରୀମାନେ ବିମାନ ଭିତରକୁ ପ୍ରବେଶ କରିଥିଲେ। ଯାତ୍ରୀମାନେ ବିମାନରୁ ଓହ୍ଲାଇବା ପୂର୍ବରୁ ହିଁ ତିନିଜଣଙ୍କୁ ଅଟକ ରଖାଯାଇଛି।
ସମ୍ଭାବ୍ୟ ବଡ଼ଧରଣର ବିକ୍ଷୋଭ ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜଧାନୀକୁ ଏକପ୍ରକାର ସୁରକ୍ଷା ବଳୟରେ ରଖାଯାଇଛି। ପ୍ରାୟ ୪୦ ହଜାର ସୁରକ୍ଷାକର୍ମୀ ମୁତୟନ, ଇଣ୍ଟରନେଟ୍ ସେବା ଉପରେ କଟକଣା ଏବଂ ମେଟ୍ରୋ ସେବା ବନ୍ଦ ଭଳି ପଦକ୍ଷେପ ନିଆଯାଇଛି। ପ୍ରତିବାଦକାରୀମାନେ ଯେପରି ବହୁ ସଂଖ୍ୟାରେ ଦିଲ୍ଲୀରେ ଏକାଠି ହୋଇପାରିବେ ନାହିଁ, ସେଥିପାଇଁ ପ୍ରଶାସନ ବିଶେଷ ସତର୍କତା ଅବଲମ୍ବନ କରିଛି। ଗୁରୁତ୍ୱପୂର୍ଣ୍ଣ ରାସ୍ତା, ପ୍ରବେଶ ପଥ ଓ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି।
ଏହା ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସତର୍କ କରାଇଥିଲା। ଦିଲ୍ଲୀ ପୋଲିସ ସହ ସମନ୍ୱୟ ରଖି ପ୍ରତିବାଦକାରୀଙ୍କ ଦିଲ୍ଲୀ ଅଭିମୁଖେ ଯାତ୍ରା ରୋକିବା ପାଇଁ ଆବଶ୍ୟକ ପ୍ରତିଷେଧମୂଳକ ପଦକ୍ଷେପ ନେବାକୁ କୁହାଯାଇଥିଲା। କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ ରାଜ୍ୟଗୁଡ଼ିକର ମୁଖ୍ୟ ସଚିବ ଓ ପୋଲିସ ମହାନିର୍ଦ୍ଦେଶକମାନଙ୍କୁ ପଠାଇଥିବା ଯୋଗାଯୋଗରେ ପ୍ରସ୍ତାବିତ ପ୍ରତିବାଦ ଯୋଗୁଁ ଆଇନଶୃଙ୍ଖଳା ଓ ସାଧାରଣ ଶାନ୍ତି ବ୍ୟବସ୍ଥା ପ୍ରଭାବିତ ହେବାର ଗମ୍ଭୀର ଆଶଙ୍କା ଥିବା ଦର୍ଶାଇଥିଲେ। ପ୍ରତିବାଦକୁ ନେଇ ସୁରକ୍ଷା ବ୍ୟବସ୍ଥା ଓ ସାଧାରଣ ଲୋକଙ୍କ ଯାତାୟାତ ଅଧିକାର ମଧ୍ୟରେ ସନ୍ତୁଳନ ରଖିବା ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି।
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ପ୍ରଦର୍ଶନ କରି ଦିଲ୍ଲୀ ପୋଲିସ ୬୦୦ ଲୋକଙ୍କୁ ଅଟକ ରଖିଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଦ୍ୱାରା କରାଯାଇଥିବା ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ (SIR) ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଓ ଭୋଟର ତାଲିକାରୁ ଲକ୍ଷ ଲକ୍ଷ ନାମ କାଟିଦିଆଯାଇଥିବା ଅଭିଯୋଗ କରି CJP ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବି କରୁଛି।
ଦିଲ୍ଲୀରେ କକରୋଚ ଜନତା ପାର୍ଟି (ସିଜେପି)ର ଆନ୍ଦୋଳନ ପୂର୍ବରୁ ଜର୍ମାନୀରୁ ଭାରତ ପହଞ୍ଚିଥିବା ୟୁଟ୍ୟୁବର ଧ୍ରୁବ ରାଠୀଙ୍କୁ ପୋଲିସ ନିଜ ହେପାଜତକୁ ନେଇଛି। ଧ୍ରୁବ ରାଠୀ ଅକ୍ଟୋବର ୮ରେ ଜର୍ମାନୀରୁ ଭାରତ ପହଞ୍ଚିଥିଲେ। ସର୍ବପ୍ରଥମେ ସେ ବେଙ୍ଗାଲୁରୁରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆୟୋଜିତ ବିରୋଧ ପ୍ରଦର୍ଶନରେ ସାମିଲ୍ ହୋଇଥିଲେ। ଏହା ପରେ ଅକ୍ଟୋବର ୯ ରାତିରେ ଦିଲ୍ଲୀ ପହଞ୍ଚି ଇଣ୍ଡିଆ ଗେଟରୁ ଏକ ଭିଡିଓ ସେୟାର କରିଥିଲେ ଏବଂ ପୁଣି ଗୁରୁଗ୍ରାମ ସ୍ଥିତ ନିଜ ଘରକୁ ଚାଲି ଯାଇଥିଲେ।
ପୂର୍ବ ଯୋଜନା ଅନୁଯାୟୀ ଶନିବାର ହେବାକୁ ଥିବା ପ୍ରଦର୍ଶନ ପାଇଁ ତାଙ୍କୁ ଜନ୍ତର ମନ୍ତର ପହଞ୍ଚିବାର ଥିଲା। ହେଲେ ଏହା ପୂର୍ବରୁ ଶନିବାର ସକାଳେ ଦିଲ୍ଲୀ ପୋଲିସ ତାଙ୍କୁ ଘରୁ ଉଠାଇ ନେଇଛି। ଧ୍ରୁବ ରାଠୀଙ୍କ ଗୁରୁଗ୍ରାମ ସେକ୍ଟର ୫୬ ସ୍ଥିତ ଘରେ ପହଞ୍ଚିଲେ ଦିଲ୍ଲୀ ଓ ଗୁରୁଗ୍ରାମ ପୋଲିସ। ଘରେ ପଶି ଧ୍ରୁବ ରାଠୀଙ୍କୁ ବଳପୂର୍ବକ ଉଠାଇ ନେଇଛି ପୋଲିସ। ଏହି ସମୟରେ ଘରେ ତାଙ୍କ ମାଆ ଥିବା ବେଳେ ଦିଲ୍ଲୀ ପୋଲିସର ଟିମରେ ପ୍ରାୟ ୫୦ ସଦସ୍ୟ ଉପସ୍ଥିତ ଥିଲେ।
ଦିଲ୍ଲୀରେ କକରୋଚ ଜନତା ପାର୍ଟି (ସିଜେପି)ର ପ୍ରଦର୍ଶନକୁ ସୁପ୍ରିମକୋର୍ଟ ଓକିଲଙ୍କ ସମର୍ଥନ ମିଳିଛି। ଫଳରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ଜାରି ଆନ୍ଦୋଳନ ଆହୁରି ତୀବ୍ର ହୋଇଛି। ଶନିବାର ଓକିଲମାନେ ସୁପ୍ରିମକୋର୍ଟରୁ ଜନ୍ତର ମନ୍ତରର ଅଭିମୁଖେ ରାଲି ବାହାରୁଥିବା ବେଳେ ଦିଲ୍ଲୀ ପୋଲିସ ରାସ୍ତାରୁ ହିଁ ସେମାନଙ୍କୁ ଉଠାଇ ନେଇଛି। ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ସୁପ୍ରିମକୋର୍ଟ ବାର ଆସୋସିଏସନ।
ବାର ଆସୋସିଏସନ ଭାରତର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କୁ ଦିଲ୍ଲୀ ପୋଲିସ ଏବଂ କେନ୍ଦ୍ରୀୟ ବଳ ଦ୍ୱାରା ଓକିଲଙ୍କୁ ଅଟକ ରଖିବା ମାମଲାରେ ହସ୍ତକ୍ଷେପ କରିବାକୁ ଅପିଲ୍ କରିଛି। ସୁପ୍ରିମକୋର୍ଟ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରୁଥିବା ବରିଷ୍ଠ ଓ ଯୁବ ଓକିଲ, ବିଶେଷ କରି ମହିଳା ଓକିଲଙ୍କ ବିରୋଧରେ ପୋଲିସର ଆବଶ୍ୟକତାଠୁ ଅଧିକ ବଳ ପ୍ରୟୋଗ ଏବଂ ସେମାନଙ୍କୁ ଅଟକ ରଖିବାକୁ କଡ଼ା ଶବ୍ଦରେ ନିନ୍ଦା କରିଛି ସୁପ୍ରିମକୋର୍ଟ ବାର ଆସୋସିଏସନ।
