BusinessFeaturedLatestNewsPolitics

ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର ହେଉଛି ଶିଳ୍ପ, ଡବଲ ଇଞ୍ଜିନ ସରକାରରେ ଡବଲ ବ୍ରେକ୍ : ବିଜେଡି

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ବିଜେପି ସରକାର ଉପରେ ବିଜେଡି ପ୍ରବଳ ଆକ୍ରମଣ କରିଛି। ଅନ୍ୟ ରାଜ୍ୟକୁ ଶିଳ୍ପ ସ୍ଥାନାନ୍ତରକୁ ନେଇ ବିଜେଡି ନେତାମାନେ ଏହାକୁ ବିଜେପିର ଅପାରଗତା ବୋଲି ଅଭିହିତ କରିଛନ୍ତି। ଡବଲ ଇଞ୍ଜିନ ସରକାରରେ ଡବଲ ବେନିଫିଟ୍ ହେବା କଥା, କିନ୍ତୁ ସବୁ କାମରେ ଡବଲ୍ ବ୍ରେକ୍ ଲାଗୁଥିବା ନେଇ ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ ଓ ଶାରଦା ଜେନା ପ୍ରେସମିଟ୍ କରି କହିଛନ୍ତି।

ବିଜେଡି ନେତାମାନେ କହିଛନ୍ତି ଯେ, କେନ୍ଦ୍ରାପଡ଼ାରୁ ଆର୍ସେଲ ମିତ୍ତଲ ନିପନ ଷ୍ଟିଲ ପ୍ଲାଣ୍ଟ ଆନ୍ଧ୍ରପ୍ରଦେଶକୁ ଚାଲିଯାଇଛି। ସୋମବାର ଦିନ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଆର୍ସେଲ ମିତ୍ତଲଙ୍କ ଉପସ୍ଥିତିରେ ଏହାର ଶୁଭାରମ୍ଭ କରିଛନ୍ତି। ଏଥିରୁ ସ୍ପଷ୍ଟ ଯେ ମିତ୍ତଲ କେନ୍ଦ୍ରାପଡ଼ା ପ୍ରକଳ୍ପରୁ ଓହରି ଆନ୍ଧ୍ରକୁ ସ୍ଥାନାନ୍ତରିତ ହୋଇଛନ୍ତି। ଶିଳ୍ପ ବିହୀନ ଜିଲ୍ଲା କେନ୍ଦ୍ରାପଡ଼ାରେ ଅନେକ ଆଶା ନେଇ ଆର୍ସେଲ ମିତ୍ତଲଙ୍କ କମ୍ପାନୀ ପ୍ରତିଷ୍ଠା ହେବ ବୋଲି ରାଜ୍ୟ ସରକାର ସ୍ୱପ୍ନ ଦେଖାଇଥିଲେ। ଏଥିରେ ଯୁବପିଢ଼ିଙ୍କୁ ନିଯୁକ୍ତି ଦେବା କଥା ମଧ୍ୟ କୁହାଯାଇଥିଲା, ହେଲେ ତାହା ଧୁଳିସାତ ହୋଇଛି।

ସେହିପରି ଚୌଦ୍ୱାର ଟେକ୍ସଟାଇଲ ମିଲ୍ ଫେବୃଆରୀ ମାସରୁ ଓହରି ଯାଇଛି। ସେମିକଣ୍ଡକ୍ଟର ପ୍ରକଳ୍ପ ମଧ୍ୟ ତାମିଲନାଡୁକୁ ସ୍ଥାନାନ୍ତର ହେଉଛି। ଏହି ପରିପ୍ରେକ୍ଷୀରେ ବିଜେଡି ନେତାମାନେ ରାଜ୍ୟ ସରକାର ଓ ଶିଳ୍ପ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଆର୍ସେଲ ମିତ୍ତଲଙ୍କ କମ୍ପାନୀ ଓଡ଼ିଶା ଆସିବ କି ନାହିଁ? ଶିଳ୍ପ ଚାଲିଯିବା ଅସ୍ମିତା ନା ଅପାରଗତା? ଏହା ଡବଲ ଇଞ୍ଜିନ ସରକାର ନା ଡବଲ ବ୍ରେକର ସରକାର ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

ବିଜେଡି ନେତାମାନେ ଆହୁରି କହିଛନ୍ତି ଯେ, ଓଡ଼ିଶାର ପ୍ରକଳ୍ପ ବାହାର ରାଜ୍ୟକୁ ସ୍ଥାନାନ୍ତର ହେଉଛି, ଫଳରେ ଯୁବକ-ଯୁବତୀଙ୍କ ସ୍ୱପ୍ନ ମଉଳି ଯାଉଛି। ବିଜେପି ସରକାର ଦିଲ୍ଲୀ ଦରବାର ସହ ଆଲୋଚନା କରି ଏହି ସମସ୍ୟାର ସମାଧାନ କରନ୍ତୁ। ଓଡ଼ିଶା ପାଇଁ କଳା ଦିବସ ହେବାକୁ ଯାଉଥିବା ବେଳେ ପ୍ରକଳ୍ପ ସ୍ଥାନାନ୍ତରଣର କାରଣ ଅନୁଧ୍ୟାନ କରିବା ଜରୁରୀ। ଡବଲ ଇଞ୍ଜିନରେ ଡବଲ ବିକାଶ ହେବା କଥା, କିନ୍ତୁ ଏବେ ରିଭର୍ସ ଗିୟରରେ ଚାଲିଛି ଡବଲ ଇଞ୍ଜିନର ସରକାର ବୋଲି ସେମାନେ କଟାକ୍ଷ କରିଛନ୍ତି।