ମହାପ୍ରଭୁ ଜଗନ୍ନାଥ ଆନିମେଟେଡ୍ ଚଳଚ୍ଚିତ୍ର ଉପରେ ଓଡ଼ିଶା ହାଇକୋର୍ଟଙ୍କ ଅନ୍ତରୀଣ ରୋକ
ପୁରୀ(ସଂକେତ ଟିଭି): ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜୀବନୀ ଉପରେ ଆଧାରିତ ଆନିମେଟେଡ୍ ଚଳଚ୍ଚିତ୍ର ‘ମହାପ୍ରଭୁ ଜଗନ୍ନାଥ’ର ରିଲିଜ୍ ଉପରେ ଓଡ଼ିଶା ହାଇକୋର୍ଟ ଅନ୍ତରୀଣ ରୋକ ଲଗାଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଏବଂ ଜଷ୍ଟିସ୍ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି।
ପ୍ରଯୋଜନା ସଂସ୍ଥା ଏଲି ଆନିମେସନ୍ସ ପ୍ରାଇଭେଟ୍ ଲିମିଟେଡ୍କୁ ଅଦାଲତ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଯେ, ସେମାନେ କୌଣସି ପରିସ୍ଥିତିରେ ଅଦାଲତଙ୍କ ପୂର୍ବାନୁମତି ବିନା ଏହି ଚଳଚ୍ଚିତ୍ରକୁ ରିଲିଜ୍ କରିପାରିବେ ନାହିଁ। ଆବେଦନକାରୀ ମହେଶ କୁମାର ସାହୁ ଏବଂ ଅନ୍ୟମାନଙ୍କ ପକ୍ଷରୁ ଦାୟର ଏହି ମାମଲାରେ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (ସିବିଏଫସି) ପ୍ରଦାନ କରିଥିବା ପ୍ରମାଣପତ୍ର ରଦ୍ଦ କରିବା ସହ ଓଡ଼ିଶାରେ ଚଳଚ୍ଚିତ୍ରର ପ୍ରଦର୍ଶନ ଓ ମୁକ୍ତିଲାଭ ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇବାକୁ ପ୍ରାର୍ଥନା କରାଯାଇଛି।
ଆବେଦନରେ ଦର୍ଶାଯାଇଛି ଯେ, ଗତ ଜୁନ୍ ୬ ତାରିଖରେ ୟୁଟ୍ୟୁବ୍ରେ ଚଳଚ୍ଚିତ୍ରର ଟିଜର୍ ପ୍ରକାଶ ପାଇବା ପରଠାରୁ ସାରା ଓଡ଼ିଶାରେ ଜଗନ୍ନାଥ ଭକ୍ତ ଏବଂ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ତୀବ୍ର ଆପତ୍ତି ଉଠିଥିଲା। ଭକ୍ତମାନଙ୍କ ଅଭିଯୋଗ ଅନୁସାରେ, ଚଳଚ୍ଚିତ୍ରର କେତେକ ଦୃଶ୍ୟ ଧାର୍ମିକ ଭାବନାକୁ ଆଘାତ ଦେଇଛି।
ପରବର୍ତ୍ତୀ ସମୟରେ ଗଜପତି ମହାରାଜା ଏବଂ ଶ୍ରୀମନ୍ଦିର ପ୍ରଶାସକଙ୍କ ଉପସ୍ଥିତିରେ ଚଳଚ୍ଚିତ୍ରର ଏକ ସ୍ୱତନ୍ତ୍ର ସ୍କ୍ରିନିଂ କରାଯାଇଥିଲା। ସେହି ସ୍କ୍ରିନିଂରେ ଚଳଚ୍ଚିତ୍ରର ଅନେକ ଦୃଶ୍ୟ, ସଂଳାପ ଏବଂ କାହାଣୀର କେତେକ ଅଂଶକୁ ନେଇ ଗୁରୁତର ଆପତ୍ତି ଉଠିଥିଲା। ପ୍ରଯୋଜକ ପକ୍ଷ ଆବଶ୍ୟକୀୟ ସଂଶୋଧନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ କୌଣସି ପରିବର୍ତ୍ତନ କରାଯାଇନଥିବା ଆବେଦନରେ କୁହାଯାଇଛି।
ଏହି ଚଳଚ୍ଚିତ୍ରରେ ମହାପ୍ରଭୁ ଜଗନ୍ନାଥଙ୍କ ବାଲ୍ୟଲୀଳା, କାଳ୍ପନିକ ସଂଳାପ ଏବଂ କେତେକ ଦୁଃସାହସିକ ଘଟଣାକୁ କାଳ୍ପନିକ ଢଙ୍ଗରେ ଉପସ୍ଥାପନ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏହାକୁ ଧାର୍ମିକ ଗ୍ରନ୍ଥ ଓ ପରମ୍ପରା ସହିତ ବିସଙ୍ଗତି ବୋଲି କୁହାଯାଇଛି।
ଅନ୍ୟପଟେ ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ ରୂପେ କାଳ୍ପନିକ ଏବଂ ଏଥିରେ ଆବଶ୍ୟକୀୟ ଡିସ୍କ୍ଲେମର (ଅସ୍ୱୀକୃତି ବିବରଣୀ) ମଧ୍ୟ ଦିଆଯାଇଛି। ତେବେ, ଏହି ଯୁକ୍ତିକୁ ଗ୍ରହଣ କରି ନାହାନ୍ତି ହାଇକୋର୍ଟ। ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଅଦାଲତ ତାରିଖ ଧାର୍ଯ୍ୟ କରିଛନ୍ତି ଏବଂ ସେ ପର୍ଯ୍ୟନ୍ତ ଚଳଚ୍ଚିତ୍ର ରିଲିଜ୍ ଉପରେ ରୋକ ଜାରି ରହିବ।
