ଧାନ ସଂଗ୍ରହରେ ଅବ୍ୟବସ୍ଥା, ପଞ୍ଜୀକରଣରୁ ଚାଷୀ ବଞ୍ଚିତ
ଭୁବନେଶ୍ୱର (ସଂକେତ ଟିଭି): ମୁଖ୍ୟମନ୍ତ୍ରୀଙ୍କ ମୁଲତବୀ ପ୍ରସ୍ତାବ ଓ ଧାନ ସଂଗ୍ରହରେ ଅବ୍ୟବସ୍ଥା ନେଇ ବିରୋଧୀ ଦଳ ଆକ୍ରୋଶ ବ୍ୟକ୍ତ କରିଛନ୍ତି। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଆକ୍ଷେପ କରି କହିଛନ୍ତି ଯେ ଧାନ ସଂଗ୍ରହ ପୂର୍ବରୁ ହିଁ ସରକାରଙ୍କ ମୁଣ୍ଡରେ ଚାଳ ବାଜିଲାଣି। ସରକାରଙ୍କ ଚାଷୀ ବିରୋଧୀ ନୀତିକୁ ଲକ୍ଷ୍ୟ କରି ବିଜେଡି ଗୃହରେ ଆକ୍ରୋଶ ପ୍ରକାଶ କରିଛି।
ଗତବର୍ଷ ନଭେମ୍ବର ପ୍ରଥମ ସପ୍ତାହରୁ ଧାନ ସଂଗ୍ରହ ଆରମ୍ଭ ହୋଇଥିବା ବେଳେ ଏବାର ଏକ ମାସ ବିଳମ୍ବ ହୋଇଛି। ଏଯାଏଁ ସରକାର ଧାନ ସଂଗ୍ରହ କରିନାହାନ୍ତି। ଏହାର ପ୍ରତ୍ୟକ୍ଷ ପ୍ରଭାବ ଚାଷୀଙ୍କ ଉପରେ ପଡ଼ିଛି। ଆଜି ହଜାର ହଜାର ଚାଷୀ ପଞ୍ଜୀକରଣ ପ୍ରକ୍ରିୟାରୁ ବଞ୍ଚିତ ହୋଇଛନ୍ତି। କେବଳ ବରଗଡ଼ ଜିଲ୍ଲାରେ ପ୍ରାୟ ୫ ହଜାର ଚାଷୀ ପଞ୍ଜୀକୃତ ହୋଇପାରି ନାହାନ୍ତି, ଯାହା ଫଳରେ ସେମାନେ ଧାନ ବିକ୍ରୀ କରିବାର ପ୍ରକ୍ରିୟାରୁ ବାହାରେ ରହିଛନ୍ତି।
ଆଚାର୍ଯ୍ୟ ଦର୍ଶାଇଛନ୍ତି ଯେ ଏଯାଏଁ ଚାଷୀଙ୍କୁ ଟୋକନ ମିଳିନାହିଁ, ଗୋଦାମଗୁଡ଼ିକ ଖାଲି ନହୋଇ ରହିଛି ଏବଂ ଏଫସିଆଇ ଚାଉଳ ନେଉନାହିଁ। ଧାନ କେଉଁ ମିଲରେ କିଣାଯିବ, ସେ ସମ୍ବନ୍ଧରେ ଟ୍ୟାଗିଂ ପ୍ରଣାଳୀ ମଧ୍ୟ ଚୂଲ୍ଲା ଅଛି, ଯାହା ମିଲ ମାଲିକଙ୍କୁ ମଧ୍ୟ ଦ୍ୱିଧାରେ ପକାଇଛି। ଏହି ଅବ୍ୟବସ୍ଥା ନେଇ ବିଜେପି ସାଂସଦ ପ୍ରଦୀପ ପୁରୋହିତ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଏବଂ କେତେକ ବିଧାୟକ ମଧ୍ୟ ଧାନ ସଂଗ୍ରହ ବିଷୟକୁ ଉଠାଇଛନ୍ତି।
ପ୍ରସନ୍ନ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି ଯେ କେନ୍ଦ୍ର ଦେଉଥିବା ନ୍ୟନ୍ତମ ବିକ୍ରୟମୂଲ୍ୟ (MSP) ୨,୧୮୩ ଟଙ୍କା ସହ ଇନପୁଟ ସବସିଡି ମିଶାଇ ସରକାର ଧାନ କିଣିବେ କି ନାହିଁ। ସରକାରୀ ବିଳମ୍ବ ଓ ଅବ୍ୟବସ୍ଥା ଯୋଗୁଁ ଚାଷୀମାନେ ବାଧ୍ୟ ହୋଇ ପ୍ରତି କୁଇଣ୍ଟାଳ ଧାନ ମାତ୍ର ୧,୪୦୦ ରୁ ୧,୭୦୦ ଟଙ୍କାରେ ବିକ୍ରି କରୁଛନ୍ତି, ଯାହା ଫଳରେ ସେମାନେ ମାନସିକ ଓ ଆର୍ଥିକ ଦୁଃଖରେ ଅଛନ୍ତି।
ଅନ୍ୟ ଖବର: କଟକ ଜିଲ୍ଲାର ୯୧ ଜଣ ସରକାରୀ ଅଧିକାରୀଙ୍କ ଦରମା ବନ୍ଦ କରିବାର ନିର୍ଦ୍ଦେଶ ଦିଆଯାଇଛି। ଜନ ଶୁଣାଣି ଅଧିନିୟମକୁ କାର୍ଯ୍ୟକାରୀ ନକରିବାର ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
