ନୀଳଗିରିରେ ପେଟ୍ରୋଲ ପମ୍ପ ବିସ୍ଫୋରଣ: ଜଣେ କର୍ମଚାରୀଙ୍କ ମୃତ୍ୟୁ, ଉତ୍ତେଜନା
ବାଲେଶ୍ବର (ସଂକେତ ଟିଭି): ନୀଳଗିରି ସହରର ୭ ନମ୍ବର ୱାର୍ଡ ଅନ୍ତର୍ଗତ ବାଲିଗୋହିରୀସ୍ଥିତ ସତ୍ୟସାଇ ଫିଲିଂ ଷ୍ଟେସନରେ ଏକ ଅଘଟଣ ଘଟିଯାଇଛି। ପେଟ୍ରୋଲ ପମ୍ପ ପରିସରରେ ଥିବା ଏକ ପୁରୁଣା ତେଲ ଟାଙ୍କିକୁ ଗ୍ୟାସ୍ କଟର ସାହାଯ୍ୟରେ କାଟୁଥିବା ସମୟରେ ହଠାତ୍ ଟାଙ୍କିରେ ବିସ୍ଫୋରଣ ଘଟିଥିଲା।
ଟାଙ୍କିର ଢାଙ୍କୁଣୀ ଛିଟିକି ଯାଇ ସେଠାରେ କାର୍ଯ୍ୟରତ ରେମୁଣା ବ୍ଲକ୍ ଅନ୍ତର୍ଗତ ବିମୁରିଆ ଗ୍ରାମର ହୁଆ ଓରଫ ବୀରେନ୍ଦ୍ର ସିଂହ (୫୮)ଙ୍କ ଉପରେ ମାଡ଼ ହେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଘଟଣା ପରେ ପେଟ୍ରୋଲ ପମ୍ପ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି।
ଖବର ପାଇ ନୀଳଗିରି ଥାନା ଆଇଆଇସି ଗୋବର୍ଦ୍ଧନ ନାୟକ ପୋଲିସ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ପେଟ୍ରୋଲ ପମ୍ପ ମାଲିକ ଦୀପ୍ତିକାନ୍ତ ମହାପାତ୍ର, ମ୍ୟାନେଜର କମଳଲୋଚନ ନାୟକ ଏବଂ ଗ୍ୟାସ୍ କଟର କାମରେ ନିୟୋଜିତ ଦୁଇ ଜଣ କର୍ମଚାରୀଙ୍କୁ ଥାନାକୁ ନେଇଛି।
ଘଟଣାରେ ଉତ୍ତ୍ୟକ୍ତ ଲୋକେ ନ୍ୟାୟ ଦାବିରେ ପେଟ୍ରୋଲ ପମ୍ପ ପରିସରରେ ଭଙ୍ଗାରୁଜା କରିଛନ୍ତି। ମୃତକ ବୀରେନ୍ଦ୍ରଙ୍କ ପରିବାର ପକ୍ଷରୁ କ୍ଷତିପୂରଣ ଦାବିରେ ନୀଳଗିରି-ସେରଗଡ଼ ରାସ୍ତାରେ ମୃତଦେହ ରଖି ପ୍ରତିବାଦ କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ପରିସ୍ଥିତି ନିୟନ୍ତ୍ରଣକୁ ଆଣିଥିଲେ।
