FeaturedGeneralLatest

ନୀଳ ଡ୍ରମ୍ କାଣ୍ଡ: ମୁସ୍କାନ୍ ଓ ସାହିଲଙ୍କୁ ଫାଶୀ ଦଣ୍ଡ

ନୂଆଦିଲ୍ଲୀ (ସଂକେତ ଟିଭି): ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଥିବା ଉତ୍ତର ପ୍ରଦେଶ ମେରଠର ବହୁଚର୍ଚ୍ଚିତ ‘ନୀଳ ଡ୍ରମ୍ କାଣ୍ଡ’ ମାମଲାରେ ଆସିଛି ବଡ଼ ରାୟ। ମେରଠ ଜିଲ୍ଲା ଅଦାଲତର ବିଚାରପତି ଅରବିନ୍ଦ କୁମାର ମିଶ୍ରା ଏହି ମାମଲାର ରାୟ ଶୁଣାଇଛନ୍ତି।

ବୁଧବାର ଅର୍ଥାତ୍ ୨୦୨୬ ଅକ୍ଟୋବର ୧୪ରେ ମେରଠ ଜିଲ୍ଲା ଅଦାଲତ ଏହି ବର୍ବରୋଚିତ ହତ୍ୟାକାଣ୍ଡରେ ମୃତ ସୌରଭ ରାଜପୁତଙ୍କ ପତ୍ନୀ ମୁସ୍କାନ୍ ରସ୍ତୋଗୀ ଏବଂ ତା’ର ପ୍ରେମିକ ସାହିଲ୍ ଶୁକ୍ଲାଙ୍କୁ ମୃତ୍ୟୁଦଣ୍ଡ (ଫାଶୀ) ଶୁଣାଇଛନ୍ତି।

ଏହା ସହିତ କୋର୍ଟ ଉଭୟଙ୍କ ଉପରେ ୨୦,୦୦୦ ଟଙ୍କାର ଜରିମାନା ମଧ୍ୟ ଲଗାଇଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର ହୋଇଥିବା ବେଳେ ବିଚାରପତିଙ୍କ ପ୍ରଶ୍ନର ଉତ୍ତର ଦେଇପାରିନଥିଲେ ଏହି ଦୁଇ ଅଭିଯୁକ୍ତ। ତେବେ ରାୟ ଶୁଣିବା ପରେ କୋର୍ଟ ପରିସର ‘ଭାରତ ମାତା କୀ ଜୟ’ ନାରାରେ କମ୍ପି ଉଠିଥିଲା।

ସୂଚନାଥାଉକି, ୨୦୨୫ ମାର୍ଚ୍ଚ ୩ ତାରିଖରେ ମେରଠର ବ୍ରହ୍ମପୁରୀ ଅଞ୍ଚଳରେ ଘଟିଥିଲା ଏହି ଭୟଙ୍କର ହତ୍ୟାକାଣ୍ଡ। ମୁସ୍କାନ୍ ନିଜ ସ୍ୱାମୀ ସୌରଭଙ୍କ ଖାଦ୍ୟରେ ପ୍ରଥମେ ନିଦ ବଟିକା ମିଶାଇ ଦେଇଥିଲା। ସୌରଭ ବେହୋସ ହେବା ପରେ ମୁସ୍କାନ୍ ଓ ପ୍ରେମିକ ସାହିଲ୍ ମିଶି ସୌରଭଙ୍କ ଛାତିରେ ଛୁରୀ ଭୁସି ଅତି ନିର୍ମମ ଭାବେ ହତ୍ୟା କରିଥିଲେ।

କେବଳ ସେତିକି ନୁହେଁ, ପାପ ଲୁଚାଇବା ପାଇଁ ସେମାନେ ଶବକୁ ଖଣ୍ଡ ଖଣ୍ଡ କରି ଏକ ନୀଳ ରଙ୍ଗର ପ୍ଲାଷ୍ଟିକ୍ ଡ୍ରମ୍ ଭିତରେ ଭର୍ତ୍ତି କରି ସେଥିରେ ସିମେଣ୍ଟ ଭର୍ତ୍ତି କରିଦେଇଥିଲେ। ଏହାପରେ ଦୁହେଁ ହିମାଚଳ ପ୍ରଦେଶ ଫେରାର୍ ହୋଇଯାଇଥିଲେ। ୨୦୨୫ ମାର୍ଚ୍ଚ ୧୮ରେ ପୋଲିସ ଦୁହିଁଙ୍କୁ ଗିରଫ କରିବା ପରେ ଡ୍ରମ୍ ଭିତରୁ ସୌରଭଙ୍କ ଗଳିତ ଶବ ଜବତ ହୋଇଥିଲା।

କୋର୍ଟରେ ସଜା ଘୋଷଣା ହେବା ସମୟରେ ସୌରଭଙ୍କ ମା’, ମାଉସୀ ଓ ଭାଇ ଉପସ୍ଥିତ ଥିଲେ। ସୌରଭଙ୍କ ମା’ ଗଣମାଧ୍ୟମକୁ କହିଛନ୍ତି ଯେ, ପୁଅକୁ ହରାଇବା ପରେ ସେମାନେ ନ୍ୟାୟ ପାଇଁ ଦୀର୍ଘ ଦିନ ଧରି ସଂଘର୍ଷ କରୁଥିଲେ। ହତ୍ୟାକାରୀଙ୍କୁ ଫାଶୀ ମିଳିବା ପରେ ପରିବାର ଲୋକେ ପ୍ରଶାସନ ଓ ସମସ୍ତ ସହଯୋଗୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୩୦ରେ ଜିଲ୍ଲା କୋର୍ଟ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ, ବୁଧବାର ସେମାନଙ୍କ ପାଇଁ ଚୂଡ଼ାନ୍ତ ମୃତ୍ୟୁଦଣ୍ଡ ଘୋଷଣା କରିଛନ୍ତି।

ଜେଲ୍ ପ୍ରଶାସନର ସୂଚନା ଅନୁଯାୟୀ, ଫାଶୀ ଭୟରେ ମୁସ୍କାନ୍ ଓ ସାହିଲ୍ ଦୁହେଁ ଭୟଭୀତ ହୋଇ ରହିଛନ୍ତି। ଜେଲରେ ଦୁହେଁ ଖାଦ୍ୟ ଖାଇବା ମଧ୍ୟ ବନ୍ଦ କରିଦେଇଛନ୍ତି। ମୁସ୍କାନ୍ ନିଜର ଦୁଇ ଝିଅଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ଥିବା ବେଳେ, ତାର ବଡ଼ ଝିଅ ପିହୁକୁ ଦେଖା କରିବା ପାଇଁ ଜେଲ୍ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛି। ଝିଅର ଠିକଣା ନଥିବାରୁ ମୁସ୍କାନ୍ ଜେଲ୍ ଭିତରୁ ଝିଅ ପାଇଁ ଏକ ଭାବବିହ୍ବଳ ପୂର୍ଣ୍ଣ ଚିଠି ଲେଖିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *