EntertainmentFeaturedLatest

ମୋନାଲିସାଙ୍କୁ ଚଳଚ୍ଚିତ୍ର ଅଫର୍ କରିଥିବା ନିର୍ଦ୍ଦେଶକ ଗିରଫ

ନୂଆଦିଲ୍ଲୀ (ସଂକେତ ଟିଭି):ପ୍ରଯାଗରାଜ ମହାକୁମ୍ଭରେ ଭାଇରାଲ୍ ହୋଇଥିବା ମୋନାଲିସାଙ୍କୁ ଚଳଚ୍ଚିତ୍ର ଅଫର୍ କରିଥିବା ନିର୍ଦ୍ଦେଶକ ସନୋଜ ମିଶ୍ରଙ୍କୁ ଏକ ଯୌନ ଅପରାଧ ମାମଲାରେ ଗିରଫ କରାଯାଇଛି। ଦିଲ୍ଲୀ ହାଇକୋର୍ଟ ତାଙ୍କ ଜାମିନ୍ ଆବେଦନକୁ ନାମଞ୍ଜୁର କରିବା ପରେ ନାଭି କରିମ ଥାନା ପୋଲିସ୍ ତାଙ୍କୁ ଗିରଫ କରିଛନ୍ତି।

ନିର୍ଦ୍ଦେଶକଙ୍କ ବିରୋଧରେ ଏକ ଯୁବତୀଙ୍କ ଉପରେ ବଳପୂର୍ବକ ଯୌନ ଅତ୍ୟାଚାର, ନିଶା ଦ୍ରବ୍ୟ ପ୍ରୟୋଗ ଏବଂ ବ୍ଲାକମେଲିଂର ଗୁରୁତର ଅଭିଯୋଗ ରହିଛି। ଅଭିଯୋଗ ଅନୁଯାୟୀ, ୨୦୨୦ରେ ସୋସିଆଲ ମିଡିଆ ମାଧ୍ୟମରେ ନିର୍ଦ୍ଦେଶକ ସନୋଜ ଝାଁସୀର ପୀଡ଼ିତାଙ୍କ ସହିତ ଯୋଗାଯୋଗ କରିଥିଲେ। କିଛି ଦିନ କଥାବାର୍ତ୍ତା ପରେ, ୨୦୨୧ ଜୁନ୍ ୧୭ରେ ସେ ଝାଁସୀ ରେଳଷ୍ଟେସନ୍ ଆସି ପହଞ୍ଚିଥିଲେ ଏବଂ ଆତ୍ମହତ୍ୟାର ଧମକ ଦେଇ ଯୁବତୀଙ୍କୁ ଭେଟିବାକୁ ବାଧ୍ୟ କରିଥିଲେ। ପରଦିନ ପୁଣି ତାଙ୍କୁ ଏକ ରିସୋର୍ଟକୁ ନିଅଯାଇ ନିଶା ଦେଇ ଯୌନ ଅତ୍ୟାଚାର କରାଯାଇଥିବା ବୋଲି ଏଫଆଇଆର୍ରେ ଉଲ୍ଲେଖ ଅଛି।

ଏଥିସହ, ଅଭିଯୁକ୍ତ ତାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଧରି ରଖି ବ୍ଲାକମେଲ୍ କରିବା ସହ ବହୁଥର ଶାରୀରିକ ଶୋଷଣ କରିଥିବା ଅଭିଯୋଗ ରହିଛି। ପୀଡ଼ିତା ତିନିଥର ଗର୍ଭବତୀ ହୋଇଥିଲେ ମଧ୍ୟ ଗର୍ଭପାତ କରାଇବାକୁ ବାଧ୍ୟ ହୋଇଥିଲେ। ୨୦୨୫ ଫେବୃଆରୀରେ ସନୋଜ ତାଙ୍କୁ ଛାଡିଦେଇ ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆରେ ଫିଟାଇବା ଧମକ ଦେଇଥିଲେ।

ଉଲ୍ଲେଖ୍ୟ, ସନୋଜ ମିଶ୍ର ମଧ୍ୟପ୍ରଦେଶର ମହେଶ୍ୱର ନିବାସୀ ଏବଂ ପ୍ରୟାଗରାଜ କୁମ୍ଭମେଳାରେ ରୁଦ୍ରାକ୍ଷ ବିକ୍ରି କରୁଥିବା ଭାଇରାଲ୍ ଗର୍ଲ୍ ମୋନାଲିସାଙ୍କୁ ଚଳଚ୍ଚିତ୍ର ଅଫର୍ କରି ଚର୍ଚ୍ଚାରେ ଥିଲେ। ମୋନାଲିସାଙ୍କ ଫଟୋ ଭାଇରାଲ୍ ହେବା ପରେ ସେ ସୋସିଆଲ ମିଡିଆରେ ଲୋକପ୍ରିୟ ହୋଇଥିଲେ।

Leave a Reply

Your email address will not be published. Required fields are marked *