FeaturedGeneralLatest

ଇରାନର କ୍ଷେପଣାସ୍ତ୍ର ମାଡରେ ଜଳିଗଲା ବିଶ୍ୱର ସବୁଠାରୁ ବଡ଼ କାତାର ଗ୍ୟାସ୍ ପ୍ଲାଣ୍ଟ

ନୂଆଦିଲ୍ଲୀ(ସଂକେତ ଟିଭି): ମଧ୍ୟପ୍ରାଚ୍ୟରେ ଜାରି ଥିବା ଯୁଦ୍ଧର ପ୍ରଭାବ ବିଶ୍ବର ଅନ୍ୟାନ୍ୟ ଦେଶ ଉପରେ ମଧ୍ୟ ପଡ଼ିବାରେ ଲାଗିଛି । ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଯୋଗୁଁ ଭାରତ ଭଳି ଶକ୍ତି ଉପରେ ନିର୍ଭରଶୀଳ ଦେଶ ଚିନ୍ତାରେ ରହିଛି । ଏହାର କାରଣ ହେଉଛି, ଭାରତ ଶକ୍ତି ନିର୍ଭର କରୁଥିବା ଉର୍ଜା ଦେଶ କାତାର ଉପରେ ସିଧାସଳଖ ଆକ୍ରମଣ ହୋଇଛି ।

ଇରାନ କାତାରର ‘ରାସ୍ ଲାଫାନ୍’ ଶିଳ୍ପାଞ୍ଚଳ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି । ସୂଚନାଯୋଗ୍ୟ, ଏହି ଅଞ୍ଚଳରେ ବିଶ୍ୱର ସବୁଠାରୁ ବଡ଼ ପ୍ରାକୃତିକ ଗ୍ୟାସ୍ (LNG) ଉତ୍ପାଦନ କେନ୍ଦ୍ର ରହିଛି । ଏହି ଆକ୍ରମଣରେ ଗ୍ୟାସ୍ ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି, ଯାହା ଫଳରେ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ।

ଜଣାପଡ଼ିଛି ଯେ, କିଛି ଦିନ ପୂର୍ବରୁ ଇସ୍ରାଏଲ ଇରାନର ସବୁଠାରୁ ବଡ଼ ଗ୍ୟାସ୍ ଫିଲ୍ଡ ‘ସାଉଥ୍ ପାର୍ସ’ ଉପରେ ଆକ୍ରମଣ କରିଥିଲା । ଏହାର ପ୍ରତିଶୋଧ ସ୍ୱରୂପ ଇରାନ କାତାରର ଏହି ଗୁରୁତ୍ୱପୂର୍ଣ୍ଣ ଗ୍ୟାସ୍ ପ୍ଲାଣ୍ଟକୁ ଟାର୍ଗେଟ୍ କରିଥିବା ବିଶ୍ଳେଷକମାନେ ମତ ଦେଇଛନ୍ତି ।

ବିଶ୍ୱର ପ୍ରାୟ ୨୦ ପ୍ରତିଶତ ଗ୍ୟାସ୍ ଯୋଗାଉଥିବା କାତାର ଏହି ଆକ୍ରମଣକୁ ନିଜର ସାର୍ବଭୌମତ୍ୱ ଉପରେ ଆକ୍ରମଣ ବୋଲି କହିଛି । ଏହାର ତୀକ୍ଷ୍ଣ ପ୍ରତିକ୍ରିୟାରେ କାତାର ଇରାନର ସମସ୍ତ ସାମରିକ ଅଧିକାରୀଙ୍କୁ ଦେଶରୁ ବାହାର କରିଦେଇଛି ।

ଏହି ଘଟଣାକୁ ନେଇ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ଇରାନର ଗ୍ୟାସ୍ ଫିଲ୍ଡ ଉପରେ ଇସ୍ରାଏଲର ପ୍ରଥମ ଆକ୍ରମଣ ବିଷୟରେ ଆମେରିକା ଅଜ୍ଞାତ ଥିଲା । ଟ୍ରମ୍ପ ଚେତାବନୀ ଦେଇ କହିଛନ୍ତି, “ଯଦି ଇରାନ ପୁଣିଥରେ କାତାର ଉପରେ ଆକ୍ରମଣ କରେ, ତେବେ ଆମେରିକା ଇରାନର ସମ୍ପୂର୍ଣ୍ଣ ‘ସାଉଥ୍ ପାର୍ସ’ ଗ୍ୟାସ୍ ଫିଲ୍ଡକୁ ବୋମା ମାଡ଼ କରି ଧ୍ୱଂସ କରିଦେବ ।”

ଅପରପକ୍ଷରେ ଇରାନ ମଧ୍ୟ ଇସ୍ରାଏଲକୁ କଡ଼ା ଚେତାବନୀ ଦେଇଛି । ଇରାନ କହିଛି ଯେ, ନିଜର ସୁରକ୍ଷା ଅଧିକାରୀଙ୍କୁ ହତ୍ୟା କରିବାର ପରିଣାମ ଇସ୍ରାଏଲକୁ ଭୋଗିବାକୁ ପଡ଼ିବ ।

ଇରାନର ଏହି ଆକ୍ରମଣକୁ ନେଇ ୧୨ଟି ମୁସଲିମ୍ ଦେଶ ଏକତ୍ରିତ ହୋଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସାଉଦି ଆରବର ରାଜଧାନୀ ରିୟାଦରେ ଅନୁଷ୍ଠିତ ଏକ ଜରୁରୀ ବୈଠକରେ ସାଉଦି ଆରବ, କାତାର, ୟୁଏଇ ସମେତ ଅନ୍ୟାନ୍ୟ ଦେଶ ଇରାନକୁ ତୁରନ୍ତ ଏଭଳି ଆକ୍ରମଣ ବନ୍ଦ କରିବାକୁ କହିଛନ୍ତି। ସେମାନେ କହିଛନ୍ତି, “ଆବାସିକ ଅଞ୍ଚଳ ଏବଂ ଶିଳ୍ପାଞ୍ଚଳ ଉପରେ ଇରାନର ଆକ୍ରମଣ ସମ୍ପୂର୍ଣ୍ଣ ଭୁଲ୍ ଏବଂ ଏହାକୁ କୌଣସି ଭାବେ ସମର୍ଥନ କରାଯାଇପାରିବ ନାହିଁ।” ଏହି ବୈଠକରେ ଲେବାନନ୍ ଉପରେ ଇସ୍ରାଏଲର ଆକ୍ରମଣର ମଧ୍ୟ ତୀବ୍ର ସମାଲୋଚନା କରାଯାଇଛି।

ଏହି ପରିପ୍ରେକ୍ଷୀରେ ସାଉଦି ଆରବ ଇରାନକୁ କଡ଼ା ଚେତାବନୀ ଦେଇଛି। ସାଉଦି ବିଦେଶ ମନ୍ତ୍ରୀ ଫୈଜଲ ବିନ୍ ଫରହାନ ଅଲ ସଉଦ କହିଛନ୍ତି, “ଇରାନର ଏହି ଆକ୍ରମଣ ପୂର୍ବ ଯୋଜନାବଦ୍ଧ ମନେହେଉଛି। ଆମ ପାଖରେ ଇରାନକୁ ଜବାବ ଦେବାକୁ ପୂର୍ଣ୍ଣ ଶକ୍ତି ରହିଛି। ଇରାନ ଆମର ଧୈର୍ଯ୍ୟର ପରୀକ୍ଷା ନ କରୁ।” ଉଲ୍ଲେଖଯୋଗ୍ୟ, ହର୍ମୁଜ ପ୍ରଣାଳୀ ବନ୍ଦ ଥିବାରୁ ୟନବୁ ବନ୍ଦର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି, ଯାହା ଉପରେ ମଧ୍ୟ ଆକ୍ରମଣ ହୋଇଛି।