FeaturedLatestNews

ଆସନ୍ତା ୨୬ରେ ବାତ୍ୟା, ରାଜ୍ୟରେ ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର (ସଂକେତ ଟିଭି): ଆସନ୍ତା ୨୬ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ବାତ୍ୟାର ରୂପ ନେବ। ବର୍ତ୍ତମାନ ପୂର୍ବ କେନ୍ଦ୍ରୀୟ ଏବଂ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ୨୪ ତାରିଖ ବେଳକୁ ଏହା ଅବପାତରେ ପରିଣତ ହେବ। ୨୫ରେ ଗଭୀର ଅବପାତ ହେବକୁ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବାତ୍ୟାର ସ୍ପଷ୍ଟ ଦିଗ ଅବପାତର ରୂପ ନେବା ପରେ ଜଣା ପଡିବ।

ତେବେ ପ୍ରାଥମିକ ଆକଳନରୁ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗ ଆଡ଼କୁ ଗତି କରୁଥିବା ପୂର୍ବାନୁମାନ ହୋଇଛି। ଏହା ପ୍ରଭାବରେ ରାଜ୍ୟରେ ୨୬ରୁ ବର୍ଷା ଆରମ୍ଭ ହୋଇଯିବ। ଉପକୂଳ ଓଡ଼ିଶାରେ ବର୍ଷା ଅଧିକ ରହିବ। ୨୭ ବେଳକୁ ପବନ ମଧ୍ୟ ପ୍ରବାହିତ ହେବ। ୪୦ରୁ ୫୦ ଓ ଝଟ୍କା ପବନ ୬୦ କିଲୋମିଟର ପ୍ରତି ଘଣ୍ଟା ପ୍ରବାହିତ ହେବାକୁ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ତେବେ ଏହି ବାତ୍ୟା ଅଧିକ ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି।

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାରଙ୍କ ବ୍ୟାପକ ପ୍ରସ୍ତୁତି। ୩୦ ଜିଲ୍ଲାରେ ପ୍ରଶାସନ ସଜାଗ, ୧୬ ଜିଲ୍ଲା ଉପରେ ସ୍ୱତନ୍ତ୍ର ନଜର। ସମ୍ଭାବ୍ୟ ବାତ୍ୟାକୁ ନେଇ ସଜାଗ ରାଜ୍ୟ ସରକାର। ବାତ୍ୟାର ମୁକାବିଲା ପାଇଁ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ପ୍ରସ୍ତୁତି ଜୋରଦାର କରାଯାଇଥିବା ବେଳେ ୧୬ଟି ଜିଲ୍ଲା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ତଳିଆ ଓ ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ ସହ ଆଶ୍ରୟସ୍ଥଳୀଗୁଡ଼ିକୁ ପ୍ରସ୍ତୁତ ରଖିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସମସ୍ତ ବିଭାଗ ସହ ସମନ୍ୱୟ ବୈଠକ କରାଯାଇଛି। ଜିଲ୍ଲାସ୍ତରରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ପ୍ରସ୍ତୁତି ସମୀକ୍ଷା କରାଯାଇଛି। ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଥିବା ବେଳେ ଆବଶ୍ୟକ ପଡ଼ିଲେ ସ୍କୁଲ ଓ କଲେଜ ଛୁଟି ଘୋଷଣା କରିବାକୁ ଜିଲ୍ଲାପାଳମାନଙ୍କୁ କ୍ଷମତା ଦିଆଯାଇଛି।

ବାତ୍ୟା ମୁକାବିଲା ପାଇଁ ଓଡ୍ରାଫ୍, ଏନ୍ଡିଆରଏଫ୍ ଓ ଅଗ୍ନିଶମ ବାହିନୀକୁ ପ୍ରସ୍ତୁତ ରଖାଯାଇଛି। ପ୍ରଭାବିତ ହେବାକୁ ଥିବା ଅଞ୍ଚଳ ଚିହ୍ନଟ କରି ଲୋକଙ୍କୁ ଆଜିଠାରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଲାଗି ବ୍ୟବସ୍ଥା ହୋଇଛି। ଆଶ୍ରୟସ୍ଥଳୀରେ ପାନୀୟ ଜଳ, ଖାଦ୍ୟ ଓ ଅନ୍ୟାନ୍ୟ ମୌଳିକ ସୁବିଧା ସୁନିଶ୍ଚିତ କରିବା ସହ ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ ପଦକ୍ଷେପ ନିଆଯାଉଛି। ଏଥିସହ ଏସ୍ଏମ୍ଏସ୍ ଜରିଆରେ ଲୋକଙ୍କୁ ସଚେତନ କରାଯାଉଛି।

ଅନ୍ୟପଟେ, ଲୋକମାନେ ଘର ଛାଡ଼ି ଆଶ୍ରୟସ୍ଥଳୀକୁ ଯିବା ସମୟରେ ସେମାନଙ୍କ ଧନସମ୍ପତ୍ତିର ସୁରକ୍ଷା ଦାୟିତ୍ୱ ପୋଲିସ ନେବ। ଘରେ ଚୋରି ଓ ଲୁଟ୍ପାଟ୍ ରୋକିବା ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସମୁଦ୍ରରେ ଥିବା ମତ୍ସ୍ୟଜୀବୀଙ୍କୁ ଆସନ୍ତାକାଲି ସକାଳ ସୁଦ୍ଧା କୂଳକୁ ଫେରିଆସିବାକୁ ପରାମର୍ଶ ଦିଆଯାଇଛି।

ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଅତିକ୍ରମ କରି ଛତିଶଗଡ଼ ଓ ଝାଡ଼ଖଣ୍ଡ ଆଡ଼କୁ ଯିବାର ଆକଳନ କରାଯାଉଥିଲେ ମଧ୍ୟ ଏହା କେଉଁଠି ସ୍ଥଳଭାଗ ଛୁଇଁବ, ସେନେଇ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ତେବେ ଉପରମୁଣ୍ଡରେ ବର୍ଷା ହେଲେ ନଦୀରେ ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ଥିବାରୁ ପ୍ରଶାସନକୁ ସତର୍କ ରହିବାକୁ କୁହାଯାଇଛି।

ସମ୍ଭାବ୍ୟ ବାତ୍ୟାକୁ ନେଇ ଭୟଭୀତ ନହୋଇ ପ୍ରଶାସନକୁ ସହଯୋଗ କରିବା ସହ ସୁରକ୍ଷିତ ସ୍ଥାନକୁ ଯିବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦିଆଯାଇଛି। ବାତ୍ୟାର ଗତିପଥ ଓ ପ୍ରଭାବ ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *