ଭୁବନେଶ୍ୱରରେ ୧,୬୦୮ଟି ସୁଲଭ ଆବାସ ଲୋକାର୍ପଣ, ୧୨ଟି ଖେଳ ପଡ଼ିଆ ଉଦ୍ଘାଟିତ
ଭୁବନେଶ୍ୱର (ସଂକେତ ଟିଭି): ଭୁବନେଶ୍ୱରରେ ଗୃହହୀନଙ୍କୁ ଆବାସ ଯୋଗାଣ ଓ ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ଦିଆଯାଇଛି। ଘାଟିକିଆ ଠାରେ ‘ନୀଳକଣ୍ଠେଶ୍ୱର ନିବାସ’ ଏବଂ ଗାଡ଼କଣ ଠାରେ ‘ମୁକ୍ତେଶ୍ୱର ରେସିଡେନ୍ସି’ ନାମକ ଦୁଇଟି ସୁଲଭ ଆବାସିକ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ।
ଗାଡ଼କଣରେ ୬ ଏକରରୁ ଅଧିକ ଜମି ଉପରେ ପ୍ରାୟ ୯୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ୬୮୦ଟି ଆବାସ ଗୃହ ଏବଂ ଘାଟିକିଆରେ ୫ ଏକରରୁ ଅଧିକ ଜମି ଉପରେ ୬୬ କୋଟି ୪୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୯୨୮ଟି ଆବାସ, ଅର୍ଥାତ୍ ମୋଟ ୧,୬୦୮ଟି ସୁଲଭ ଆବାସ ସହ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ୧୨ଟି ଅତ୍ୟାଧୁନିକ ଖେଳ ପଡ଼ିଆ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି। ଏଥିସହିତ ବୁଦ୍ଧ ବିହାର, ନୀଳମାଧବ, ସୁବୁଦ୍ଧିପୁର ଓ ଶାନ୍ତିପଲ୍ଲୀ ଠାରେ ମଧ୍ୟ ୯୬୨ଟି ପରିବାରକୁ ଗୃହପ୍ରବେଶ କରାଯାଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଖାଦ୍ୟ ପରେ ଜଣେ ବ୍ୟକ୍ତିଙ୍କ ପାଇଁ ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ଆବଶ୍ୟକତା ହେଉଛି ‘ମୁଣ୍ଡ ଉପରେ ଛାତ’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେବଳ ଘର ନିର୍ମାଣ ନୁହେଁ, ବରଂ ଶୌଚାଳୟ, ପାଇପ୍ ଯୋଗେ ପିଇବା ପାଣି, ବିଦ୍ୟୁତ୍ ଏବଂ ରନ୍ଧନ ଗ୍ୟାସ ଯୋଗାଇ ଦେଇ ଗରିବ ପରିବାରଙ୍କ ସର୍ବନିମ୍ନ ଆବଶ୍ୟକତା ପୂରଣ କରୁଛନ୍ତି। ଓଡ଼ିଶା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ଅଧୀନରେ ୨ ଲକ୍ଷରୁ ଅଧିକ ଘର ମଞ୍ଜୁର ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ ମାଧ୍ୟମରେ ପ୍ରାୟ ପାଞ୍ଚ ଲକ୍ଷ ଘର ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
ସହରରେ ପ୍ରବାସୀ ଶ୍ରମିକ ଓ ନିମ୍ନ ଆୟବର୍ଗର ପରିବାରଙ୍କୁ ସୁଲଭ ଭଡ଼ାରେ ଘର ଯୋଗାଇ ଦେବା ପାଇଁ “PMAY -Urban BANDHU” ଯୋଜନା ଆରମ୍ଭ କରାଯାଇଥିବା କଥା ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଗାଡ଼କଣ ଠାରେ ସୁଲଭ ଭଡ଼ା ଆବାସ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାଦ୍ୱାରା ଶ୍ରମିକମାନେ ନିଜ କାର୍ଯ୍ୟସ୍ଥଳୀ ନିକଟରେ କମ୍ ଭଡ଼ାରେ ନିଶ୍ଚିନ୍ତରେ ରହିପାରିବେ। ଏହାଛଡ଼ା ହିତାଧିକାରୀମାନଙ୍କୁ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା ମାଧ୍ୟମରେ ଗୃହ ଋଣ ପ୍ରଦାନ କରାଯାଇଛି, ଯାହାଦ୍ୱାରା ସେମାନେ ନିଜର ଅଂଶ ଟଙ୍କା ପରିଶୋଧ କରି ନିଜ ଘରର ମାଲିକ ହୋଇପାରିବେ।
