FeaturedLatestNews

ଘୂର୍ଣ୍ଣିବଳୟ ସୃଷ୍ଟି: ୧୬ରୁ ୧୮ ତାରିଖ ମଧ୍ୟରେ ଓଡ଼ିଶାରେ ବର୍ଷା

ଭୁବନେଶ୍ୱର (ସଂକେତ ଟିଭି): ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଆସନ୍ତା ଅକ୍ଟୋବର ୧୩ ତାରିଖରେ ଲଘୁଚାପ ରୂପ ନେଇପାରେ। ଏହାର ପ୍ରଭାବରେ ଆସନ୍ତା ଅକ୍ଟୋବର ୧୬ରୁ ୧୮ ତାରିଖ ମଧ୍ୟରେ ଓଡ଼ିଶାର ଉପକୂଳ ଓ ସଂଲଗ୍ନ ଆଭ୍ୟନ୍ତରୀଣ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ବାତ୍ୟା ଆଶଙ୍କା ନାହିଁ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ମୌସୁମୀ ଅପସାରଣ ପ୍ରକ୍ରିୟା ଓ ଉତ୍ତର-ପୂର୍ବ ମୌସୁମୀର ସକ୍ରିୟତା ମଧ୍ୟରେ ଏହି ପାଣିପାଗ ପ୍ରଣାଳୀ ସୃଷ୍ଟି ହେବାକୁ ଯାଉଛି। ସାମୁଦ୍ରିକ ଓ ବାୟୁମଣ୍ଡଳୀୟ ପରିସ୍ଥିତି ଅଧିକ ଅନୁକୂଳ ନଥିବାରୁ ଏହା ଲଘୁଚାପ କିମ୍ବା ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ମଧ୍ୟରେ ସୀମିତ ରହିପାରେ।

ତେଣୁ ଲଘୁଚାପ ଅଧିକ ଘନୀଭୂତ ହେବାର ସମ୍ଭାବନା କମ୍ ରହିଛି ଏବଂ ଓଡ଼ିଶା ଉପରେ ବାତ୍ୟା ଆଶଙ୍କା ନାହିଁ। କିନ୍ତୁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବର୍ଷାର ପ୍ରଭାବ ଅପେକ୍ଷାକୃତ ଅଧିକ ରହିପାରେ। ବିଶେଷ କରି ଅକ୍ଟୋବର ୧୭ ଓ ୧୮ ତାରିଖରେ କେତେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ପଶ୍ଚିମ ଓଡ଼ିଶାରେ ତୁଳନାତ୍ମକ ଭାବରେ ବଡ଼ ଧରଣର ବର୍ଷାର ସମ୍ଭାବନା କମ୍ ଥିବାବେଳେ ଦଶହରା ସମୟରେ ପାଗ ଅପେକ୍ଷାକୃତ ଶୁଖିଲା ରହିବାର ସମ୍ଭାବନା ଅଧିକ।

ଆସନ୍ତା ୧୩ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ଥିଲେ ସୁଦ୍ଧା ଅବପାତ ନେଇ ଚିତ୍ର ଅସ୍ପଷ୍ଟ ରହିଛି। ଆସନ୍ତା ୨୪ ଘଣ୍ଟାରେ ଓଡ଼ିଶାର ଉତ୍ତର ଓ ଉପକୂଳବର୍ତ୍ତୀ ଅଞ୍ଚଳ ଅର୍ଥାତ୍ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ଓ ଖୋର୍ଦ୍ଧା ଜିଲ୍ଲାର କେତେକ ସ୍ଥାନରେ ବଜ୍ରପାତ ଏବଂ ଝଟକା ପବନର ଆଶଙ୍କା ରହିଛି। ଏହି ସମୟରେ ବଜ୍ରପାତ ସହ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ଝଟକା ପବନ ବହିବାର ସମ୍ଭାବନା ଥିବାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ହଳଦିଆ ସତର୍କତା ଜାରି କରାଯାଇଛି।

ତେବେ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆଗାମୀ ୭ ଦିନ ମଧ୍ୟରେ ଦିନ ଓ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଅନ୍ୟପକ୍ଷରେ, ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଜାରି ରହିଛି।

Leave a Reply

Your email address will not be published. Required fields are marked *