ଦକ୍ଷିଣ ଓଡ଼ିଶାରେ ବନ୍ୟା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି):ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତିର ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରଥମେ ଏରିଅଲ ସର୍ଭେ କରିବା ପରେ ସେ ଜୟପୁରରେ ପହଞ୍ଚିଥିଲେ। ସେଠାରୁ କୋଟପାଡ ଯାଇ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି। ବୋଟ୍ରେ ଯାଇ ବନ୍ୟା ପ୍ରଭାବିତ ଅଞ୍ଚଳ ଦେଖିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ବନ୍ୟା ସ୍ଥିତି ପରିଦର୍ଶନ କରିଛନ୍ତି। ସେଠାରେ ଆଶ୍ରୟସ୍ଥଳରେ ଥିବା ବିପନ୍ନଙ୍କୁ ଭେଟି ଆଲୋଚନା କରିଛନ୍ତି। ଏହାପରେ ଜୟପୁରରେ ବରିଷ୍ଠ ଅଧିକାରୀଙ୍କ ସହ ସ୍ଥିତି ସମୀକ୍ଷା କରିବେ।
ଲଗାଣ ବର୍ଷା ପରେ କୋରାପୁଟ ଜିଲ୍ଲାର କୋଟପାଡ ବ୍ଲକରେ ସ୍ଥିତି ସଙ୍ଗୀନ ରହିଛି। ଜଳବନ୍ଦୀ ଅବସ୍ଥାରେ ୪ଟି ପଞ୍ଚାୟତର ୧୫ରୁ ଅଧିକ ଗାଁ ରହିଛି। ୩ ଦିନ ହେଲା ଲୋକଙ୍କୁ ଜଳବନ୍ଦୀ ସ୍ଥାନରୁ ସ୍ଥାନାନ୍ତର କରିବା ପାଇଁ ODRAF ଓ ଅଗ୍ନିଶମ ବାହିନୀ ଲାଗିଛନ୍ତି। ଅଗ୍ନିଶମ ବାହିନୀର ୨ଟି ଓ ODRAFର ୪ଟି ବୋଟ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛି।
ଅବପାତ ଜନିତ ଲଗାଣ ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶାରେ ବନ୍ୟା ପରିସ୍ଥିତି ଦେଖା ଦେଇଛି। ବନ୍ୟାରେ ଅନେକଙ୍କ ଘର ସଂସାର ଉଜୁଡ଼ି ଯାଇଛି। କେଉଁଠି ଗାଁ ପାଣି ଘେରରେ ରହିଛି, କେଉଁଠି ଘରେ ବନ୍ୟାଜଳ ପଶିଯାଇଛି। ପୁଣି କେଉଁଠି ରାସ୍ତା ଧୋଇଯାଇଛି ଓ ଚାଷଜମିରେ ପାଣି ଜମି ରହିଛି। ବର୍ଷାର ତାଣ୍ଡବ ପରେ ଏବେ କ୍ଷୟକ୍ଷତିର ବଡ଼ ଚିତ୍ର ସାମ୍ନାକୁ ଆସୁଛି।
ଏହି ବିପର୍ଯ୍ୟୟର ବାସ୍ତବ ସ୍ଥିତି ଦେଖିବାକୁ ମୁଖ୍ୟମନ୍ତ୍ରୀ ଆକାଶମାର୍ଗରେ ବୁଲିଛନ୍ତି। କେବଳ ଆକାଶରୁ ନୁହେଁ, ବୋଟ୍ରେ ଯାଇ ବନ୍ୟାଞ୍ଚଳର ସ୍ଥିତି ମଧ୍ୟ ଦେଖିଛନ୍ତି। ଏପରିକି କଳିଙ୍ଗା ଘାଟିରେ ବର୍ଷା ଯୋଗୁଁ ହୋଇଥିବା କ୍ଷୟକ୍ଷତି ମଧ୍ୟ ବୁଲି ଦେଖିଛନ୍ତି।
ଦକ୍ଷିଣ ଓଡ଼ିଶାରେ ଅବପାତଜନିତ ବର୍ଷା ଯୋଗୁଁ କୋରାପୁଟ, ନବରଙ୍ଗପୁର ଓ ଗଞ୍ଜାମ ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। ଅନେକ ଅଞ୍ଚଳ ଜଳବନ୍ଦୀ ହୋଇଥିବା ବେଳେ ଘରଦ୍ୱାର, ରାସ୍ତାଘାଟ ଓ ଚାଷଜମି କ୍ଷତିଗ୍ରସ୍ତ ହୋଇଛି।
ଏହି ସବୁ ଅଞ୍ଚଳ ଉପରେ ମୁଖ୍ୟମନ୍ତ୍ରୀ ଆକାଶମାର୍ଗରୁ ନଜର ପକାଇଛନ୍ତି। କେଉଁ ଅଞ୍ଚଳରେ କେତେ ପାଣି, କେଉଁଠି ଯୋଗାଯୋଗ ବ୍ୟବସ୍ଥା ବିଛିନ୍ନ ଏବଂ କେଉଁଠି ଅଧିକ ରିଲିଫ୍ ଓ ଉଦ୍ଧାର ଆବଶ୍ୟକ, ସେସବୁର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଥିସହିତ ଜଳବନ୍ଦୀ ଅଞ୍ଚଳର ବାସ୍ତବ ସ୍ଥିତି ଜାଣିବା ପାଇଁ ବୋଟରେ ଯାଇ ବନ୍ୟାଞ୍ଚଳ ବୁଲି ଦେଖିଛନ୍ତି। ବନ୍ୟାଜଳ ଘେରରେ ରହିଥିବା ଲୋକଙ୍କ ସ୍ଥିତି, ଉଦ୍ଧାର ଓ ରିଲିଫ୍ ବ୍ୟବସ୍ଥା ସହ ଜଳ ନିଷ୍କାସନ ନେଇ ସ୍ଥିତି ଅନୁଧ୍ୟାନ କରାଯାଇଛି।
