Latest

ସରକାରୀ ଅଧିକାରୀଙ୍କ ଘରେ ରେଡ୍, ୧୦୦ କୋଟିର ସମ୍ପତ୍ତି ଠାବ

ହାଇଦ୍ରାବାଦ :(ସଂକେତ ଟିଭି) ତେଲେଙ୍ଗାନା ରିଅଲ ଇଷ୍ଟେଟ ନିୟାମକ ପ୍ରାଧିକରଣ ବିଭାଗର ସଚିବ(TSRERA) ଏବଂ ମେଟ୍ରୋ ରେଳ ଯୋଜନାର ଅଧିକାରୀ ଏସ ବାଲକ୍ରିଷ୍ଣାଙ୍କ ଘର ସହିତ ବିଭିନ୍ନ ସ୍ଥାନରେ ଆଣ୍ଟି କରପସନ ବ୍ୟୁରୋ ପକ୍ଷରୁ ରେଡ କରାଯାଇ 100 କୋଟିର ସମ୍ପତ୍ତି ଠାବ କରାଯାଇଛି । ତେଲେଙ୍ଗାନାରେ ରେବନ୍ତ ସରକାର ଆସିବା ପରଠାରୁ ଦୁର୍ନୀତି ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଜାରି ରହିଛି ।

ସୂଚନା ଅନୁସାରେ, ଗତକାଲି(ବୁଧବାର) ଏସ ବାଲକ୍ରିଷ୍ଣାଙ୍କ ଘର ସହିତ ବିଭିନ୍ନ ସ୍ଥାନରେ ଆଣ୍ଟି କରପସନ ବ୍ୟୁରୋ ପକ୍ଷରୁ ରେଡ କରାଯାଇଥିଲା । ପୂର୍ବରୁ ସେ ହାଇଦ୍ରାବାଦର ମେଟ୍ରୋପଲିଆଲ ଅଥରିଟି ଟାଉନ ପ୍ଲାନିଂ ନିର୍ଦ୍ଦେଶକ(HMDA) ଭାବେ କାର୍ଯ୍ୟ କରୁଥିଲେ । ବୁଧବାର 14 ଟିମ ବାଲକ୍ରିଷ୍ଣାଙ୍କ ବିଭିନ୍ନ ଠିକଣାରେ ରେଡ୍ କରିଥିଲେ । ଆଣ୍ଟି କରପସନ ବ୍ୟୁରୋ ଟିମ୍ ତାଙ୍କ ବାସଭବନ, କାର୍ଯ୍ୟାଳୟ ଏବଂ ତାଙ୍କ ସମ୍ପର୍କୀୟଙ୍କ ଘରେ ଚଢାଉ କରିଥିଲା । ତେବେ ରେଡ ସମୟରେ ପୁଳାପୁଳା ଟଙ୍କା ଏବଂ ସୁନା ଅଳଙ୍କାର ବାହିରିଲା। 100 କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ନେଇ ଏସିବି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା 40 ଲକ୍ଷ ନଗଦ ଟଙ୍କା, 2କେଜି ସୁନା, ଦରକାରୀ ଦସ୍ତାବିଜ, 60ଟି ଦାମୀ ଘଣ୍ଟା, 14ଟି ମୋବାଇଲ ଫୋନ ଏବଂ 10ଟି ଲାପଟପ ସିଜ୍ କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ବାଲକ୍ରିଷ୍ଣାଙ୍କର ଲକର ଖୋଲା ଯାଇନଥିବା ବେଳେ ଏକ ଟଙ୍କା ଗଣିବା ମେସିନ ମିଳିଥିବା ନେଇ ସରକାରୀ ସୁତ୍ରରୁ ପ୍ରକାଶିତ ହୋଇଛି । ଆଜି ବି ଚଢାଉ ଜାରି ରହିଥିବା ବେଳେ ସମ୍ପତ୍ତିର ମୂଲ୍ୟ ବୃଦ୍ଧି ପାଇବା ନେଇ ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *