FeaturedLatestNewsPolitics

ସୁବାସିନୀ ଜେନାଙ୍କ ବାସଭବନ ଘେରାଉ କଲା ବିଜୁ ମହିଳା ଜନତା ଦଳ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିଥିବା ବିଜୁ ଜନତା ଦଳ (ବିଜେଡି)ର ବିଧାୟିକା ସୁବାସିନୀ ଜେନାଙ୍କୁ ଘେରିବା ଆରମ୍ଭ ହୋଇଯାଇଛି। ଆଜି ବିଜୁ ମହିଳା ଜନତା ଦଳ ତରଫରୁ ଆଜି ତାଙ୍କ ଭୁବନେଶ୍ୱର ସ୍ଥିତ ବାସଭବନ ଘେରାଉ କରାଯାଇଛି।

ଏହି ଆନ୍ଦୋଳନର ନେତୃତ୍ବ ନେଉଥିବା ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ତାଙ୍କୁ “ଧୋକାବାଜ, ବିଶ୍ୱାସଘାତକ ଓ କୃତଘ୍ନ” ବୋଲି ଅଭିହିତ କରି ତୁରନ୍ତ ବିଧାୟିକା ପଦବୀରୁ ଇସ୍ତଫା ଦେଇ ପୁନର୍ବାର ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ଆହ୍ୱାନ ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଜେନା ଦଳ ସହିତ ବିଶ୍ୱାସଘାତକତା କରି କେବଳ ଦଳକୁ ନୁହେଁ, ସମଗ୍ର ନାରୀ ଜାତିକୁ ଅପମାନିତ କରିଛନ୍ତି।

ଅପରପକ୍ଷରେ, କ୍ରସ୍ ଭୋଟିଂ ଅଭିଯୋଗ ପ୍ରସଙ୍ଗରେ ସୁବାସିନୀ ଜେନା ଆଜି ବିଧାନସଭାରେ ପହଞ୍ଚିବା ପରେ ପ୍ରତିକ୍ରିୟା ରଖିଛନ୍ତି। ସେ ଦୃଢ଼ ଭାବରେ ଦାବି କରିଛନ୍ତି ଯେ, ସେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ହିଁ ଭୋଟ୍ ଦେଇଛନ୍ତି। ସେ କହିଛନ୍ତି, “ମୁଁ ନବୀନ ବାବୁଙ୍କ ନିର୍ଦ୍ଦେଶ ଅନୁସାରେ ଗୋଟିଏ ଭୋଟ୍ ସଂତୃପ୍ତ ମିଶ୍ରଙ୍କୁ ଏବଂ ଆଉ ଗୋଟିଏ ଭୋଟ୍ ଦିଲ୍ଲୀପ ରାୟଙ୍କୁ ଦେଇଛି।”

ନିଜ ନିଷ୍ପତ୍ତିକୁ ସମର୍ଥନ କରି ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ନିର୍ବାଚନ ମଣ୍ଡଳୀ ବସ୍ତାରେ କଂଗ୍ରେସ ସହିତ ତାଙ୍କର ସିଧାସଳଖ ଲଢ଼େଇ ହେଉଛି। ତେଣୁ ସେ କଂଗ୍ରେସ ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍ ଦେଇନାହାନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି। ତେବେ ପ୍ରଥମ ଓ ଦ୍ବିତୀୟ ପସନ୍ଦ ଭୋଟ୍ ନେଇ ପଚରାଯାଇଥିବା ପ୍ରଶ୍ନକୁ ସେ ଏଡ଼ାଇ ଯାଇଥିଲେ।

ସୂଚନାଯୋଗ୍ୟ, ଆଜି ସୁବାସିନୀ ଜେନା ବିଧାନସଭାରେ ପହଞ୍ଚି ନିଜ ସିଟ୍ରେ ବସିଥିବା ବେଳେ ବିଜେଡିର ଅନ୍ୟ ସଦସ୍ୟମାନେ ଗୃହ ମଧ୍ୟଭାଗରେ ହଟ୍ଟଗୋଳ କରୁଥିଲେ। ଏହି ଘଟଣାକୁ କେନ୍ଦ୍ରକରି ବିଜେଡି ତରଫରୁ ତାଙ୍କୁ କାରଣ ଦର୍ଶାଅ (ସୋ କଜ୍) ନୋଟିସ୍ ଜାରି କରାଯାଇଛି। ଆସନ୍ତାକାଲି ସୁଦ୍ଧା ଏହାର ଜବାବ ଦେବାକୁ ନୋଟିସ୍ରେ ନିର୍ଦ୍ଦେଶ ଦିଆଯାଇଛି।