ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର
ପାଟନା (ସଂକେତ ଟିଭି): ପ୍ରାୟ ୪ ମାସ ତଳେ ଦଶମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଜନତା ଦଳ (ୟୁନାଇଟେଡ୍)ର ସୁପ୍ରିମୋ ନୀତୀଶ କୁମାର ଗୁରୁବାର ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ପଦକ୍ଷେପ ପରେ ରାଜ୍ୟର ରାଜନୀତିରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବିଶେଷ କରି ନୀତୀଶଙ୍କ ପରେ କିଏ ବିହାରର ଦାୟିତ୍ୱ ନେବ, ତାକୁ ନେଇ ଜୋରଦାର ଅନୁମାନ ଲଗାଯାଉଛି।
ଗତ ବର୍ଷ ବିହାର ବିଧାନସଭା ନିର୍ବାଚନରେ ଭାଜପା-ଜେଡିୟୁ ନେତୃତ୍ୱାଧୀନ ଏନଡିଏ ବହୁମତ ହାସଲ କରିବା ପରେ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ତେବେ ସେତେବେଳୁ ହିଁ ଏହି କାର୍ଯ୍ୟକାଳ ଦୀର୍ଘସ୍ଥାୟୀ ହୋଇନପାରେ ବୋଲି ଆଲୋଚନା ହେଉଥିଲା। ଆଜି ନୀତୀଶ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିବା ପରେ ତାହା ପ୍ରାୟ ସ୍ପଷ୍ଟ ହୋଇଯାଇଛି।
ନାମାଙ୍କନ ଦାଖଲ ଅବସରରେ ନୀତୀଶ କୁମାରଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ଏନଡିଏର ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ନାମାଙ୍କନ ଦାଖଲ ପୂର୍ବରୁ ନୀତୀଶ କୁମାର ବିହାରବାସୀଙ୍କୁ ଦୀର୍ଘ ଦୁଇ ଦଶନ୍ଧିର ସମର୍ଥନ ପାଇଁ ଧନ୍ୟବାଦ ଜଣାଇଥିଲେ। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି, “ମୋର ସଂସଦୀୟ ଯାତ୍ରାର ଆରମ୍ଭରୁ, ମୁଁ ବିହାର ବିଧାନସଭାର ଉଭୟ ସଦନ ଏବଂ ସଂସଦର ଉଭୟ ସଦନର ସଦସ୍ୟ ହେବାକୁ ଇଚ୍ଛା ରଖିଛି। ସେହି ଆକାଂକ୍ଷାକୁ ଦୃଷ୍ଟିରେ ରଖି, ମୁଁ ଏଥର ହେବାକୁ ଥିବା ନିର୍ବାଚନରେ ରାଜ୍ୟସଭାର ସଦସ୍ୟ ହେବାକୁ ଚାହୁଁଛି।”
ନୀତୀଶଙ୍କ ନାମାଙ୍କନ ପୂର୍ବରୁ ଜେଡିୟୁ ଦଳ ପକ୍ଷରୁ ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଦଳର ବରିଷ୍ଠ ନେତା ସଞ୍ଜୟ ଝାଙ୍କ ବାସଭବନରେ ହୋଇଥିବା ଏହି ବୈଠକରେ ଆଗାମୀ ରଣନୀତି ଏବଂ ରାଜ୍ୟରେ ନୂତନ ସରକାର ଗଠନର ସମ୍ଭାବ୍ୟ ରୂପରେଖ ଉପରେ ଆଲୋଚନା ହୋଇଥିବାର ସୂଚନା ମିଳିଛି। ଏହି ବୈଠକ ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ସୂଚନାଯୋଗ୍ୟ, ବିହାରରେ ରାଜ୍ୟସଭାର ୫ଟି ଆସନ ପାଇଁ ଗୁରୁବାର ନାମାଙ୍କନ ଦାଖଲର ଶେଷ ତାରିଖ ଥିଲା। ଏନଡିଏ ମେଣ୍ଟ ତରଫରୁ ଭାଜପା ତାଙ୍କ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବିନ ଏବଂ ବିହାର ୟୁନିଟ୍ ସାଧାରଣ ସମ୍ପାଦକ ଶିବେଶ କୁମାରଙ୍କୁ ପ୍ରାର୍ଥୀ କରିଛି। ମେଣ୍ଟର ଅନ୍ୟ ସହଯୋଗୀ ରାଷ୍ଟ୍ରୀୟ ଲୋକମୋର୍ଚ୍ଚାର ସଭାପତି ଉପେନ୍ଦ୍ର କୁଶୱାହା ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି। ଜେଡିୟୁ ତରଫରୁ ନୀତୀଶ କୁମାରଙ୍କ ବ୍ୟତୀତ କେନ୍ଦ୍ରମନ୍ତ୍ରୀ ରାମନାଥ ଠାକୁର ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି।
ଜେଡିୟୁ ସୂତ୍ର ଅନୁସାରେ, ନୀତୀଶ କୁମାର ମାର୍ଚ୍ଚ ୧୬ ତାରିଖରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦରେ ରହିପାରନ୍ତି। ନିର୍ବାଚନରେ ବିଜୟୀ ହେଲେ ତାହା ତାଙ୍କ ରାଜନୈତିକ ଜୀବନର ଏକ ମାଇଲଷ୍ଟୋନ୍ ହେବ। ଏହା ପୂର୍ବରୁ ସେ ଲୋକସଭା ସାଂସଦ, ବିହାର ବିଧାନସଭା ଏବଂ ବିଧାନ ପରିଷଦର ସଦସ୍ୟ ହୋଇସାରିଛନ୍ତି। ତାଙ୍କ ପାଇଁ ରାଜ୍ୟସଭା ସଦସ୍ୟ ହେବା ବାକି ଥିଲା, ଯାହା ପୂରଣ ହେବାକୁ ଯାଉଛି।
