୨୬ ଦିନରେ ୨୫ ଲକ୍ଷ ନୂଆ ପିଏନଜି ସଂଯୋଗ, ନାହିଁ ଏଲପିଜି ସଙ୍କଟ : କେନ୍ଦ୍ର
ନୂଆଦିଲ୍ଲୀ (ସଂକେତ ଟିଭି): ଗତ ୨୬ ଦିନ ଧରି ମଧ୍ୟପ୍ରାଚ୍ୟରେ ଲାଗି ରହିଛି ଯୁଦ୍ଧ। ଯାହାର ପ୍ରଭାବ ସବୁଠୁ ଅଧିକ ଦେଖିବାକୁ ମିଳିଛି ହାଣ୍ଡିଶାଳରେ। ଏଲପିଜି ସଙ୍କଟକୁ ନେଇ ଜନସାଧାରଣଙ୍କ ନାନା ହଇରାଣ ହେଉଥିବା ଚିତ୍ର ଦେଶର ବିଭିନ୍ନ ପ୍ରାନ୍ତରୁ ଆସିବାରେ ଲାଗିଛି। ଗ୍ୟାସ ସଙ୍କଟରୁ ଅନେକ ସ୍ଥାନରେ ହୋଟେଲ, ରେସ୍ତୋରାଁ ବନ୍ଦ ପଡ଼ିଥିବା ବେଳେ ଖାଦ୍ୟ ଦର ବି ବୃଦ୍ଧି ଘଟିଛି। ତେବେ ଏଲପିଜି ଗ୍ୟାସ ସମସ୍ୟା ନେଇ କେନ୍ଦ୍ର ସରକାର ଅସ୍ବୀକାର କରିବା ସହ ପିଏନଜି ବ୍ୟବହାର ଉପରେ ପ୍ରାଥମିକତା ଦେଇଛନ୍ତି।
ଆଜି (ବୁଧବାର) ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି କି, ସରକାର ଏହା ଉପରେ କଡ଼ା ନଜର ରଖିଛନ୍ତି। ଲୋକଙ୍କ ସାମ୍ନାରେ କୌଣସି ପ୍ରକାର ସଙ୍କଟ ସ୍ଥିତି ଆସିବ ନାହିଁ।
ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି, ‘ଗତ ୨୫ ଦିନ ମଧ୍ୟରେ ୨୫ ଲକ୍ଷ ନୂଆ ପିଏନଜି ସଂଯୋଗ ଦିଆଯାଇଛି। ଏହା ବ୍ୟତୀତ ପାଖାପାଖି ୨୨ ଲକ୍ଷ ଉପଭୋକ୍ତା ଏଲପିଜିରୁ ପିଏନଜିକୁ ସଂଯୋଗକୁ ସ୍ଥାନାନ୍ତର କରିଛନ୍ତି। ଏଥିସହ ୨୫ ଲକ୍ଷ ନୂଆ ପଞ୍ଜିକରଣ କରିଛନ୍ତି। ଯଦି ଆମେ ଏଲପିଜି କଥା ଆଲୋଚନା କରିବା ତେବେ ଏଲପିଜି ଗ୍ୟାସର କୌଣସି ସଙ୍କଟ ନାହିଁ। ଅନଲାଇନ ବୁକିଂ ଜାରି ରହିଛି। ପାଖାପାଖି ୨୬ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୨,୦୦୦ ଟନ କମର୍ସିଆଲ ଗ୍ୟାସ୍ ବିତରଣ କରାଯାଇଛି।’
ତୈଳ କମ୍ପାନୀ ଓ ରାଜ୍ୟ ସରକାର ମିଳିତ ଭାବେ ଗ୍ୟାସ ବିତରଣ କରୁଛନ୍ତି। ସମସ୍ତଙ୍କ ପ୍ରୟାସ ସ୍ବରୂପ ଗତକାଲି (ମଙ୍ଗଳବାର) ୩୦,୦୦୫ କିଲୋଗ୍ରାମ ସିଲିଣ୍ଡର ବିତରଣ କରାଯାଇଛି। ସେହିପରି ବିକଳ୍ପ ଇନ୍ଧନ ରୂପେ କେନ୍ଦ୍ର ସରକାର ରାଜ୍ୟ ଗୁଡିକୁ କିରୋସିନ ଆବଣ୍ଟନ କରିଛନ୍ତି। ୧୬ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକୁ ଅତିରିକ୍ତ କିରୋସିନ ଆବଣ୍ଟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ସରକାର କଳାବଜାରୀକୁ ରୋକିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଯେଉଁଥିରେ ରାଜ୍ୟ ଗୁଡିକର ଭୂମିକା ଗୁରୁତ୍ବପୂର୍ଣ୍ଣ ଅଟେ। ଗତକାଲି ବିଭିନ୍ନ ରାଜ୍ୟର ୨୭୦୦ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏଥିରେ ୨୦୦୦ ସିଲିଣ୍ଡର ଜବତ କରାଯାଇଛି।
ସୁଜାତା ଶର୍ମା ଆହୁରି କହିଛନ୍ତି, ଭାରତ ସରକାରଙ୍କ ପାଇଁ ଘରୋଇ ପିଏନଜି ସଂଯୋଗ ସର୍ବୋଚ୍ଚ ପ୍ରାଥମିକତା ଅଟେ। ପରିବହନରେ ବ୍ୟବହୃତ ସିଏନଜି ଗ୍ୟାସ ମଧ୍ୟ ୧୦୦ ପ୍ରତିଶତ ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ କରାଯାଉଛି। ଏପରିକି ଜନସାଧାରଣଙ୍କୁ ପ୍ରୋତ୍ସାହନ କରିବା ପାଇଁ ଅନେକ କମ୍ପାନୀ ପିଏନଜି ସଂଯୋଗ କଲେ ୫୦୦ ଟଙ୍କା ପର୍ଯ୍ୟନ୍ତ ଛାଡ଼ କରିବା ସହ ସିକ୍ୟୁରିଟି ଅର୍ଥ ବାବଦକୁ ଦେବାକୁ ଟଙ୍କା ଦେବାକୁ ପଡ଼ିବନି ବୋଲି ଘୋଷଣା କରିଛନ୍ତି। ଭାରତ ସରକାର ପିଏନଜି ସଂଯୋଗକୁ ପ୍ରାଥମିକତା ଦେବାକୁ ଯାଇ ଏନେଇ ସୂଚନା ଜାରି କରିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ସମସ୍ତ ରାଜ୍ୟ ପିଏନଜି ସଂଯୋଗ ପାଇଁ ଆବେଦନ ଶୁଳ୍କ ଓ ସମୟସୀମାକୁ ସୁବ୍ୟବସ୍ଥିତ କରିବେ।
