FeaturedLatestNewsPolitics

ରାଜ୍ୟସଭା ରେସ୍‌: ୪ ଆସନ ପାଇଁ ରହିଲେ ୫ ପ୍ରାର୍ଥୀ

ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶାରେ ରାଜ୍ୟସଭା ନିର୍ବାଚନକୁ ନେଇ ରାଜନୀତି ତାତିଯାଇଛି। ସୋମବାର ନାମାଙ୍କନ ପ୍ରତ୍ୟାହାରର ସମୟସୀମା ଶେଷ ହୋଇଯାଇଛି। କୌଣସି ପ୍ରାର୍ଥୀ ନିଜ ନାମାଙ୍କନ ପତ୍ର ପ୍ରତ୍ୟାହାର ନ କରିବାରୁ ବର୍ତ୍ତମାନ ମୋଟ ୪ଟି ଆସନ ପାଇଁ ୫ ଜଣ ପ୍ରାର୍ଥୀ ମଇଦାନରେ ରହିଛନ୍ତି।

ଏହି ୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୪ ଆସନ ନେଇ ଫଳାଫଳ ପ୍ରାୟ ସ୍ପଷ୍ଟ ଥିବାବେଳେ ଚତୁର୍ଥ ଆସନଟି କାହା ହାତକୁ ଯିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଆସନ ପାଇଁ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ଏବଂ ବିଜେଡି-କଂଗ୍ରେସ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ବର ହୋତା ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ହୋଇଛନ୍ତି। ନାମାଙ୍କନ ପ୍ରତ୍ୟାହାର ଶେଷ ହେବା ପରେ ଉଭୟ ପ୍ରାର୍ଥୀ ନିଜ ସପକ୍ଷରେ ଭୋଟ୍ ସଂଗ୍ରହ କରିବା ପାଇଁ ରଣନୀତି ତେଜିଦେଇଛନ୍ତି।

ବିଜେପି ଦିଲ୍ଲୀପ ରାୟଙ୍କୁ ବିଜୟୀ କରାଇବା ପାଇଁ ପୂରା ଶକ୍ତି ଲଗାଇଦେଇଛି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏହାକୁ ନେଇ ଉଚ୍ଚସ୍ତରୀୟ ବୈଠକ ଜାରି ରହିଛି। ଦଳ ପକ୍ଷରୁ ଚନ୍ଦ୍ରଶେଖର ବାବନକୁଲେଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ସେ ଶୀଘ୍ର ଓଡ଼ିଶା ଆସି ବିଧାୟକମାନଙ୍କ ସହ ବୈଠକ କରି ଦଳୀୟ ରଣନୀତି ଚୂଡ଼ାନ୍ତ କରିବେ। ଦିଲ୍ଲୀପ ରାୟଙ୍କୁ ଜିତିବା ପାଇଁ ୩୪ ଜଣ ବିଧାୟକଙ୍କ ଭୋଟ୍ ଥିବା ବିଜେପିକୁ ୮ଟି ଅତିରିକ୍ତ ପ୍ରଥମ ପସନ୍ଦ ଭୋଟ୍ ଆବଶ୍ୟକ। ଏହାକୁ ଦୃଷ୍ଟିରେ ରଖି ବିଜେପି ବିଜେଡି ଏବଂ କଂଗ୍ରେସର ଅସନ୍ତୁଷ୍ଟ ବିଧାୟକମାନଙ୍କ ସହ ଯୋଗାଯୋଗ ଆରମ୍ଭ କରିଦେଇଛି।

ଅନ୍ୟପଟେ, ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ଜିତାଇବା ପାଇଁ ବିଜେଡି ଏବଂ କଂଗ୍ରେସ ମିଳିତ ଭାବେ ପ୍ରଚେଷ୍ଟା ଚଳାଇଛନ୍ତି। ବିଜେଡି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକ୍ତର ହୋତାଙ୍କୁ ଉଭୟ ଦଳର ସମନ୍ୱିତ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି। ଦଳ ଭିତରେ କୌଣସି ଅସନ୍ତୋଷ ନ ରହିବା ପାଇଁ ‘ନବୀନ ନିବାସ’ରେ ବିଭିନ୍ନ ପର୍ଯ୍ୟାୟରେ ବୈଠକ ବସି ବିଧାୟକମାନଙ୍କୁ ସଂଗଠିତ କରାଯାଉଛି। କଂଗ୍ରେସ ମଧ୍ୟ ନିଜ ବିଧାୟକମାନଙ୍କୁ ଏକାଠି ରଖିବା ପାଇଁ ବୈଠକ କରି ରଣନୀତି ପ୍ରସ୍ତୁତ କରିଛି।

ଏହି ନିର୍ବାଚନକୁ ନେଇ ବିଭିନ୍ନ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି। ଦିଲ୍ଲୀପ ରାୟଙ୍କ ସମ୍ପର୍କୀୟ ତଥା ବିଜେଡି ବିଧାୟକ ଅରବିନ୍ଦ ମହାପାତ୍ର ତାଙ୍କୁ ସମର୍ଥନ କରିପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ସେହିପରି ବିଜେଡି ବିଧାୟିକା ସୁବାସିନି ଜେନା ଏକ ପ୍ରତିକ୍ରିୟାରେ କହିଛନ୍ତି ଯେ, ସେ “ସମୟ ଦେଖି ନିଷ୍ପତ୍ତି ନେବେ”, ଯାହା ଦଳ ଭିତରେ ଗୋଳମାଳିଆ ସୃଷ୍ଟି କରିଛି।

ସମସ୍ତ ରାଜନୈତିକ ଦଳ ଏହି ଚତୁର୍ଥ ଆସନକୁ ସମ୍ମାନର ପ୍ରଶ୍ନ ଭାବେ ନେଇଥିବାରୁ ନିଜ ନିଜର ସମ୍ମାନ ରକ୍ଷା କରିବା ପାଇଁ ପୂରା ଶକ୍ତି ଲଗାଇଦେଇଛନ୍ତି। ମାର୍ଚ୍ଚ ୧୬ ତାରିଖରେ ହେବାକୁ ଥିବା ଭୋଟ୍ ଗ୍ରହଣ ପରେ ଫଳାଫଳ ଘୋଷଣା ହେବ। ୧୬ ତାରିଖରେ ଜଣାପଡ଼ିବ ଯେ, ଚତୁର୍ଥ ଆସନ ରେସ୍‌ରେ କିଏ ବାଜି ମାରୁଛି।