FeaturedLatestSports

ଭାରତ ଇତିହାସ ରଚିଲା: ୧୨ ବର୍ଷ ପରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିଲା

ଦୁବାଇ (ସଂକେତ ଟିଭି): ଦୀର୍ଘ ୧୨ ବର୍ଷ ପରେ ଭାରତ ଆଇସିସି ଚାମ୍ପିଅନ୍ସ ଟ୍ରଫିର ଟାଇଟଲ ଜିତିଲା । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଆୟୋଜିତ ଫାଇନାଲ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୩ ୱିକେଟରେ ପରାଜିତ କରି ଏହି ବିଜୟ ହାସଲ କରିଛି । ଏହା ଭାରତର ତୃତୀୟ ଚାମ୍ପିଅନ୍ସ ଟ୍ରଫି ବିଜୟ ।

ନ୍ୟୁଜିଲାଣ୍ଡ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ୫୦ ଓଭରରେ ୭ ୱିକେଟ୍ ହରାଇ ସେମାନେ ୨୫୧ ରନ୍ ସ୍କୋର କରିଥିଲେ । ଭାରତ ଏହାର କଡ଼ା ଜବାବ ଦେଇ ୪୯ ଓଭରରେ ୬ ୱିକେଟ୍ ହରାଇ ୨୫୪ ରନ୍ କରି ବିଜୟ ସ୍ଥିର କରିଛି ।

ଭାରତ ପକ୍ଷରୁ ରୋହିତ୍ ଶର୍ମା ୮୩ ବଲରେ ୭୬ ରନ୍, ଶୁଭମନ ଗିଲ୍ ୫୦ ବଲରେ ୩୧ ରନ୍, ଶ୍ରେୟାସ ଆୟର ୪୮ ରନ୍, ଅକ୍ଷର ପଟେଲ ୨୯ ରନ୍, ହାର୍ଦ୍ଦିକ ପାଣ୍ଡ୍ୟା ୧୮ ରନ୍ ଏବଂ କେ.ଏଲ୍ ରାହୁଲ ୩୪ ରନ୍ କରିଥିଲେ । ରବିନ୍ଦ୍ର ଜାଡେଜା ୯ ରନ୍ କରି ଅପରାଜିତ ରହିଥିଲେ ।

ନ୍ୟୁଜିଲାଣ୍ଡ ପକ୍ଷରୁ ଡାରିଲ ମିଚେଲ୍ ୬୩ ରନ୍, ମାଇକେଲ ବ୍ରେସୱେଲ୍ ୫୩ ରନ୍, ରାଚିନ୍ ରବିନ୍ଦ୍ର ୩୭ ରନ୍, ଗ୍ଲେନ୍ ଫିଲିପ୍ସ ୩୪ ରନ୍, ଟମ୍ ଲାଥାମ୍ ୧୪ ରନ୍ ଏବଂ କେନ୍ ୱିଲିୟମସନ୍ ୧୧ ରନ୍ କରିଥିଲେ ।

ଭାରତୀୟ ବୋଲରମାନେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ । କୂଳଦୀପ ଯାଦବ ୧୦ ଓଭରରେ ୪୦ ରନ୍ ଦେଇ ୨ ୱିକେଟ୍, ବରୁଣ ଚକ୍ରବର୍ତ୍ତୀ ୧୦ ଓଭରରେ ୪୫ ରନ୍ ଦେଇ ୨ ୱିକେଟ୍, ରବିନ୍ଦ୍ର ଜାଡେଜା ୧୦ ଓଭରରେ ୩୦ ରନ୍ ଦେଇ ୧ ୱିକେଟ୍ ଏବଂ ମହମ୍ମଦ ଶାମି ୯ ଓଭରରେ ୭୪ ରନ୍ ଦେଇ ୧ ୱିକେଟ୍ ନେଇଥିଲେ ।

ନ୍ୟୁଜିଲାଣ୍ଡ ପକ୍ଷରୁ ମାଇକେଲ ସାଣ୍ଟନର୍ ୨ ୱିକେଟ୍, ମିଚେଲ୍ ବ୍ରେସୱେଲ୍ ୨ ୱିକେଟ୍, ରାଚିନ୍ ରବିନ୍ଦ୍ର ୧ ୱିକେଟ୍ ଏବଂ କେୟଲ୍ ଜାମିସନ୍ ୧ ୱିକେଟ୍ ନେଇଥିଲେ ।

ଏହି ବିଜୟ ସହିତ ଭାରତ ୨୦୦୦ରେ ନ୍ୟୁଜିଲାଣ୍ଡଠାରୁ ପରାଜୟର ପ୍ରତିଶୋଧ ନେଇଛି । ଏହା ଭାରତୀୟ କ୍ରିକେଟ ଇତିହାସରେ ଏକ ମହତ୍ତ୍ୱପୂର୍ଣ୍ଣ ଅଧ୍ୟାୟ ଯୋଡିଛି । ଦୁବାଇର ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତୀୟ ଦଳର ପ୍ରଦର୍ଶନ ସମସ୍ତଙ୍କୁ ଗର୍ବିତ କରିଛି ।

Leave a Reply

Your email address will not be published. Required fields are marked *