ଜନ୍ତର ମନ୍ତର ଘଟଣା: ଦୁଇ ସିଜେପି ନେତା ଗିରଫ, ପ୍ରଥମ ଥର ପାଇଁ ରାହୁଲ ଗାନ୍ଧୀଙ୍କ ସମର୍ଥନ
ନୂଆଦିଲ୍ଲୀ (ସଂକେତ ଟିଭି): ଦେଶର ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ଏବଂ SIR ପ୍ରକ୍ରିୟା ବିରୋଧରେ ଜାରି ଆନ୍ଦୋଳନ ଥମିବାର ନାଁ ନେଉନି। ଆନ୍ଦୋଳନ ଏବଂ ବିକ୍ଷୋଭ ପ୍ରଦର୍ଶନ ଆଉ ଜ୍ଞାନେଶ କୁମାରଙ୍କ ଠାରେ ସୀମିତ ହୋଇ ରହି ନାହିଁ। ଏହା ମଧ୍ୟରେ ବିରୋଧୀଙ୍କ ରାଜନୀତିରେ ଆସିଛି ଐତିହାସିକ ମୋଡ଼।
ଗେଟ୍ ଡେଇଁ ଜନ୍ତର ମନ୍ତରରେ ଜାତୀୟ ପତାକା ଉଡ଼ାଇବା ଏବଂ ବିରୋଧ ପ୍ରକାଶ କରିବା ଅଭିଯୋଗରେ କକରୋଚ ଜନତା ପାର୍ଟି (CJP)ର ସହସଂଯୋଜକ ଆଶୁତୋଷ ରାଙ୍କା ଓ ସୌରଭ ଦାସଙ୍କୁ ୫ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ଘଟଣାକୁ ନେଇ ଏବେ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ।
ଦେଶର ଏହି ସର୍ବପୁରାତନ ରାଜନୈତିକ ଦଳର ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରଥମ ଥର CJP ସମର୍ଥନରେ ଖୋଲାଖୋଲି ଆଗେଇ ଆସିଛନ୍ତି। ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି କେନ୍ଦ୍ର ସରକାରଙ୍କୁ କଡ଼ା ଶବ୍ଦରେ ସମାଲୋଚନା କରିଛନ୍ତି।
ସେ କହିଛନ୍ତି, ଜନ୍ତର ମନ୍ତରକୁ ଧାରଣା ପ୍ରଦର୍ଶନ ତାଲିକାରୁ ହଟାଇବା ଏବଂ ଯୁବକଙ୍କୁ ଜେଲ୍ ପଠାଇବାର କାର୍ଯ୍ୟାନୁଷ୍ଠାନ ସରକାରଙ୍କ ‘କାପୁରୁଷପଣ’କୁ ଦର୍ଶାଉଛି। ଶାନ୍ତିପୂର୍ଣ୍ଣ ଢଙ୍ଗରେ ଜନ୍ତର ମନ୍ତରରେ ତ୍ରିରଙ୍ଗା ଉଡ଼ାଇବା କୌଣସି ଅପରାଧ ନୁହେଁ। କେବଳ ଏଥିପାଇଁ ଯୁବକଙ୍କୁ ଜେଲରେ ଭର୍ତ୍ତି କରିବା ହେଉଛି କାପୁରୁଷଙ୍କ କାମ।
ସେ ଲେଖିଛନ୍ତି, ଛାତ୍ର, ଯୁବ, INDIA ବ୍ଲକ- ଅଲଗା ଅଲଗା ପତାକା, ମାତ୍ର ସଭିଙ୍କର ଗୋଟିଏ ଉଦ୍ଦେଶ୍ୟ। ନାଗରିକଙ୍କ ପାଇଁ ନିଜର ସାମ୍ବିଧାନିକ ଅଧିକାର ମାଗିବା ହିଁ ଆନ୍ଦୋଳନର ମୂଳ ଉଦ୍ଦେଶ୍ୟ। ଜନ୍ତର ମନ୍ତର ଭାରତୀୟ ଜନତାଙ୍କର। ଏହାକୁ ଆମେ ପୁଣି ଥରେ ଛଡ଼ାଇ କି ରହିବୁ ବୋଲି ରାହୁଲ କହିଛନ୍ତି।
ରାଜନୈତିକ ବିଶ୍ଳେଷକଙ୍କ ମଧ୍ୟରେ କଂଗ୍ରେସ ଏବଂ ସିଜେପି ଏ ପର୍ଯ୍ୟନ୍ତ ନିଜ ନିଜ ରାସ୍ତାରେ ଭିନ୍ନ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ ଏବଂ ଆନ୍ଦୋଳନ କରି ଆସୁଥିଲେ। ହେଲେ ରାହୁଲଙ୍କ ଏହି ପଦକ୍ଷେପ ଦୁଇ ପାର୍ଟି ମଧ୍ୟରେ ଲମ୍ବା ସମୟ ଧରି ଚାଲି ଆସିଥିବା ରାଜନୈତିକ ଦୂରତାକୁ କମ କରିବାର ସଙ୍କେତ ଦେଉଛି। କିନ୍ତୁ ରାହୁଲ ଗାନ୍ଧୀ ନିଜ ପୋଷ୍ଟରେ କେଉଁଠି ବି ସିଜେପି କିମ୍ବା ଏହାର ନେତାଙ୍କ ନାଁ ସିଧାସଳଖ ଭାବେ ନେଇ ନାହାନ୍ତି।
ସୂଚନାଯୋଗ୍ୟ, ଚଳିତ ବର୍ଷ ନିଟ୍ ୟୁଜି ପେପର ଲିକ୍ ମାମଲାରେ ଜନ୍ତର ମନ୍ତରରେ ହୋଇଥିବା ଆନ୍ଦୋଳନରେ କକରୋଚ ଜନତା ପାର୍ଟି (ସିଜେପି) ଏକ ପ୍ରମୁଖ ଛାତ୍ର-ଯୁବ ଶକ୍ତି ଭାବେ ସାମ୍ନାକୁ ଆସିଛି। ଜୁଲାଇରେ ସିଜେପିର ବଡ଼ ଧରଣର ଆନ୍ଦୋଳନ ପ୍ରଭାବରେ ହିଁ କେନ୍ଦ୍ର ମନ୍ତ୍ରୀଙ୍କ ଇସ୍ତଫା ହୋଇଥିଲା। ସେହି ସମୟରେ କଂଗ୍ରେସ ଏବଂ ରାହୁଲ ଗାନ୍ଧୀ ମଧ୍ୟ ପରୀକ୍ଷା ପେପର ଲିକ୍ ପ୍ରସଙ୍ଗ ଉଠାଇଥିଲା। ମାତ୍ର ସିଜେପିର ମଞ୍ଚରୁ ଦୂରେଇ ରହିଥିଲେ ରାହୁଲ ଗାନ୍ଧୀ।
କକରୋଚ ଜନତା ପାର୍ଟି (ସିଜେପି)ର ମୁଖପାତ୍ର ସୌରଭ ଦାସ, ଆଜିଙ୍କ୍ୟ ସିନ୍ଦେ ଏବଂ ଆଶୁତୋଷ ରାଙ୍କାଙ୍କୁ ମଙ୍ଗଳବାର ଦିଲ୍ଲୀ ପୁଲିସ ଗିରଫ କରିଛି। ସେମାନେ ସମର୍ଥକଙ୍କ ସହ ଜନ୍ତରମନ୍ତରରେ ପହଞ୍ଚି ସ୍ଲୋଗାନବାଜି କରିଥିଲେ।
ଏହି ଘଟଣାରେ ପୁଲିସ ଉଭୟଙ୍କ ନାମରେ ଏଫଆଇଆର ରୁଜୁ କରିଛି। ସେମାନେ ପିସ୍ ବଣ୍ଡ୍ ଉଲଂଘନ କରିଥିବାରୁ ମାମଲା ରୁଜୁ କରାଯାଇଛି। ଏଣିକି ଜନ୍ତରମନ୍ତରରେ ଆନ୍ଦୋଳନକୁ ବେଆଇନ ବିବେଚନା କରାଯିବ। ନୂଆ ନିୟମ ଜାରି ହେବା ପରେ ପୁଲିସ ବ୍ୟାରିକେଡ୍ ଲଗାଇଛି। ସମସ୍ତ ଫାଟକ ମଧ୍ୟ ବନ୍ଦ ରହିଛି। ଏଭଳି ସ୍ଥିତିରେ ସିଜେପି ନେତାମାନେ ମଙ୍ଗଳବାର ଫାଟକ ଉପରେ ଚଢ଼ି ଜନ୍ତରମନ୍ତର ଭିତରେ ପଶିଥିଲେ। ସେଠାରେ ସେମାନେ ଜାତୀୟ ପତାକା ପ୍ରଦର୍ଶନ ସହିତ ସ୍ଲୋଗାନ ଦେଇଥିଲେ।
ପୁଲିସ ଏହା ଦେଖିନେବା ପରେ ସେମାନଙ୍କୁ ଗିରଫ କରିଥିଲା। ଏହି ଗିରଫଦାରିକୁ ସିଜେପି ମୁଖ୍ୟ ଅଭିଜିତ ଦୀପକେ ତୀବ୍ର ସମାଲୋଚନା କରିଛନ୍ତି। ତ୍ରିରଙ୍ଗା ଉଡ଼ାଇବା କେବେଠାରୁ ନିୟମ ଉଲଂଘନ ବିବେଚିତ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ତେବେ ଯେଉଁମାନେ ଏଭଳି ଭାବୁଛନ୍ତି, ସେମାନେ ଦେଶଦ୍ରୋହୀ। ଆମେ ନିଜ ଦେଶରେ ତ୍ରିରଙ୍ଗା ପତାକା ଉଡ଼ାଇଲୁ। କିନ୍ତୁ ଏହାକୁ ବେଆଇନ ଦର୍ଶାଗଲା। ଏକଛତ୍ରବାଦ ମାନସିକତାର ଏହା ସବୁଠୁ ବଡ଼ ଉଦାହରଣ।
ଆଶୁତୋଷ କହିଛନ୍ତି, ସିଇସି ଜ୍ଞାନେଶ କୁମର ଇସ୍ତଫା ନ ଦେବା ପର୍ଯ୍ୟନ୍ତ ଜନ୍ତରମନ୍ତରରେ ହିଁ ବିକ୍ଷୋଭ ଚାଲିବ। ଆଜି ୧୦ ଲୋକ ଆସିଛନ୍ତି, କାଲି ୧ ହଜାର ଏବଂ ପରଦିନ ୧୦ ହଜାର ଲୋକ ଆସି ପହଞ୍ଚିବେ। ଏହା ପୂର୍ବରୁ ସରକାର ସୋମବାର ଜନ୍ତରମନ୍ତରକୁ ଧର୍ଯ୍ୟ ଧାରଣାସ୍ଥଳ ତାଲିକାରୁ ହଟାଇ ଦେଇଥିଲେ। ତେଣୁ ଏଠାରେ ଆନ୍ଦୋଳନ କରିବା ଏବେ ବେଆଇନ ସାବ୍ୟସ୍ତ ହେବ।
