FeaturedLatestNews

ଓଡିଶାକୁ ମିଳିଲା ନୂଆ ଅମୃତ ଭାରତ ଟ୍ରେନ୍ ସହ ୨ ବିଶେଷ ଟ୍ରେନ୍

ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶାରେ ରେଳ ସଂଯୋଗ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଦେଶର ଅନ୍ୟ ପ୍ରାନ୍ତ ସହିତ ଯୋଡ଼ିବା ଲକ୍ଷ୍ୟରେ କେନ୍ଦ୍ର ରେଳ ମନ୍ତ୍ରଣାଳୟ ଗୋଟିଏ ନୂତନ ଅମୃତ ଭାରତ ଟ୍ରେନ୍ ସେବା ଆରମ୍ଭ କରିବାକୁ ଅନୁମୋଦନ ପ୍ରଦାନ କରିଛି। ଏହା ସହିତ, ରାଜ୍ୟ ମଧ୍ୟରେ ଚଳାଚଳ କରୁଥିବା ଦୁଇଟି ସ୍ୱତନ୍ତ୍ର ରେଳସେବାକୁ ନିୟମିତ କରିବା ପାଇଁ ମଧ୍ୟ ମଞ୍ଜୁରୀ ମିଳିଛି।

ମଞ୍ଜୁରୀ ପ୍ରାପ୍ତ ନୂତନ ଅମୃତ ଭାରତ ଟ୍ରେନ୍ ଆସାମ ରାଜ୍ୟର କାମାକ୍ଷା ଏବଂ ତେଲେଙ୍ଗାନାର ଚାରଲାପାଲି (ସିକନ୍ଦରାବାଦ) ମଧ୍ୟରେ ଚଳାଚଳ କରିବ। ଏହି ଟ୍ରେନ୍ ଓଡ଼ିଶାର ବିଭିନ୍ନ ପ୍ରମୁଖ ସହର ଦେଇ ଅତିକ୍ରମ କରିବ, ଯାହା ରାଜ୍ୟର ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ସୁବିଧା ଆଣିଦେବ। ଏହାର ମାର୍ଗରେ ବାଲେଶ୍ୱର, ଭଦ୍ରକ, ଯାଜପୁର କେଉଁଝର ରୋଡ୍, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍, ବାଲୁଗାଁ ଏବଂ ବ୍ରହ୍ମପୁର ଷ୍ଟେସନ୍ ଅନ୍ତର୍ଭୁକ୍ତ ରହିଛି।

ସୂଚନାନୁସାରେ, 18403/18404 ନମ୍ବରର ଭୁବନେଶ୍ୱର-ଧାନବାଦ୍ ସ୍ପେଶାଲ୍ ଟ୍ରେନ୍କୁ ନିୟମିତ କରାଯାଇଛି। ଏହି ଟ୍ରେନ୍ ଧାନବାଦ୍ ଯିବା ପୂର୍ବରୁ କଟକ, ଢେଙ୍କାନାଳ, ତାଳଚେର ରୋଡ୍, ଅନୁଗୋଳ, ରେଢ଼ାଖୋଲ, ସମ୍ବଲପୁର ସହର, ଝାରସୁଗୁଡ଼ା ଏବଂ ରାଉରକେଲା ଷ୍ଟେସନରେ ରହିବ। ସେହିପରି, 08439/08440 ନମ୍ବରର ପୁରୀ-ପାଟନା ସ୍ପେଶାଲ୍ ଟ୍ରେନ୍କୁ ମଧ୍ୟ ନିୟମିତ ରେଳସେବାରେ ପରିଣତ କରାଯାଇଛି। ଏହି ଟ୍ରେନ୍ ପାଟନା ଯିବା ବାଟରେ ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, ଯାଜପୁର କେଉଁଝର ରୋଡ୍, ଭଦ୍ରକ ଏବଂ ବାଲେଶ୍ୱର ଷ୍ଟେସନରେ ରହିବ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଆଲୋଚନା କରି ଓଡ଼ିଶା ପାଇଁ ଅଧିକ ରେଳସେବା ଯୋଗାଇଦେବା ପାଇଁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ଅନୁରୋଧକୁ ଗୁରୁତ୍ୱ ଦେଇ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଏକ ପତ୍ର ମାଧ୍ୟମରେ ଏହି ଟ୍ରେନ୍ ସେବା ମଞ୍ଜୁରୀ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।

ରାଜ୍ୟରେ ରେଳ ସଂଯୋଗକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବା ପାଇଁ ଏହି ଟ୍ରେନ୍ ସେବାଗୁଡ଼ିକୁ ଅନୁମୋଦନ କରିଥିବାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ହାର୍ଦ୍ଦିକ ଧନ୍ୟବାଦ ଜଣାଇଛନ୍ତି।