FeaturedLatestNews

ଗୁଣିଗାରେଡ଼ି ଆଳରେ ଦୁଷ୍କର୍ମ: ନବବିବାହିତାଙ୍କୁ ୩ ଦିନ ଅଟକାଇ ନିର୍ଯାତନା, ଗୁଣିଆ ଗିରଫ

ବାରିପଦା(ସଂକେତ ଟିଭି): ବିବାହର କିଛି ଦିନ ପରେ ନବବିବାହିତାଙ୍କୁ ଶାଶୁଘରେ ନିର୍ଯାତନା ଦିଆଯାଉଥିଲା । ପରିବାରରେ ଅଶାନ୍ତି ଲାଗି ରହିଥିଲା । ଅଶାନ୍ତି ଦୂର କରିବା ପାଇଁ ଗୁଣିଆ ପାଖରେ ଆଶ୍ରୟ ନେଇଥିଲେ ମହିଳା । ଗୁଣିଗାରେଡ଼ି ଦ୍ଵାରା ସମସ୍ତ ସମସ୍ୟାର ସମାଧାନ ହୋଇପାରିବ ବୋଲି ଅନ୍ଧବିଶ୍ବାସ ରହିଥିଲା । ମାତ୍ର ଗୁଣିଗାରେଡ଼ି ଆଳରେ ଗୁଣିଆ ଜଣଙ୍କ ମହିଳାଙ୍କୁ ନିଜ ଘରେ ୩ ଦିନ ରଖି ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ପୀଡ଼ିତା । ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅଞ୍ଚଳରୁ ଏଭଳି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଏନେଇ ବିଶୋଇ ଥାନାରେ ଏକ ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି ।

୩୦ ବର୍ଷିଆ ପୀଡିତାଙ୍କ ଅଭିଯୋଗ ଅନୁଯାୟୀ, ମହିଳା ଜଣଙ୍କ କେନ୍ଦୁଝର ଜିଲ୍ଲାର ଜୋଡା ଅଞ୍ଚଳର ବାସିନ୍ଦା । ବାପା ମାଆଙ୍କୁ ହରାଇ ସେ ଗୋରୁମହିଷାଣୀରେ ସାଙ୍ଗଙ୍କ ସହିତ ରହୁଥିଲେ । ଚଳିତ ବର୍ଷ ସେପ୍ଟେମ୍ବର ମାସରେ ବିଶୋଇ ଥାନା ଅଞ୍ଚଳର ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ । ଯୁବକଙ୍କର ମଧ୍ୟ ନିଜ ମାଆ ନ ଥିବାରୁ ତାଙ୍କ ସାନ ମାଆ, ବାପାଙ୍କ ସହିତ ଗ୍ରାମରେ ରହୁଥିଲେ । ବିବାହର କିଛି ଦିନ ପରେ ଶାଶୁଘରେ ମହିଳାଙ୍କୁ ନିର୍ଯାତନା ଆରମ୍ଭ ହୋଇଯାଇଥିଲା । କିଛି ଦିନ ଜ୍ବର ଲାଗି ରହିବା ସହିତ ସାନ ମାଆଙ୍କ ନିର୍ଯାତନା ଅସହ୍ୟ ହୋଇ ପଡ଼ୁଥିଲା । ସେପଟେ ଏସବୁ ନେଇ ସ୍ୱାମୀଙ୍କ ସହିତ ତିକ୍ତତା ସୃଷ୍ଟି ହୋଇଥିଲା ।

ସ୍ବାମୀ ସହିତ ସୁସମ୍ପର୍କ ଚାହୁଁଥିବା ଓ ପାରିବାରିକ ନିର୍ଯାତନା ଯୋଗୁଁ ଭାଙ୍ଗି ପଡ଼ି ଅଧିକାଂଶ ସମୟ ସ୍ବାସ୍ଥ୍ୟ ଖରାପ ରହୁଥିବାରୁ କୌଣସି ଉପାୟ ନ ପାଇ ଶେଷରେ ଜଣେ ଗୁଣିଆକୁ ମହିଳା ଜଣଙ୍କ ବିଶ୍ବାସ କରିନେଇଥିଲେ । ଗୁଣିଗାରେଡ଼ି ଦ୍ଵାରା ପୁଣି ଥରେ ସ୍ବାମୀଙ୍କ ସହିତ ସୁସମ୍ପର୍କ ସ୍ଥାପନ, ସ୍ବାସ୍ଥ୍ୟ ଠିକ୍ ରହିବା ଓ ପାରିବାରିକ ନିର୍ଯାତନା ବନ୍ଦ ହୋଇଯିବ ବୋଲି ଗୁଣିଆ ଜଣକ କହିଥିଲା । ଏଥିରେ ବିଶ୍ବାସ କରି ଗତ ଗୁରୁବାର ଦିନ ବିଶୋଇ ଥାନା ଅନ୍ତର୍ଗତ ମଧୁପୁର ଗ୍ରାମ ପୁକ୍ରିପୁଟ ଡ଼୍ୟାମ ଛକ ସ୍ଥିତ ଗୁଣିଆ କାମ କରୁଥିବା ଲକ୍ଷ୍ମଣ ଲୋହାରଙ୍କ ଘରକୁ ମହିଳା ଜଣଙ୍କ ଯାଇଥିଲେ ।

ଲକ୍ଷ୍ମଣ ଲୋହାର ତନ୍ତ୍ରମନ୍ତ୍ର ଓ ପୂଜାର୍ଚ୍ଚନା ମାଧ୍ୟମରେ ସମସ୍ତ ସମସ୍ୟାର ସମାଧାନ କରିଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲା । ମହିଳାଙ୍କ ବିଶ୍ବାସର ଫାଇଦା ଉଠାଇ ଜୋର ଜବରଦସ୍ତ ତିନି ଦିନ ଧରି ଗୁଣିଆ ଜଣକ ମହିଳାଙ୍କ ସହିତ ଦୁଷ୍କର୍ମ କରିଥିଲା । ଅସୁସ୍ଥ ହୋଇ ପଡିବାରୁ ଶେଷରେ ମହିଳା ଜଣକ ସୋମବାର ଦିନ ୧୦୮ ଆମ୍ବୁଲାନ୍ସ ଡାକି ରାଇରଙ୍ଗପୁର ମେଡିକାଲ ଆସି ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ତାଙ୍କ ସହିତ ଘଟିଥିବା ଘଟଣା ବିଷୟରେ ହସ୍ପିଟାଲରେ ମଧ୍ୟ କହିଥିଲେ । ଘଟଣା ସମ୍ପର୍କରେ ଖବର ପାଇ ମଙ୍ଗଳବାର ଦିନ ବିଶୋଇ ଥାନା ପୋଲିସ ମଧ୍ୟ ରାଇରଙ୍ଗପୁର ହସ୍ପିଟାଲରେ ପହଞ୍ଚିଥିଲେ ।

ବିଶୋଇ ଥାନା ଅଧିକାରିଣୀ ସୁବର୍ଣ୍ଣା ବେହେରା କହିଛନ୍ତି, “ଘଟଣାକୁ ନେଇ ବିଶୋଇ ଥାନାରେ ପୋଲିସ କେସ ନଂ ୨୧୮/୨୬ରେ ଏକ ଦୁଷ୍କର୍ମ ମାମଲା ରୁଜୁ କରାଯାଇଛି । ପରେ ଅଭିଯୁକ୍ତ ଲକ୍ଷ୍ମଣ ଲୋହାରକୁ ଗିରଫ କରି ଥାନାକୁ ଆଣି ପଚରାଉଚରା ଜାରି ରହିଛି । ଘଟଣାର ତଦନ୍ତ ଜାରି ରହିଛି । ତଦନ୍ତ ପ୍ରକ୍ରିୟା ଶେଷ ହେବା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇବ ।”

Leave a Reply

Your email address will not be published. Required fields are marked *