FeaturedLatestNews

ବଙ୍ଗୋପସାଗରରେ ଲଘୁଚାପ: ନଭେମ୍ବର ୨ରେ ବାତ୍ୟା ସମ୍ଭାବନା

ଭୁବନେଶ୍ୱର (ସଂକେତ ଟିଭି): ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ବର୍ତ୍ତମାନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଆଣ୍ଡାମାନ-ନିକୋବର ଦୀପପୁଞ୍ଜ ତଥା ଆଣ୍ଡାମାନ ସାଗର ଉପରେ ରହିଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆଗାମୀ ୬ ଘଣ୍ଟା ମଧ୍ୟରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ତା ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଏକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି।

ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ନଭେମ୍ବର ୨ ତାରିଖ କିମ୍ବା ୨ ନଭେମ୍ବର ସନ୍ଧ୍ୟା ସମୟରେ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ପାଖାପାଖି ଆସି ପହଞ୍ଚିବାର ସମ୍ଭାବନା ରହିଛି।

ଅକ୍ଟୋବର ୩୧ ଏବଂ ନଭେମ୍ବର ୧ ରାଜ୍ୟରେ ବଡ଼ଧରଣର ବର୍ଷାର ବିଶେଷ ସମ୍ଭାବନା ନାହିଁ, ତେବେ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ନଭେମ୍ବର ୨ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ଏବଂ ଗଞ୍ଜାମ ଓ ଗଜପତି ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ସେହିଭଳି ନଭେମ୍ବର ୪ ଏବଂ ୫ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ। ବିଶେଷକରି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହାଛଡ଼ା କଳାହାଣ୍ଡି, ନବରଙ୍ଗପୁର, ପୁରୀ, ଖୋର୍ଦ୍ଧା, କନ୍ଧମାଳ ଏବଂ ନୟାଗଡ଼ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ନଭେମ୍ବର ୨ ପବନର ବେଗ ଘଣ୍ଟାପ୍ରତି ୪୦ ରୁ ୫୦ କି.ମି. ରହିବା ସହ ଝଟକା ପବନର ବେଗ ୬୦ କି.ମି. ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ। ନଭେମ୍ବର ୪ ଓ ୫ ଏହି ଦିନମାନଙ୍କରେ ପବନର ବେଗ ୪୦ ରୁ ୬୦ କି.ମି. ଏବଂ ଝଟକା ପବନ ୭୦ କି.ମି. ପ୍ରତି ଘଣ୍ଟା ଯାଏଁ ପହଞ୍ଚିପାରେ। ମୟୂରଭଞ୍ଜ, କେନ୍ଦୁଝର ଏବଂ ଉତ୍ତର ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ୪୦-୫୦ କି.ମି. ବେଗରେ ପବନ ବହିପାରେ।
ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଓ ୟେଲୋ ଆଲର୍ଟ ଜାରି କରାଯିବ। ଯେଉଁଥିରେ ପବନର ଗତି, ବର୍ଷାର ପରିମାଣ ଏବଂ ସମ୍ଭାବିତ ପ୍ରଭାବ ସମ୍ପର୍କରେ ସୂଚନା ଦିଆଯାଉଛି।

Leave a Reply

Your email address will not be published. Required fields are marked *